ଆଜି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୨ ଦିନିଆ ଗରିମା ଜାତୀୟ କର୍ମଶାଳାର ଉଦଘାଟନ ହୋଇଯାଇଛି । ପରିମଳ କର୍ମଚାରୀଙ୍କୁ ସଶକ୍ତ କରିବାର ଉଦ୍ଦେଶ୍ୟ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦଘାଟନ କରିଥିଲେ । ପରିମଳ କର୍ମଚାରୀଙ୍କୁ ସୁରକ୍ଷା, ସମ୍ମାନ ପ୍ରଦାନ ପାଇଁ ଏହି କାର୍ଯ୍ୟକ୍ରମ କରାଯାଇଥିବାବେଳେ ପରିମଳ କର୍ମଚାରୀ କୁଶଳୀ ଓ ଅତି କୁଶଳୀ ମାନ୍ୟତା ପାଇଛନ୍ତି । ଏହା ସହ ସେମାନଙ୍କୁ ଉଚିତ୍ ମଜୁରୀ ପ୍ରଦାନ, ଶୂନ୍ୟ ଦୁର୍ଘଟଣା ମୃତ୍ୟୁ ପାଇଁ ପ୍ରୟାସ ସହ ସ୍ବାସ୍ଥ୍ୟ ସେବା ଓ ସମାଜିକ ସୁରକ୍ଷା ଦିଗରେ କିଭଳି ସେମାନଙ୍କ ପାଇଁ କାର୍ଯ୍ୟ କରିହେବ ସେନେଇ ମାନସମନ୍ଥନ ହେବ ।
ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ପରିମଳ କର୍ମଚାରୀଙ୍କୁ ଏଣିକି ଜୀବନ ବୀମା ମିଳିବ । ଗ୍ରେଡ଼-୧ ପରିମଳ କର୍ମଚାରୀଙ୍କୁ ମିଳିବ ୧୦ ଲକ୍ଷର ବୀମା । ସେହିପରି ସମସ୍ତ ପରିମଳ (ଗ୍ରେଡ଼ ୧) କର୍ମଚାରୀଙ୍କୁ ସ୍ମାର୍ଟ ମୋବାଇଲ ଫୋନ ମିଳିବ । ଏହି ମୋବାଇଲରେ ଜରୁରୀକାଳିନ ସୂଚନା ମିଳିବ । ସେହିପରି ସମସ୍ତ୍ ପରିମଳ କର୍ମଚାରୀଙ୍କୁ ବାସଗୃହ ( ଆବାସ)ଯୋଗାଇ ଦିଆଯିବ ।

