ରାଜ୍ୟର ଖଣି ରାଜସ୍ବରେ ୧୦ ଗୁଣା ବୃଦ୍ଧି ଘଟିଛି

କିଟ୍ କନ୍ଭେନ୍ସନ୍ ସେଣ୍ଟରରେ ଆୟୋଜିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଟାଲ୍ସ (ଆଇଆଇଏମ୍)ର ୭୭ତମ ବାର୍ଷିକ ବୈଷୟିକ ବୈଠକ ଓ ଜାତୀୟ ମେଟାଲର୍ଜିଷ୍ଟ ଆୱାର୍ଡସ୍ ୨୦୨୩ର ଉଦ୍ଘାଟନୀ ସମାରୋହକୁ ସମ୍ବୋଧନ କରି ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି ଯେ ଅଧିକ ଖଣିଜ ସମ୍ପଦ ଅନୁସନ୍ଧାନ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ବାରୋପ କରୁଛନ୍ତି। ଗତ ପାଞ୍ଚ ବର୍ଷ ଭିତରେ ରାଜ୍ୟର ଖଣି ରାଜସ୍ବରେ ୧୦ ଗୁଣା ବୃଦ୍ଧି ଘଟିଛି। ୨୦୧୬-୧୭ରେ ଖଣିରୁ ମିଳିଥିବା ରାଜସ୍ବ ପରିମାଣ ୪୯୦୦ କୋଟି ଟଙ୍କା ଥିଲା। ୨୦୨୧-୨୨ରେ ତାହା ୫୦ ହଜାର କୋଟି ଟଙ୍କା ପାଖାପାଖି ବୃଦ୍ଧି ପାଇଛି ବୋଲି ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି। ତେବେ ନିମ୍ନ ମାନର ଖଣିଜ ଓ ବିଭିନ୍ନ ଉପଉତ୍ପାଦଗୁଡ଼ିକୁ କିଭଳି ବ୍ୟବହାର କରାଯାଇପାରିବ ସେଥିପାଇଁ ପ୍ରଯୁକ୍ତି ବ୍ୟବହାର କରିବା ଲାଗି ସେ ଉପସ୍ଥିତ ଶିଳ୍ପ ପ୍ରତିନିଧିମାନଙ୍କୁ ଆହ୍ବାନ ଦେଇଛନ୍ତି।
ଧାତବ ଶିଳ୍ପର ଦୀର୍ଘସ୍ଥାୟୀ ରୂପାନ୍ତରଣ ବିଷୟବସ୍ତୁ ଉପରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା କହିଛନ୍ତି ଯେ ଅର୍ଥନୀତିର ଆବଶ୍ୟକତା ପୂରଣ କରିବା ଲାଗି ଅଧିକ ଧାତବ ପଦାର୍ଥ ଉତ୍ପାଦନ କରିବାକୁ ପଡ଼ିବ। ସେଥିପାଇଁ ଅଧିକ ଖଣିଜ ମଧ୍ୟ ଉତ୍ପାଦନ କରିବାକୁ ହେବ। କାରଖାନା ସ୍ଥାପନ କରିଥିବା କଂପାନିଗୁଡ଼ିକ କିଭଳି ଅଳ୍ପ ଖଣିଜ ପଦାର୍ଥକୁ ବ୍ୟବହାର କରି ଅଧିକ ଧାତବ ଉତ୍ପାଦନ କରିହେବ ସେଥିପ୍ରତି ଧ୍ୟାନ ଦେବା ଦରକାର। ଏକ୍ଷେତ୍ରରେ ଶିଳ୍ପ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ସହଯୋଗିତା ସହାୟକ ହୋଇପାରିବ ବୋଲି ସେ କହିଛନ୍ତି।
ଏହି ଅବସରରେ ଜେଏସ୍ଡବ୍ଲୁ ଗ୍ରୁପ୍ର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ, ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ର ଏମ୍ଡି ସତୀଶ ପାଇ, ସେଲ୍ର ଅଧ୍ୟକ୍ଷ ଅମରେନ୍ଦୁ ପ୍ରକାଶ, ଆଇଆଇଟି ହାଇଦ୍ରାବାଦର ନିର୍ଦ୍ଦେଶକ ପ୍ରଫେସର ବିଏସ୍ ମୂର୍ତ୍ତି, ଆଇଆଇଏମ୍ର ଉପସଭାପତି ଡ. କୋମଲ୍ କପୁର, ଆୟୋଜନ କମିଟିର ଅଧ୍ୟକ୍ଷ ଏସ୍ ଏସ୍ ମହାନ୍ତି ଓ ସଂଯୋଜକ ବିଭୁ ମିଶ୍ର ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମରେ ୬୦ ଜଣ ଜାତୀୟ ଓ ଆନ୍ତର୍ଜାତିକ ସ୍ତରର ବକ୍ତା ଯୋଗ ଦେଇଛନ୍ତି। ୧୦ଟି ବୈଷୟିକ ଅଧିବେଶନରେ ୭୦୦ ବୈଷୟିକ ଦସ୍ତାବିଜ ଉପସ୍ଥାପନ କରାଯିବ। ସାରା ବିଶ୍ବରୁ ସରକାରୀ, ପିଏସ୍ୟୁ, ଧାତବ ଶିଳ୍ପ, କର୍ପୋରେଟ୍ ସଂସ୍ଥା ଓ ଗବେଷଣା ପ୍ରତିଷ୍ଠାନର ୧୩୦୦ରୁ ଅଧିକ ପ୍ରତିନିଧି ଏହି ତିନିଦିନିଆ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଅପରାହ୍ନରେ ଆୟୋଜିତ ପୁରସ୍କାର ବିତରଣ ସମାରୋହରେ କେନ୍ଦ୍ର ଇସ୍ପାତ ଓ ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂହ କୁଲସ୍ତେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଧାତବ କ୍ଷେତ୍ରରେ ଗବେଷଣାକୁ ତ୍ବରାନ୍ବିତ କରିବା, ଅଙ୍ଗାରକାମ୍ଳ ନିର୍ଗମନକୁ କମ୍ କରି କିଭଳି ସବୁଜ ଉପାୟରେ ଧାତବ ପଦାର୍ଥ ଉତ୍ପାଦନ କରାଯାଇପାରିବ ସେ ଉପରେ ଧ୍ୟାନ ଦେବାକୁ କହିଥିଲେ। ଗବେଷଣାକୁ ଆହୁରି ତ୍ବରାନ୍ବିତ କରିବାକୁ ସେ ବୈଜ୍ଞାନିକମାନଙ୍କୁ ଆହ୍ବାନ ଦେଇଥିଲେ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!