୨୬ରେ ବାତ୍ୟା , ଆଜି ଅବପାତ

ବଙ୍ଗୋପସାଗରରେ ଆସୁଛି ବାତ୍ୟା। ବିଦେଶୀ ମଡେଲ୍‌ ଓ ପାଣିପାଗ ବିଶେଷଜ୍ଞଙ୍କ ଆକଳନ ସହ ଆଜି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଏକମତ ହୋଇଛି। ବିଭାଗ ସ୍ପଷ୍ଟ କରିଛି ଯେ ପୂର୍ବ-କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଅଧିକ ଘନୀଭୂତ ହୋଇ ୨୪ ତାରିଖ (ଶନିବାର) ଅବପାତ ଓ ୨୫ ତାରିଖରେ ଗଭୀର ଅବପାତରେ ପରିଣତ ହେବ। ଏହାପରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ୨୬ ତାରିଖ ସକାଳେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହେବ। ପରବର୍ତ୍ତୀ ଦୁଇ ଦିନ ଅର୍ଥାତ ୨୭ ଓ ୨୮ ତାରିଖରେ ଅଧିକ ଘନୀଭୂତ ହେବା ସହ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ବାତ୍ୟା ରୂପ ନେଲେ ଏହାର ନାମ ‘ଅର୍ଣ୍ଣବ’ ରହିବ ବୋଲି ଜଣାପଡ଼ିଛି।

ଶ୍ରୀ ମହାପାତ୍ର ଆହୁରି କହିଛନ୍ତି ଯେ ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ବଢ଼ିବ। ଏବେ ପୂର୍ବ-କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ପବନର ଘଣ୍ଟାପ୍ରତି ବେଗ ୩୫ରୁ ୪୫ କିଲୋମିଟର (କିମି) ରହିଛି। ଶନିବାର ସନ୍ଧ୍ୟା ସୁଦ୍ଧା ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫ କିମି ଓ ଝଟକା ପବନର ବେଗ ୬୫ କିମି ଏବଂ ୨୫ ତାରିଖ ସନ୍ଧ୍ୟା ସୁଦ୍ଧା ପୂର୍ବ-କେନ୍ଦ୍ରୀୟ, ପଶ୍ଚିମ-କେନ୍ଦ୍ରୀୟ ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିମି ଏବଂ ଝଟକା ପବନର ବେଗ ୭୦ କିମି ରହିପାରେ। ଅକ୍ଟୋବର ୨୬ରେ ବାତ୍ୟା ହେବା ବେଳକୁ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପବନର ବେଗ ଘଣ୍ଟାପ୍ରତି ୭୦ରୁ ୮୦ କିମି ଓ ଝଟକା ପବନର ବେଗ ୯୦ କିଲୋମିଟର ଛୁଇଁପାରେ। ୨୭ ତାରିଖ ବେଳକୁ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳରେ ଘଣ୍ଟାପ୍ରତି ୪୦ରୁ ୫୦ କିମି ଓ ଝଟକା ପବନର ବେଗ ୬୦ କିମି ଛୁଇଁପାରେ। ୨୮ ତାରିଖ ପର୍ଯ୍ୟନ୍ତ ପବନର ତୀବ୍ରତା ବୃଦ୍ଧି ପାଇବାର ଆଶଙ୍କା ରହିଛି। ୨୪ ତାରିଖଠାରୁ କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହିବ। ୨୬ ତାରିଖ ସକାଳଠାରୁ ୨୮ ତାରିଖ ମଧ୍ୟରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଉଚ୍ଚ ଜୁଆର ଏବଂ ବଡ଼ ଢେଉ ସୃଷ୍ଟି ହେବାର ଆଶଙ୍କା ରହିଛି। ୨୭ ଓ ୨୮ ତାରିଖରେ ଆନ୍ଧ୍ର-ଓଡ଼ିଶା ଉପକୂଳରେ ଉଚ୍ଚ ଜୁଆର ଆସିବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ତେଣୁ ଯେଉଁ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରେ ରହିଛନ୍ତି ସେମାନେ ଶନିବାର ସନ୍ଧ୍ୟା ସୁଦ୍ଧା ଫେରି ଆସିବାକୁ ପରାମର୍ଶ ଦିଆଯାଇଛି।
ଆସନ୍ତା ୨୬ ତାରିଖଠାରୁ ଉତ୍ତର ଆନ୍ଧ୍ରପ୍ରଦେଣ, ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ହାଲୁକାରୁ ମଧ୍ୟମଧରଣର ବର୍ଷା ଆରମ୍ଭ ହେବ। ଧୀରେ ଧୀରେ ବର୍ଷାର ପ୍ରକୋପ ବଢ଼ିବ। ୨୭ ତାରିଖରୁ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୮ ଓ ୨୯ ତାରିଖରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ। ସମ୍ଭାବ୍ୟ ବାତ୍ୟାକୁ ନଜର‌ରେ ରଖି ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଅର୍ଦ୍ଧାଧିକ ଜିଲ୍ଲା ପାଇଁ ରେଡ୍‌ ଓ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ୨୭ ତାରିଖରେ ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ‌ରେଡ୍‌ ଏବଂ ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ଖୋର୍ଦ୍ଧା, କନ୍ଧମାଳ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକ, ଢେଙ୍କାନାଳ, ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଦିଆଯାଇଛି। ୨୮ ତାରିଖରେ ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ଦକ୍ଷିଣ ଓଡ଼ିଶାରେ ଅଧିକ ପ୍ରଭାବ ପକାଇବ। ‌ତେଣୁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଏବଂ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ସମସ୍ତ ଜିଲ୍ଲା ପାଇଁ ଅ‌ରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ୨୯ ତାରିଖରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି।
ଆଇଏମ୍‌ଡି ଆକଳନରୁ ଜଣାପଡ଼ୁଛି ଯେ ବାତ୍ୟା ବିଶାଖାପାଟଣା ପାଖାପାଖି ଅଞ୍ଚଳରେ ସ୍ଥଳଭାଗ ଛୁଇଁବ। ତେବେ ଏହାର ପ୍ରଭାବ ଦକ୍ଷିଣ ଓଡ଼ିଶା ଉପରେ ପଡ଼ିବ। ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ରହିଛି। ସ୍ଥଳଭାଗରେ ପହଞ୍ଚିଲା ବେଳକୁ ପବନର ବେଗ କେତେ ଥିବ ସେ ନେଇ ଆଇଏମ୍‌ଡି ଆକଳନ କରି ନ ଥିଲେ ମଧ୍ୟ ଘଣ୍ଟାପ୍ରତି ୧୨୦ କିମି ବେଗରେ ପବନ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ପ୍ରାଥମିକ ଆକଳନରୁ ଜଣାପଡ଼ୁଛି ୨୬ରୁ ୨୮ ତାରିଖ ମଧ୍ୟରେ ସାମୁଦ୍ରିକ ଓ ବାୟୁମଣ୍ଡଳ ସ୍ଥିତି ବାତ୍ୟା ପାଇଁ ଅନୁକୂଳ ରହିଛି। ବାତ୍ୟା ହେବା ପରେ ତିନି ଦିନ ସମୁଦ୍ରରେ ରହିଥିବାରୁ ଅଧିକ ବଳ ଗୋଟାଇବ। ଅତି ଭୀଷଣ ବାତ୍ୟା ରୂପ ନେଇପା‌ରେ ଏବଂ ପବନର ବେଗ ଘଣ୍ଟାପ୍ରତି ୧୨୦ କିମି ଛୁଇଁବ। ଝଟକା ପବନ ୧୪୦ କିମି ରହିପା‌ରେ। ବାତ୍ୟା ୨୮ ତାରିଖରେ ବିଶାଖାପାଟଣାରୁ ଚିଲିକା ମଧ୍ୟରେ ସ୍ଥଳଭାଗ ଛୁଇଁପାରେ। ଅଧିକ ସ୍ପଷ୍ଟ ଭାବେ କହିଲେ କଳିଙ୍ଗପାଟଣାରୁ ଗୋପାଳପୁର ମଧ୍ୟରେ ସମ୍ଭାବନା ଅଧିକ ରହିଛି। ଆନ୍ଧ୍ର ଉପକୂଳ ଛୁଇଁଲେ ମଧ୍ୟ ଓଡ଼ିଶାରେ ପ୍ରଭାବ ରହିବ। ଏହା ବର୍ତ୍ତମାନ ସମୟର ଆକଳନ। ଅବପାତ ହେବା ପରେ ପବନର ବେଗ କେତେ ଓ ଗତିପଥ ନେଇ ଅଧିକ ସ୍ପଷ୍ଟ କରି ହେବ। କେନ୍ଦ୍ରୀୟ ଉପକୂଳ ପାରାଦୀପ ଉତ୍ତରକୁ ରହିଥିବା ଗୁରୁଚାପ ବଳୟ (ଏସ୍‌ଟିଆର) ଯଦି ଅଧିକ ସଶକ୍ତ ହୁଏ ତେବେ ବାତ୍ୟାକୁ ଦକ୍ଷିଣ ଆଡ଼କୁ ଠେଲିବ, ଫଳରେ କାକିନଡ଼ା ଆଡ଼କୁ ମୁହାଁଇପାରେ ବୋଲି ସେ କହିଛନ୍ତି।

Post Views9 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!