୨୦୨୬ ନୋବେଲ ମେଡିସିନ ପୁରସ୍କାର ଘୋଷଣା । ଅପ୍ଟୋଜେନେଟିକ୍ସ ପାଇଁ ୩ ବୈଜ୍ଞାନିକଙ୍କୁ ନୋବେଲ୍ ପୁରସ୍କାର ମିଳିବ । ବୈଜ୍ଞାନିକ ପିଟର ହେଗେମାନ୍, ଜର୍ଜ ନାଗେଲ୍ ଏବଂ କାର୍ଲ ଡିସେରୋଥ ଏହି ସମ୍ମାନ ପାଇବେ । ପିଟର ହେଗେମାନ୍ ଓ ଜର୍ଜ ନାଗେଲ୍ ଜର୍ମାନୀର ହୋଇଥିବା ବେଳେ କାର୍ଲ ଡିସେରୋଥ ଆମେରିକାର ବୈଜ୍ଞାନିକ ।
ଅପ୍ଟୋଜେନେଟିକ୍ସ ପ୍ରଯୁକ୍ତି ମାଧ୍ୟମରେ ବୈଜ୍ଞାନିକମାନେ ଆଲୋକର ସାହାଯ୍ୟରେ ମସ୍ତିଷ୍କର ତନ୍ତୁକୋଷ ବା ନ୍ୟୁରନ୍ ଗୁଡ଼ିକୁ ନିୟନ୍ତ୍ରଣ କରିପାରନ୍ତି । ଏହି ପ୍ରଯୁକ୍ତି ମସ୍ତିଷ୍କର କାର୍ଯ୍ୟପ୍ରଣାଳୀ ଏବଂ ନ୍ୟୁରନ୍ ଗୁଡ଼ିକ କିପରି ପରସ୍ପର ସହ ଯୋଗାଯୋଗ କରନ୍ତି, ତାହା ବୁଝିବାରେ ବୈଜ୍ଞାନିକଙ୍କୁ ସହାୟତା କରୁଛି। ବିଶେଷକରି ସ୍ମୃତି, ଭାବନା ଓ ମାନବୀୟ ବ୍ୟବହାର ଭଳି ଜଟିଳ ପ୍ରକ୍ରିୟାରେ ମସ୍ତିଷ୍କର ଭୂମିକା ବୁଝିବା ପାଇଁ ଏହି ପ୍ରଯୁକ୍ତିର ଗୁରୁତ୍ୱ ରହିଛି । ଅପ୍ଟୋଜେନେଟିକ୍ସ ମାଧ୍ୟମରେ ନିର୍ଦ୍ଦିଷ୍ଟ ନ୍ୟୁରନ୍ କୁ ଆଲୋକ ଦ୍ୱାରା ସକ୍ରିୟ କିମ୍ବା ନିଷ୍କ୍ରିୟ କରି ମସ୍ତିଷ୍କର ବିଭିନ୍ନ କାର୍ଯ୍ୟକୁ ଅଧ୍ୟୟନ କରାଯାଇପାରେ। ମସ୍ତିଷ୍କ ବିଜ୍ଞାନ ଓ ନ୍ୟୁରୋସାଇନ୍ସ କ୍ଷେତ୍ରରେ ଏହି ଗବେଷଣାକୁ ଏକ ବଡ଼ ସଫଳତା ଭାବେ ବିବେଚନା କରାଯାଉଛି ।
ଅପ୍ଟୋଜେନେଟିକ୍ସ ହେଉଛି ଏକ ଅତ୍ୟାଧୁନିକ ପ୍ରଯୁକ୍ତି, ଯାହାଦ୍ବାରା ଆଲୋକ ବ୍ୟବହାର କରି ଜୀବନ୍ତ ମସ୍ତିଷ୍କର ନ୍ୟୁରନ୍ କୋଷକୁ ଚାଲୁ କିମ୍ବା ବନ୍ଦ କରାଯାଇପାରେ। ପୂର୍ବରୁ ବୈଜ୍ଞାନିକମାନେ ମସ୍ତିଷ୍କର ବିଭିନ୍ନ ଅଂଶ କିପରି କାମ କରେ ତାହା ଅଧ୍ୟୟନ କରୁଥିଲେ । କିନ୍ତୁ କୌଣସି ନିର୍ଦ୍ଦିଷ୍ଟ ନ୍ୟୁରାଲ୍ ସର୍କିଟ୍ର କାରଣରୁ ନିର୍ଦ୍ଦିଷ୍ଟ ସ୍ମୃତି, ଭାବନା କିମ୍ବା ବ୍ୟବହାର ସୃଷ୍ଟି ହେଉଛି କି ନାହିଁ, ତାହା ସିଧାସଳଖ ପ୍ରମାଣ କରିବା କଷ୍ଟକର ଥିଲା। ଏବେ ଅପ୍ଟୋଜେନେଟିକ୍ସ ମାଧ୍ୟମରେ ଏକ ନିର୍ଦ୍ଦିଷ୍ଟ ନ୍ୟୁରାଲ୍ ସର୍କିଟ୍କୁ ଆଲୋକ ଦ୍ୱାରା ସକ୍ରିୟ କରି ତାହାର ପ୍ରଭାବ ଅଧ୍ୟୟନ କରାଯାଇପାରୁଛି । ଏହା ଫଳରେ ମସ୍ତିଷ୍କର କାର୍ଯ୍ୟକୁ ପୂର୍ବ ଅପେକ୍ଷା ଅଧିକ ସଠିକ୍ ଭାବେ ମ୍ୟାପିଂ କରିବା ସମ୍ଭବ ହୋଇଛି।
ଏହି ଅଦ୍ଭୁତ ଆବିଷ୍କାରର କାହାଣୀ ଏକ ଛୋଟ ଏକକୋଷୀ ଶୈବାଳରୁ ଆରମ୍ଭ ହୋଇଥିଲା । ପିଟର ହେଗେମାନ୍ ଜାଣିବାକୁ ଚାହୁଁଥିଲେ ଯେ କ୍ଲାମିଡୋମୋନାସ୍ ନାମକ ଏକକୋଷୀ ଶୈବାଳ ଆଲୋକ ଆଡ଼କୁ କିପରି ଗତି କରେ। ୨୦୦୦ ମସିହାର ଆରମ୍ଭରେ ସେ ଜର୍ଜ ନାଗେଲଙ୍କ ସହ ମିଶି ଚ୍ୟାନେଲରୋଡୋପ୍ସିନ୍ ନାମକ ଏକ ବିଶେଷ ପ୍ରୋଟିନ୍ ଆବିଷ୍କାର କରିଥିଲେ। ଏହି ପ୍ରୋଟିନ୍ ଶୈବାଳ କୋଷର ପୃଷ୍ଠରେ ରହିଥାଏ । ଏହା ଉପରେ ନୀଳ ଆଲୋକ ପଡ଼ିଲେ ଏକ ଚ୍ୟାନେଲ୍ ଖୋଲିଯାଏ । ଫଳରେ ଆୟନ୍ କୋଷ ଭିତରକୁ ପ୍ରବେଶ କରି ଏକ ବୈଦ୍ୟୁତିକ ସଙ୍କେତ ସୃଷ୍ଟି କରେ ।
ଏଥିରେ ବୈଜ୍ଞାନିକମାନେ ଜାଣିପାରିଲେ ଯେ ଏହି ପ୍ରୋଟିନ୍କୁ ଅନ୍ୟ କୌଣସି କୋଷରେ ପ୍ରବେଶ କରାଇଲେ, ସେହି କୋଷ ମଧ୍ୟ ଆଲୋକ ପ୍ରତି ସମ୍ବେଦନଶୀଳ ହୋଇଯାଏ । ଏହା ଏକ ଏଭଳି ଜୈବିକ ସ୍ୱିଚ୍ ଥିଲା, ଯାହାକୁ ଆଲୋକ ମାଧ୍ୟମରେ ନିୟନ୍ତ୍ରଣ କରାଯାଇପାରୁଥିଲା।
ତେବେ ବୈଜ୍ଞାନିକ କାର୍ଲ ଡିସେରୋଥ ଏହି ଆବିଷ୍କାରକୁ ଆହୁରି ଆଗକୁ ନେଇଥିଲେ । ସେ ଚ୍ୟାନେଲରୋଡୋପ୍ସିନ୍ର ଜିନ୍କୁ ମୂଷାର ନ୍ୟୁରନ୍ କୋଷରେ ପ୍ରବେଶ କରାଇଥିଲେ। ଏହି କୋଷ ଉପରେ ନୀଳ ଆଲୋକ ପକାଇବା ପରେ ନ୍ୟୁରାଲ୍ ସିଗ୍ନାଲ୍ ସୃଷ୍ଟି ହୋଇଥିଲା । ଏହି ସଫଳତା ୨୦୦୫ ମସିହାରେ ପ୍ରକାଶିତ ହୋଇଥିଲା । ଦୁଇ ବର୍ଷ ପରେ, ଏହି ପ୍ରଯୁକ୍ତିକୁ ଜୀବନ୍ତ ମୂଷାର ମସ୍ତିଷ୍କରେ ମଧ୍ୟ ପ୍ରୟୋଗ କରିବା ସମ୍ଭବ ହୋଇଥିଲା। ଏହିଭଳି ଭାବେ ଆଲୋକ ଦ୍ୱାରା ନ୍ୟୁରାଲ୍ ସିଗ୍ନାଲ୍କୁ ନିୟନ୍ତ୍ରଣ କରିବାର ପ୍ରଣାଳୀକୁ ଅପ୍ଟୋଜେନେଟିକ୍ସ ନାମ ଦିଆଯାଇଥିଲା।

