ସ୍କ୍ରବ୍ ଟାଇଫସ୍ ପାଇଁ ସ୍ୱତନ୍ତ୍ର ଗାଇଡ ଲାଇନ୍

ସୁନ୍ଦରଗଡ଼ ଜିଲ୍ଲାରେ ଦିନକୁ ଦିନ ବଢୁଛି ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ସୁଦ୍ଧା ଜିଲ୍ଲାରେ ୮୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୫ ହଜାର ୬ ଶହ ଲୋକଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଛି । ଆଗାମୀ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢିବ ବୋଲି ଆଶଙ୍କା କରାଯାଉଛି । ଏନେଇ ସ୍ଵାସ୍ଥ୍ୟ ମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ସ୍କ୍ରବ୍ ଟାଇଫସ୍ ପାଇଁ ସ୍ୱତନ୍ତ୍ର ଗାଇଡ ଲାଇନ୍ ହୋଇଛି । ଲୋକମାନେ ଭୟଭୀତ ହୁଅନ୍ତୁ ନାହିଁ । ଏଲିଶା ଟେଷ୍ଟ ନ ହେବା ଯାଏଁ ସ୍କ୍ରବ୍ ଟାଇଫସ କନଫର୍ମ ହୋଇ ନଥାଏ । ଜାନୁଆରୀରୁ ଏଯାଏଁ କୌଣସି କନଫରମେସନ ହୋଇ ନାହିଁ । ସୁନ୍ଦରଗଡ଼ର ଯେଉଁ କେସ୍ ଆସିଛି ତାହା ପୁରୁଣା ହୋଇପାରେ । ଆମେ ତାକୁ ଆଉ ଥରେ ତର୍ଜମା କରିବୁ । ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ୱତନ୍ତ୍ର ଟିମ୍ ସୁନ୍ଦରଗଡ଼ ଓ ପାଲଲହଡା ଯାଇଛନ୍ତି । ଆମେ ସ୍ଥିତି ଉପରେ ନଜର ରଖିଛୁ । ମୁଁ ବ୍ୟକ୍ତିଗତ ଭାବରେ ମଧ୍ୟ ନଜର ରଖିଛି । 
ସେହିପରି ରାୟଗଡ଼ା ଡାଇରିଆ ପ୍ରସଙ୍ଗରେ ସେ କହିଛନ୍ତି ଯେ, ରାୟଗଡ଼ା ଓ ଏହାର ଆଖପାଖ ଜିଲ୍ଲାରେ ଡାଇରିଆ ସମ୍ପର୍କିତ ଖବର ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ସତର୍କ ହୋଇଛି । ଏଥିପାଇଁ ସ୍ୱତନ୍ତ୍ର ଟିମ୍ ମନିଟରିଂ କରୁଛି । ଡାଇରିଆ ଭଳି ସମସ୍ୟାରେ ଦୂଷିତ ପାଣି ଓ ଖାଦ୍ୟ ଏକ ବଡ଼ କାରଣ ହୋଇପାରେ । ତେଣୁ ବିଭାଗ ପକ୍ଷରୁ ଶୁଦ୍ଧ ପାନୀୟ ଜଳ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି । ଆବଶ୍ୟକ ଔଷଧ ଓ ଚିକିତ୍ସା ବ୍ୟବସ୍ଥା ମଧ୍ୟ ପ୍ରସ୍ତୁତ ରଖାଯାଇଛି । କୌଣସି ଅଞ୍ଚଳରେ ଖାଦ୍ୟଜନିତ ସମସ୍ୟାର ସନ୍ଦେହ ହେଲେ ଫୁଡ୍ ସେଫ୍ଟି ବିଭାଗ ପକ୍ଷରୁ ମଧ୍ୟ ଯାଞ୍ଚ କରାଯାଉଛି ।

ସୂଚନା ଥାଉକି, ସ୍କ୍ରବ୍ ଟାଇଫସ୍ ଏକ ପ୍ରକାର ସଂକ୍ରାମକ ରୋଗ । ଚିଗର୍ ନାମକ ଅତି କ୍ଷୁଦ୍ର ମାଇଟ୍ର କାମୁଡ଼ା ଦ୍ୱାରା ଏହାର ସଂକ୍ରମଣ ହୋଇଥାଏ । ବିଲ, ଜଙ୍ଗଲ କିମ୍ବା ଘାସବଣରେ କାମ କରୁଥିବା ଲୋକମାନେ ଏଥିପ୍ରତି ଅଧିକ ସତର୍କ ରହିବା ଆବଶ୍ୟକ । ଜଙ୍ଗଲ କିମ୍ବା ବିଲକୁ ଯିବା ସମୟରେ ପୂରା ଶରୀର ଢାଙ୍କିଥିବା ପୋଷାକ ପିନ୍ଧିବା ସହ ସତର୍କତା ଅବଲମ୍ବନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଜ୍ୱର କିମ୍ବା ଅନ୍ୟ ଲକ୍ଷଣ ଦେଖାଦେଲେ ବିଳମ୍ବ ନକରି ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା କରାଇବାକୁ କୁହାଯାଇଛି । ତେବେ ସୁନ୍ଦରଗଡ଼ ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ସ୍ଥିତି ଉପରେ ନିରନ୍ତର ନଜର ରଖାଯାଉଛି ।

Post Views13 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!