ବାତ୍ୟା ‘ଅକ୍‌ଭାନ୍’ ସମୟରେ ସୁରକ୍ଷିତ ଓ ନିର୍ଭରଯୋଗ୍ୟ ଆମ ବସ୍ ସେବା ସୁନିଶ୍ଚିତ କରୁଛି କ୍ରୁଟ୍

ଭୁବନେଶ୍ୱର, ୨୦/୧୧: ଜନସାଧାରଣଙ୍କୁ ନିର୍ଭରଯୋଗ୍ୟ ପରିବହନ ସେବା ଯୋଗାଇଦେବା ସହ ଯାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ବାତ୍ୟା ‘ଅକ୍‌ଭାନ୍’ର ମୁକାବିଲା ପାଇଁ କ୍ରୁଟ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବାତ୍ୟା ସମୟରେ ପାଣିପାଗ ଓ ରାସ୍ତାଘାଟର ସ୍ଥିତି ଅନୁକୂଳ ଥିବା ସ୍ଥାନଗୁଡ଼ିକରେ ଆମ ବସ୍ ସେବା ଜାରି ରଖିବାକୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି।

ଯାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଓ ପୁରୀକୁ ବାଦ୍ ଦେଲେ ଅନ୍ୟ ସମସ୍ତ ସହରରେ ଆମ ବସ୍ ସେବା ନିୟମିତ ସମୟସୂଚୀ ଅନୁଯାୟୀ ଜାରି ରହିଛି।

ବାତ୍ୟାର ସମ୍ଭାବ୍ୟ ପ୍ରଭାବ, ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଓ ପୁରୀରେ ଆମ ବସ୍ ସେବାକୁ ସାମୟିକ ଭାବେ ବନ୍ଦ ରଖାଯାଇଛି।

ବାତ୍ୟା ପରବର୍ତ୍ତୀ ସ୍ଥିତିରେ ଜନସାଧାରଣଙ୍କ ଯାତାୟାତ ଏବଂ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବା ପାଇଁ ବ୍ରହ୍ମପୁର ଓ ପୁରୀରେ ଥିବା ଆମ ବସ୍‌ଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରଖାଯାଇଛି।

ପାଣିପାଗର ସ୍ଥିତି ସୁଧୁରିବା ପରେ ଏବଂ ଜିଲ୍ଲା ପ୍ରଶାସନର ଆବଶ୍ୟକତା ଅନୁଯାୟୀ ଏହି ବସ୍‌ଗୁଡ଼ିକୁ ତୁରନ୍ତ ନିୟୋଜିତ କରାଯିବ। ଏଥିସହ ଜନ ପରିବହନ ସେବାର ପୁନଃସ୍ଥାପନ ଓ ଜରୁରୀକାଳୀନ ସହାୟତା କାର୍ଯ୍ୟରେ ମଧ୍ୟ ଏହି ବସ୍‌ଗୁଡ଼ିକ ସହାୟକ ହେବ।

କ୍ୟାପିଟାଲ୍ ରିଜିଅନ୍‌ରେ ଆବଶ୍ୟକ ପରିଚାଳନାଗତ ପରିବର୍ତ୍ତନ ସହ ଆମ ବସ୍ ସେବା ଜାରି ରହିଛି। କେତେକ ସ୍ଥାନରେ ଜଳବନ୍ଦୀ ସମସ୍ୟା ଦେଖାଦେବାର ଆଶଙ୍କା ଥିବାରୁ କିଛି ରୁଟ୍ ବସ୍‌କୁ ସାମୟିକ ଭାବେ ଜାତୀୟ ରାଜପଥ-୧୬ (NH-16) ଦେଇ ପରିଚାଳନା କରାଯାଇପାରେ। ଏହାଦ୍ୱାରା ବସ୍ ଚଳାଚଳକୁ ସୁରକ୍ଷିତ ରଖିବା ସହ ଯାତାୟାତ ସଂଯୋଗ ଜାରି ରଖିବା ସମ୍ଭବ ହେବ।

ଯାତ୍ରୀମାନେ ରୁଟ୍‌ରେ ସାମୟିକ ପରିବର୍ତ୍ତନ କିମ୍ବା ବସ୍‌ରେ ଚଢ଼ିବା ସ୍ଥାନ ସମ୍ପର୍କିତ ସୂଚନା ପାଇଁ ଆମ ବସ୍ ମୋବାଇଲ୍ ଆପ୍ ଏବଂ କ୍ରୁଟ୍‌ ଅଧିକୃତ ସାମାଜିକ ଗଣମାଧ୍ୟମ ପୃଷ୍ଠାଗୁଡ଼ିକ ଉପରେ ନଜର ରଖିବାକୁ ଅନୁରୋଧ।

ବାତ୍ୟାର ସ୍ଥିତି ଓ ପାଣିପାଗରେ ହେଉଥିବା ପରିବର୍ତ୍ତନ ଉପରେ କ୍ରୁଟ୍‌ର କେନ୍ଦ୍ରୀୟ ପରିଚାଳନା ଟିମ୍ ପକ୍ଷରୁ ୨୪ ଘଣ୍ଟିଆ ନଜର ରଖାଯାଇଛି। ଡିପୋ ଟିମ୍, କ୍ଷେତ୍ରୀୟ ସୁପରଭାଇଜର, କ୍ୟାପ୍ଟେନ୍ ଓ ଗାଇଡ୍‌ମାନଙ୍କୁ ସତର୍କ ରଖାଯାଇଛି। ଏଥିସହ ନିମ୍ନଲିଖିତ ବିଷୟଗୁଡ଼ିକ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଉଛି।

ପ୍ରତିକୂଳ ପାଣିପାଗରେ ସୁରକ୍ଷିତ ଗାଡ଼ି ଚାଳନା।ରାସ୍ତାଘାଟର ସ୍ଥିତି ଏବଂ ଜଳବନ୍ଦୀ ଆଶଙ୍କା ଥିବା ସ୍ଥାନଗୁଡ଼ିକ ଉପରେ ନିରନ୍ତର ନଜର।
ଯାତ୍ରୀମାନଙ୍କୁ ଆବଶ୍ୟକ ସହାୟତା ଏବଂ ଯାତ୍ରା ସମ୍ପର୍କିତ ସୂଚନା ପ୍ରଦାନ।

ଜିଲ୍ଲା ପ୍ରଶାସନ ଓ ଜରୁରୀକାଳୀନ ସେବା ସଂସ୍ଥାଗୁଡ଼ିକ ସହ ସମନ୍ୱୟ ରକ୍ଷା।ପାଣିପାଗ ଅନୁକୂଳ ହେବା ମାତ୍ରେ ବସ୍ ସେବାର ତ୍ୱରିତ ପୁନଃସ୍ଥାପନ।

ସୁରକ୍ଷିତ ଭାବେ ବସ୍ ଚଳାଚଳ କରିବା ସମ୍ଭବ ଥିବା ସ୍ଥାନଗୁଡ଼ିକରେ ଜନସାଧାରଣଙ୍କ ପାଇଁ ଅତ୍ୟାବଶ୍ୟକ ପରିବହନ ସେବା ଜାରି ରଖିବା ସହ ଜରୁରୀକାଳୀନ ପରିସ୍ଥିତିରେ ଲୋକଙ୍କୁ ସହାୟତା କରିବା ପାଇଁ ନିଜର ବସ୍ ଓ କର୍ମଚାରୀମାନଙ୍କୁ ପ୍ରସ୍ତୁତ ରଖିଛି କ୍ରୁଟ୍।

ଯାତ୍ରୀମାନେ ନିଜ ଯାତ୍ରା ପୂର୍ବରୁ ଯୋଜନା କରିବା ସହ ଅଧିକାରିକ ସୂଚନା ଉପରେ ନଜର ରଖିବା ଏବଂ କ୍ଷେତ୍ରରେ ନିୟୋଜିତ କର୍ମଚାରୀମାନଙ୍କୁ ସହଯୋଗ କରିବାକୁ ଅନୁରୋଧ। ପାଣିପାଗର ସ୍ଥିତି ଅନୁଯାୟୀ ବସ୍ ଚଳାଚଳରେ ଆଗକୁ କୌଣସି ପରିବର୍ତ୍ତନ ହେଲେ ତୁରନ୍ତ ଏ ସମ୍ପର୍କରେ ସୂଚନା ଦିଆଯିବ।

ବାତ୍ୟା ‘ଅକ୍‌ଭାନ୍’ର ମୁକାବିଲା ପାଇଁ ଓଡ଼ିଶା ପ୍ରସ୍ତୁତ ହେଉଥିବାବେଳେ, ସୁରକ୍ଷା, ପ୍ରସ୍ତୁତି ଓ ଦୃଢ଼ତାର ସହ ଜନସାଧାରଣଙ୍କ ସେବାରେ ନିୟୋଜିତ ରହିବାକୁ କ୍ରୁଟ୍ ପ୍ରତିଶ୍ରୁତିବଦ୍ଧ।

ବାତ୍ୟା ପୂର୍ବରୁ, ବାତ୍ୟା ସମୟରେ ଏବଂ ବାତ୍ୟା ପରେ ମଧ୍ୟ ସୁରକ୍ଷିତ ଭାବେ ଯାତାୟାତ ସେବା ଯୋଗାଇଦେବା ସହ ଆବଶ୍ୟକ ସମୟରେ ଜନସାଧାରଣଙ୍କ ପାଖରେ ଠିଆ ହେବାକୁ କ୍ରୁଟ୍ ସର୍ବଦା ପ୍ରସ୍ତୁତ।

Post Views68 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!