ଜାପାନରେ ଭାରତର ରାଷ୍ଟ୍ରଦୂତ ଶିବି ଜର୍ଜଙ୍କୁ ସାକ୍ଷାତ କରିଛନ୍ତି ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଏବଂ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ଏହି ସୌଜନ୍ୟମୂଳକ ସାକ୍ଷାତ ଆଲୋଚନାରେ ଭାରତୀୟ ଦୂତାବାସର ପ୍ରଥମ ସଚିବ ସୁରେଶ ଲାଖାବତ୍ ଉପସ୍ଥିତ ଥିଲେ । ଆଲୋଚନାରେ ମଧ୍ୟ ପୂର୍ବତନ ମନ୍ତ୍ରୀ ତଥା ବଡ଼ ବିଧାୟକ ଦେବୀପ୍ରସାଦ ମିଶ୍ର ସାମିଲ ହୋଇଥିଲେ।
ଆଲୋଚନା ସମୟରେ ମନ୍ତ୍ରୀ ଶ୍ରୀ ପଣ୍ଡା ଓଡ଼ିଶାରେ ବାୟୋଟେକ୍ନୋଲୋଜି ବିକାଶ ନେଇ ମତ ରଖିଥିଲେ । ଜାପାନୀ ଭାଷା ଶିକ୍ଷାଗ୍ରହଣ ସହିତ ଭବିଷ୍ୟତର ନିଯୁକ୍ତି ସୁଯୋଗକୁ ଓଡ଼ିଶାରେ ସଂପ୍ରସାରିତ କରିବା ଲକ୍ଷ୍ୟ ଏବଂ ବାୟୋଟେକ୍ନୋଲୋଜି ଅଧ୍ୟୟନ ତଥା ଗବେଷଣା କ୍ଷେତ୍ରରେ ଛାତ୍ର ବିନିମୟ କାର୍ଯ୍ୟକ୍ରମ ଉପରେ ମନ୍ତ୍ରୀ ଶ୍ରୀ ପଣ୍ଡା ଗୁରୁତ୍ଵ ଦେଇଥିଲେ ।
ସେହିପରି ସାମୁଦ୍ରିକ ବିଜ୍ଞାନ ଅଧ୍ୟୟନ ଓ ଗବେଷଣା ସାଙ୍ଗକୁ ରାଜ୍ୟରେ ବୟସ୍କମାନଙ୍କ ବାର୍ଦ୍ଧକ୍ୟଜନିତ ସମସ୍ୟାର ଉପଚାର ନିମନ୍ତେ ବିଶେଷ ସହଭାଗିତା ଉପରେ ମତବିନିମୟ ହୋଇଥିଲା । ରାଜ୍ୟରେ ବୌଦ୍ଧ ପର୍ଯ୍ୟଟନର ବିକାଶ ନେଇ କଥାବାର୍ତ୍ତା ହୋଇଥିଲା । ରାଷ୍ଟ୍ରଦୂତ ଶ୍ରୀ ଜର୍ଜ ଉପରୋକ୍ତ ପ୍ରସଙ୍ଗଗୁଡ଼ିକ ଉପରେ ଅନୁକୂଳ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

