ଓଡ଼ିଶାରେ ପ୍ରତିଷ୍ଠା ହୋଇପାରେ ଉପଗ୍ରହ ଉତ୍କ୍ଷେପଣ କେନ୍ଦ୍ର । ଏହି ପ୍ରସ୍ତାବ ଉପରେ କେନ୍ଦ୍ର ସରକାରଙ୍କ ସହ ପ୍ରାରମ୍ଭିକ ଆଲୋଚନା ହୋଇଛି । ଡ୍ରୋନ୍ ମାନୁଫାକ୍ଚରିଂ ନେଇ ମଧ୍ୟ ଆଲୋଚନା ହୋଇଛି ଏବଂ ଆଗକୁ ଏନେଇ ପଦକ୍ଷେପ ନିଆଯିବ । ଏହି ପରିପ୍ରେକ୍ଷୀରେ ଇସ୍ରୋ ପ୍ରସ୍ତାବ ଦେଇଛି । ରାଜ୍ୟ କ୍ୟାବିନେଟରେ ଅନୁମୋଦନ ପରେ କାର୍ଯ୍ୟ ଆଗକୁ ବଢିବ । ରାଜ୍ୟରେ ଏକ ବିଜ୍ଞାନ ଭବନ ଏବଂ ଓର୍ସାକ୍ର ନୂତନ କୋଠା ନିର୍ମାଣ ସହ ଜିଆଇଏସ ଲ୍ୟାବ୍ ପ୍ରତିଷ୍ଠା ମଧ୍ୟ କରାଯିବ । ବୈଜ୍ଞାନିକ ଗବେଷଣା ତଥା ଏ ସଂକ୍ରାନ୍ତୀୟ ବିଭିନ୍ନ ପ୍ରକଳ୍ପ ଉପରେ ରାଜ୍ୟ ସରକାର ଯଥେଷ୍ଟ ଧ୍ୟାନ ଦେଉଛନ୍ତି । ଜାତୀୟ ମହାକାଶ ଦିବସ ପାଳନ ଅବସରରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି ।
ଓଡ଼ିଶା ମହାକାଶ ଉପଯୋଗ କେନ୍ଦ୍ରରେ ଆୟୋଜିତ ଜାତୀୟ ମହାକାଶ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି, ଓର୍ସାକ୍ ଦ୍ୱାରା ରାଜ୍ୟରେ ଚାଷଜମିଠାରୁ ଆରମ୍ଭ କରି ଭୂତଳ ଜଳ ଓ ଖଣିଜ ସମ୍ପଦର ଭଣ୍ଡାର ଓ ଏହାର ପରିମାଣ ସମ୍ପର୍କରେ ବିଭିନ୍ନ ତଥ୍ୟ ହାସଲ କରାଯାଇ ପାରୁଛି । ବିଜ୍ଞାନ କାରିଗରୀକୁ ଉପଯୋଗ କରି ସରକାରଙ୍କ ୭ ହଜାର କୋଟି ବଞ୍ଚାଇ ହୋଇଛି । ଚାଷ ନ ହେଉଥିବା ଜମି ମଧ୍ୟ ଚାଷ ଜମି ଦର୍ଶାଇ ପଞ୍ଜୀକୃତ ହେଉଥିଲା । ଏଥିରେ ସାଟେଲାଇଟ୍ ସର୍ଭେ ଦ୍ୱାରା ସରକାରଙ୍କ ଅର୍ଥ ବଞ୍ଚାଯାଇପାରିଛି ବୋଲି ମନ୍ତ୍ରୀ କହିଛନ୍ତି । ଏହାବ୍ୟତୀତ, ରାଜ୍ୟର ଷ୍ଟାର୍ଟଅପ୍ରୁ ଉତ୍ପାଦିତ ଡ୍ରୋନ୍ ଭଳି ବିଭିନ୍ନ ଉପକରଣ ଦେଶର ପ୍ରତିରକ୍ଷା ବ୍ୟବସ୍ଥାରେ ବ୍ୟବହାର ହେଉଛି । ଆମ ବୈଜ୍ଞାନିକମାନେ ଭବିଷ୍ୟତରେ ଏ କ୍ଷେତ୍ରରେ କାର୍ଯ୍ୟ କରି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଦେବେ ବୋଲି ମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

