ଆସନ୍ତା ମେ ୨ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ବିଏସଇ ପକ୍ଷରୁ ପ୍ରେସ ରିଲିଜ ଜରିଆରେ ସୂଚନା ଦିଆଯାଇଛି । ଅପରାହ୍ନ ୪ଟାରେ ବାହାରିବ ଫଳାଫଳ । ଷ୍ଟେଟ ଓପନ ସ୍କୁଲ ଏବଂ ମଧ୍ୟମା ଫଳ ମଧ୍ୟ ବାହାରିବ ।
ତେବେ ପୂର୍ବ ବର୍ଷ ଭଳି ଏକସଙ୍ଗେ ମାଟ୍ରିକ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାଫଳ ପ୍ରକାଶ ପାଇବ। ବୋର୍ଡର ୱେବ ସାଇଟ www.bseodisha.ac.inରେ ପରୀକ୍ଷାର୍ଥୀମାନେ ସେମାନଙ୍କ ରୋଲ ନମ୍ବର ଜରିଆରେ ପରୀକ୍ଷାଫଳ ଦେଖିପାରିବେ । ଚଳିତ ଥର ରାଜ୍ୟର ମୋଟ ୩,୦୮୨ଟି ପରୀକ୍ଷା କେନ୍ଦ୍ରରେ ପ୍ରାୟ ୫ ଲକ୍ଷ ୬୧ ହଜାର ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷା ଦେଇଛନ୍ତି ।
ଅପରପକ୍ଷରେ, ରାଜ୍ୟ ସରକାର ପରୀକ୍ଷାର୍ଥୀମାନଙ୍କୁ ଓଡ଼ିଆରେ ମାଟ୍ରିକ ସାର୍ଟିଫିକେଟ ପ୍ରଦାନ କରିବେ ବୋଲି ଘୋଷଣା କରିବା ପରେ ବୋର୍ଡ ପକ୍ଷରୁ କାର୍ଯ୍ୟାନ୍ବୟନ ଆରମ୍ଭ ହୋଇଥିଲା। ବୋର୍ଡର ପରୀକ୍ଷା ପରିଚାଳନା କମିଟି ବୈଠକରେ ଏନେଇ ଆଲୋଚନା କରାଯାଇଥିଲା। ମାଟ୍ରିକ ସାର୍ଟିଫିକେଟରେ କେବଳ ଓଡ଼ିଆ ଲେଖା ରହିଲେ ଛାତ୍ରୀଛାତ୍ରମାନେ ଭବିଷ୍ୟତରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅସୁବିଧାର ସମ୍ମୁଖୀନ ହେବେ।
ତେଣୁ ଉକ୍ତ ଦିଗକୁ ବିଚାର କରି ସାର୍ଟିଫିକେଟ୍ରେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷା ରଖିବା ନିମନ୍ତେ ସ୍ଥିର ହୋଇଥିବା ଜଣାଯାଇଛି। ଫଳରେ ଚଳିତ ଥର ପ୍ରଥମ ଥର ପାଇଁ ଏଭଳି ସାର୍ଟିଫିକେଟ ପରୀକ୍ଷାର୍ଥୀମାନଙ୍କୁ ମିଳିବ ।

