ବିଜେଡି-ବିଜେପି: ରାଜ୍ୟରେ ଯୁଦ୍ଧ କେନ୍ଦ୍ରରେ ପ୍ରେମ

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳ ବିରୋଧରେ ଲଢେ଼ଇ ଜୋରଦାର କରିବାକୁ ବିଜେପି ଅଣ୍ଟା ଭିଡ଼ି ସାରିଛି ବୋଲି ବିଜେପି ନେତାମାନେ କହୁଛନ୍ତି । ରାଜ୍ୟ ବିଜେପିର ନୂଆ ସଭାପତି ମନମୋହନ ସାମଲ ପାଦେ ଆଗକୁ ଯାଇ କହିଛନ୍ତି ଯେ, ୨୦୨୪ରେ ନବୀନ ପଟ୍ଟନାୟକଙ୍କୁ ପରାସ୍ତ କରି ତାଙ୍କ ଦଳ କୁଆଡେ ସରକାର ଗଢିବ । ନିର୍ବାଚନ ଫଳାଫଳ କଣ ହେବ ଆମେ ଜାଣି ନାହୁଁ, ହେଲେ ରାଜ୍ୟ ବିଜେପିର ବାସ୍ତବ ସ୍ଥିତିକୁ ଦେଖି ଯାହା ଜଣା ପଡୁଛି, ଏମାନେ ଯୁଦ୍ଧକୁ ଯିବା ଆଗରୁ ଅସ୍ତ୍ର ତ୍ୟାଗ କରି ସାରିଛନ୍ତି । କିଛି ଦିନ ଆଗରୁ ରାସ୍ତାରେ ବିଜେପି କର୍ମୀ ମାନେ ବିଜେଡି ଓ ନବୀନ ସରକାର ବିରୋଧରେ ପ୍ରବଳ ହୋ ହାଲ୍ଲା କରୁଥିବା ବେଳେ, ହଠାତ୍ ବିଜେପି ସଭାପତିଙ୍କୁ ବଦଳାଇ ଦିଆଗଲା ।

ବିଧାନସଭା ବଜେଟ୍ ଅଧିବେଶନର ପ୍ରଥମ କିଛି ଦିନ ବିଜେପି ବେଶ ଗରମାଗରମ ଆଭିମୁଖ୍ୟ ଦେଖାଇବା ପରେ, ଶେଷବେଳକୁ ବିଜେପି ବିଧାୟକମାନେ ଶାନ୍ତ ଶିଷ୍ଟ ଭାବରେ ବିଧାନସଭା ଭିତରେ ହାତ ଚାପି ବସି ରହିଥିଲେ ।

ଅନ୍ୟ ଏକ ଘଟଣାକ୍ରମରେ ଗତ ମାସରେ ଗୃହ ମନ୍ତ୍ରୀ ଅମିତ ଶାହାଂକ ଓଡ଼ିଶା ଗସ୍ତ ଶେଷ ମୁହୂର୍ତ୍ତରେ ବାତିଲ ହୋଇଥିଲା । ଅମିତ ଶାହାଙ୍କ ଗସ୍ତ ବାତିଲ ହେବା ଏବଂ ତା ପରେ ପରେ ରାହୁଲ ଗାନ୍ଧୀ ପ୍ରସଙ୍ଗରେ ବିଜେଡି ଚୁପ୍ ହୋଇ ବସିବାର ଏକ ଅଦୃଶ୍ୟ ଯୋଗସୂତ୍ର ଅବଶ୍ୟ ରହିଛି । ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟ ପଦରୁ ବରଖାସ୍ତ କରିବାକୁ ସବୁ ବିରୋଧୀ ଦଳ ଅତ୍ୟନ୍ତ କଡ଼ା ଭାଷାରେ ସମାଲୋଚନା କରିଥିବା ବେଳେ ବିଜେଡ଼ି ଏ ପ୍ରସଙ୍ଗରେ ନୀରବତା ଅବଲମ୍ବନ କରୁଛି ।
ଆଦାନୀ ପ୍ରସଙ୍ଗରେ ମଧ୍ୟ ବିଜେଡିର କୌଣସି ପ୍ରତିକ୍ରିୟା ନାହିଁ । ସବୁ ଜାତୀୟ ପ୍ରସଙ୍ଗରେ ବିଜେପି ଓ ବିଜେଡ଼ି ହାତ ଧରାଧରି ହୋଇ ଚାଲିଛନ୍ତି ।

ଅନ୍ତତଃ ଜାତୀୟ ରାଜନୀତିରେ ବିଜେଡି ଓ ବିଜେପିର ଆଧାର ଏକ । କେବଳ ରାଜ୍ୟରେ ନାମକୁ ମାତ୍ର ବିରୋଧ କରିବା ଛଡା ବିଜେପି ନବୀନଙ୍କ ବିରୋଧରେ ଅଧିକ ଅଗ୍ରସର ହୋଇ ପାରିବ ନାହିଁ ।
ରାହୁଲ ଗାନ୍ଧୀଙ୍କୁ ସାଂସଦ ପଦରୁ ବରଖାସ୍ତ କରିବା ପରେ ସବୁ ବିରୋଧୀ ଦଳ ଏହାର ତୀବ୍ର ନିନ୍ଦା କରିଛନ୍ତି । କେବଳ ବିଜେପିର ଦୁଇ ପରୋକ୍ଷ ସହଯୋଗୀ ଭାବରେ ନବୀନ ପଟ୍ଟନାୟକ ଓ ଜଗନ୍ ରେଡ୍ଡୀ ଏ ପ୍ରସଙ୍ଗରେ ଚୁପ୍ ରହିଛନ୍ତି ।
ଅନ୍ତତଃ ଏହି ସମୟରେ ବିଜେପିର କେନ୍ଦ୍ରୀୟ ନେତୃତ୍ବ ବିଜେଡି ବିରୋଧରେ କିଛି କହିବା ବା କରିବା ଅବସ୍ଥାରେ ନାହାନ୍ତି । ଅମିତ ଶାହାଂକ ଓଡ଼ିଶା ଗସ୍ତ ବାତିଲ ହେବା ପଛରେ ଏହା ହିଁ ମୁଖ୍ୟ କାରଣ ।
ଅନ୍ୟ ସବୁ ବିରୋଧୀ ଶାସିତ ରାଜ୍ୟରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଯଥା ସିବିଆଇ,ଇଡି ଇତ୍ୟାଦିର ଭରପୂର ଅପପ୍ରୟୋଗ ଚାଲିଥିବା ବେଳେ ଓଡିଶାରେ ଏହି ସବୁ ସଂସ୍ଥା ନାମକୁ ମାତ୍ର ରହିଛନ୍ତି । ମଝିରେ କିଛି ସଂସ୍ଥା ଉପରେ ଜିଏସଟି ଚଢାଉ ହୋଇଥିଲା, ଯାହାକି କେବଳ ଧର୍ମକୁ ଆଖିଠାର ବୋଲି କୁହାଯାଇପାରେ । ଦିଲ୍ଲୀ କିମ୍ବା ପଶ୍ଚିମବଙ୍ଗରେ କେନ୍ଦ୍ର ସରକାର ସେଠିକାର ବିରୋଧୀ ରାଜ୍ୟ ସରକାରକୁ ଏକପ୍ରକାର ଅଚଳ କରି ରଖିଛନ୍ତି । ସେହି ତୁଳନାରେ ବିଜେପିର ନବୀନ୍ନ୍କା ପ୍ରତି ରହିଥିବା ଆକର୍ଷଣ ଏକ ରାଜନୈତିକ ରହସ୍ୟ ହୋଇ ରହିଛି ।
ଆଗାମୀ ନିର୍ବାଚନ କେବଳ ପ୍ରଚାର ଓ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଜେପି ଲଢ଼ିବାକୁ ଚାହୁଁଛି ।

ଇତି ମଧ୍ୟରେ ୨୦୨୪ ନିର୍ବାଚନ ପାଇଁ ବିଜେଡି ନିଜର ପ୍ରସ୍ତୁତି ଚୂଡାନ୍ତ କରିସାରିଥିବା ବେଳେ, ବିଜେପି ଏବେ ମଧ୍ୟ ନିଜକୁ ସୋସିଆଲ ମିଡିଆରେ ସୀମିତ ରଖିଛି । ଆଗାମୀ ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟରୁ ନିର୍ବାଚନ ଲଢିବେ ବୋଲି କହିଥିଲେ ହେଁ ଏଯାଏ ସେ ମନସ୍ଥିର କରି କେଉଁ ନିର୍ବାଚନମଣ୍ଡଳୀରୁ ଲଢିବେ, ତାହା ଜଣା ।

ଓଡିଶା ରାଜନୀତିର ବାସ୍ତବ ସ୍ଥିତି ହେଉଛି, ବିଜେପି ଏଠି ବିଜେଡି ବିରୋଧରେ କେବଳ କାଗଜ ବାଘ ହୋଇ ବେଳେ ବେଳେ ହୁଙ୍କାର ଭରୁଥିବା ବେଳେ ବିଜେଡି ରାଜ୍ୟ ବିଜେପିର ଚାବିକୁ ଦିଲ୍ଲୀରେ ମୋଦୀ ଦେଇ ଆରାମରେ ନିଜ ବିଜଯ ପାଇଁ ରାସ୍ତା ସଫା କରିସାରିଛି ।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!