ରାଜ୍ୟରେ ସବ୍-ନ୍ୟାସନାଲ୍ ଇମ୍ୟୁନାଇଜେସନ୍ ଡେ ଅଭିଯାନ ଆରମ୍ଭ

ଓଡ଼ିଶାର ୧୭ଟି ଜିଲ୍ଲାରେ ସବ୍-ନ୍ୟାସନାଲ୍ ଇମ୍ୟୁନାଇଜେସନ୍ ଡେ (SNID) ଅନ୍ତର୍ଗତ ଦ୍ୱିତୀୟ ପର୍ଯ୍ୟାୟ ସଙ୍ଘନ ପୋଲିଓ ପ୍ରତିଷେଧକ ଟିକାକରଣ ଅଭିଯାନ (IPPI) ଆରମ୍ଭ ହୋଇଛି । ଏହା ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଭୁବନେଶ୍ୱରସ୍ଥିତ ଆଇଆରସି ଭିଲେଜ୍ର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (UPHC) ଠାରେ ଛୋଟ ପିଲାଙ୍କୁ ନିଜେ ପୋଲିଓ ଖୁଆଇ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଅନୁଗୋଳ, ବାଲେଶ୍ୱର, ଭଦ୍ରକ, ବୌଦ୍ଧ, କଟକ, ଗଜପତି, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, କେନ୍ଦୁଝର, ଖୋର୍ଦ୍ଧା, ମାଲକାନଗିରି, ମୟୂରଭଞ୍ଜ, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଏହି ଅଭିଯାନ କାର୍ଯ୍ୟକାରୀ ହେବ । ୨୬ ଲକ୍ଷରୁ ଅଧିକ ଶିଶୁଙ୍କୁ ପୋଲିଓ ଟିକା ପ୍ରଦାନ କରିବାର ଲକ୍ଷ୍ୟ ରହିଛି ।
“୨୦୧୪ରୁ ଭାରତ ପୋଲିଓମୁକ୍ତ ରହିଥିବାବେଳେ ଓଡ଼ିଶା ୨୦୦୮ ମସିହାରୁ ପୋଲିଓମୁକ୍ତ ସ୍ଥିତି ବଜାୟ ରଖିଛି । ତେବେ ବିଶ୍ୱରୁ ପୋଲିଓ ସମ୍ପୂର୍ଣ୍ଣ ନିର୍ମୂଳ ନହେବା ପର୍ଯ୍ୟନ୍ତ ଶିଶୁମାନଙ୍କ ମଧ୍ୟରେ ଉଚ୍ଚ ପ୍ରତିରୋଧକ କ୍ଷମତା ବଜାୟ ରଖିବା ଅତ୍ୟନ୍ତ ଜରୁରୀ । କୌଣସି ଶିଶୁ ଯେପରି ଟିକାକରଣରୁ ବଞ୍ଚିତ ନହୁଏ, କୌଣସି ଅଞ୍ଚଳ ଯେପରି ଅଣଦେଖା ନହୁଏ ଏବଂ ଟିକାକରଣର କୌଣସି ସୁଯୋଗ ଯେପରି ହାତଛଡ଼ା ନହୁଏ, ସେଥିପାଇଁ ସମସ୍ତେ ମିଳିତ ଭାବେ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରିବା। ପ୍ରତ୍ୟେକ ଶିଶୁର ସୁରକ୍ଷା ସୁନିଶ୍ଚିତ କରିବା ସହ ଓଡ଼ିଶାକୁ ପୋଲିଓମୁକ୍ତ ରଖିବା ଆମ ସମସ୍ତଙ୍କ ସାମୂହିକ ଦାୟିତ୍ୱ” ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ଚଳିତ ବର୍ଷ ଜୁନ୍ ମାସରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ପୋଲିଓ ଟିକାକରଣରେ ଓଡ଼ିଶାରେ ପାଞ୍ଚ ବର୍ଷରୁ କମ୍ ବୟସର ପ୍ରାୟ ୩୭.୪୮ ଲକ୍ଷ ଶିଶୁଙ୍କୁ ଟିକା ପ୍ରଦାନ କରାଯାଇଥିଲା।
ଅଭିଯାନର ସଫଳ ରୂପାୟନ ପାଇଁ ୧୭ଟି ଜିଲ୍ଲାରେ ୧୨,୯୦୮ଟି ଟିକାକରଣ ବୁଥ୍ ସ୍ଥାପନ କରାଯାଇଛି। ରେଳ ଷ୍ଟେସନ୍, ବସ୍ ଷ୍ଟାଣ୍ଡ ଓ ପ୍ରମୁଖ ଯାତାୟାତ ସ୍ଥଳରେ ଶିଶୁମାନଙ୍କୁ ଟିକା ଦେବା ପାଇଁ ୭୩୯ଟି ଟ୍ରାଞ୍ଜିଟ୍ ଟିମ୍ ନିୟୋଜିତ ହେବା ସହ ଦୁର୍ଗମ ଅଞ୍ଚଳ, ନିର୍ମାଣସ୍ଥଳୀ, ଇଟାଭାଟି ଏବଂ ଅନ୍ୟାନ୍ୟ ଅପହଞ୍ଚ ଅଞ୍ଚଳରେ ଟିକାକରଣ ପାଇଁ ୪୦୦ଟି ମୋବାଇଲ୍ ଟିମ୍ କାର୍ଯ୍ୟ କରିବେ। ପ୍ରଥମ ଦିନ ବୁଥ୍ରେ ଟିକାକରଣ ଏବଂ ଦ୍ୱିତୀୟ ଓ ତୃତୀୟ ଦିନ ଘରକୁ ଘର ବୁଲି ଟିକାକରଣ କାର୍ଯ୍ୟର ତଦାରଖ ପାଇଁ ୨,୦୦୦ ଜଣ ସୁପରଭାଇଜର ନିୟୋଜିତ ହେବେ।ଏହାସହିତ କଟକର ପ୍ରସିଦ୍ଧ ବାଲିଯାତ୍ରା ପଡ଼ିଆରେ ସ୍ୱତନ୍ତ୍ର ପୋଲିଓ ଟିକାକରଣ କିଓସ୍କ ସ୍ଥାପନ କରାଯାଇଛି । ଯାତ୍ରାକୁ ଆସୁଥିବା କିମ୍ବା ଯାତ୍ରା ସମୟରେ ଯାତାୟାତ କରୁଥିବା କୌଣସି ଶିଶୁ ଯେପରି ଟିକାକରଣରୁ ବଞ୍ଚିତ ନହୁଏ, ସେଥିପାଇଁ ଏହି ବ୍ୟବସ୍ଥା କରାଯାଇଛି।
ଏହି ଅଭିଯାନ ଅବସରରେ ସ୍ଵାସ୍ଥ୍ୟ ବିଭାଗର ଶାସନ ସଚିବ ତଥା କମିଶନର ଏସ୍. ଏନ୍. ଗିରୀଶ, ଜାତୀୟ ସ୍ଵାସ୍ଥ୍ୟ ମିଶନ ଏମ୍ ଡ଼ି ଡ଼. ପରାଗ ଗଭାଲି, ସ୍ୱତନ୍ତ୍ର ସଚିବ (ଚିକିତ୍ସା ସେବା) ଡ଼. ବିଜୟ ମିଶ୍ର ,ପରିବାର କଲ୍ୟାଣ ନିର୍ଦ୍ଦେଶକ ଡ଼. ବିଷ୍ଣୁ ପ୍ରସାଦ ମହାପାତ୍ର, ଡ଼ ତାପସ କୁମାର ପାତ୍ର ଉପସ୍ଥିତ ଥିଲେ ।

Post Views21 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!