ଗୁଜରାଟରୁ ଇଲିସି ମାଛ ଆମଦାନୀ ଉପରେ କଟକଣା ଲଗାଇଲେ ବାଂଲାଦେଶ ସରକାର। ଆମଦାନୀ ପାଇଁ ପୂର୍ବରୁ ଦିଆଯାଇଥିବା ନୋ ଅବଜେକ୍ସନ ସାର୍ଟିଫିକେଟକୁ ବାଂଲାଦେଶ ସରକାର ରଦ୍ଦ କରି ଦେଇଛନ୍ତି।
ଇଲିସି ମାଛର ବିଶ୍ୱର ସର୍ବବୃହତ ଉତ୍ପାଦକ ଓ ରପ୍ତାନିକାରୀ ଦେଶ ହେଉଛି ବାଂଲାଦେଶ। ଏଠି ବହିଯାଇଥିବା ପଦ୍ମା ନଦୀରୁ ପ୍ରଚୁର ଇଲିସି ପ୍ରଡକ୍ସନ କରିଥାଏ ବାଂଲାଦେଶ।
ହେଲେ ଗତ କିଛିଦିନ ହେବ ଗୁଜରାଟରୁ ଇଲିସି ଆମଦାନୀ କରି ବାଂଲାଦେଶରେ ବିକ୍ରି କରାଯାଉଥିଲା। ସେଠାରେ ଏହାକୁ ପଦ୍ନା ନଦୀର ଇଲିସି ବୋଲି କହି ବିକାଯାଉଥିଲା। ଏହାକୁ ବନ୍ଦ କରିବା ପାଇଁ ଢାକା ହଠାତ୍ ଭାରତରୁ ଇଲିସି ଆମଦାନୀକୁ ବନ୍ଦ କରିଦେଇଥିବା କୁହାଯାଉଛି।
ଅନ୍ୟପଟେ ଦୁର୍ଗାପୂଜା ସମୟରେ ପ୍ରତିବର୍ଷ ବାଂଲାଦେଶ ଭାରତକୁ ଇଲିସି ମାଛର ରପ୍ତାନୀ କରିଥାଏ। କାରଣ ଏହି ସମୟରେ ପଶ୍ଚିମବଙ୍ଗରେ ଇଲିସିର ଚାହିଦା ଅଧିକ ରହିଥାଏ। ହେଲେ ଚଳିତ ବର୍ଷ ଢାକା ପକ୍ଷରୁ ଗୋଟିଏ ବି ରପ୍ତାନୀ କରାଯାଇ ନାହିଁ।

