ଫୋର୍କ ମିଡିଆ ଗ୍ରୁପ୍ ସହଯୋଗରେ ଏଲିଟ୍ ପତ୍ରିକା ପକ୍ଷରୁ ଐତିହାସିକ ଷ୍ଟାଚ୍ୟୁ ଅଫ୍ ଲିବର୍ଟିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରୀତିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସବୁଠୁ ୫୦ ପ୍ରଭାବଶାଳୀ ଭାରତୀୟଙ୍କ ମଧ୍ୟରେ ଓଡ଼ିଶାର ପ୍ରୀତି ପଲ୍ଲବୀ ପଟ୍ଟନାୟକଙ୍କୁ ସ୍ଥାନ ମିଳିଛି। ଏହି ସମ୍ମାନଜନକ ମାନ୍ୟତା ସମ୍ପର୍କରେ ପ୍ରୀତି କହିଛନ୍ତି ଯେ ଏହା କେବଳ ମୋର ନୁହେଁ, ବରଂ ବଡ଼ ସ୍ବପ୍ନ ଦେଖିବା ଓ ନିରବଚ୍ଛିନ୍ନ କାର୍ଯ୍ୟ କରିବା ପାଇଁ ସାହସ ରଖିଥିବା ପ୍ରତିଟି ବ୍ୟକ୍ତିଙ୍କ ପାଇଁ ଏହି ସମ୍ମାନ।
କଠିନ ପରିଶ୍ରମ ଓ ଅଭିଳାଷ ଦ୍ବାରା ସବୁ କିଛି ସମ୍ଭବ ବୋଲି ଏହା ପ୍ରମାଣ କରୁଛି ବୋଲି ସେ କହିଛନ୍ତି। ପ୍ରୀତିଙ୍କ ଉଦ୍ୟମିତା ଯାତ୍ରା ବେଶ ପ୍ରେରଣାଦାୟୀ। ଓଡ଼ିଶାରୁ ନିଜ ଯାତ୍ରା ଆରମ୍ଭ କରି ସେ କଫି ଶିଳ୍ପରେ ସାରା ବିଶ୍ବରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।
ତାଙ୍କ ନେତୃତ୍ବରେ କଳିଙ୍ଗ ଦେଶୀ ଆଗ୍ରୋ ଫାଉଣ୍ଡେସନ୍ ଓ ଓଡିଶା କଫି ସ୍ଥାପନ କରାଯାଇଥିଲା। ତାଙ୍କ ଉଦ୍ଦେଶ୍ୟ କେବଳ ବ୍ୟବସାୟ କରିବା ନଥିଲା, ବରଂ ଓଡ଼ିଶାର ସ୍ଥାନୀୟ କଫି ଚାଷୀଙ୍କ ସ୍ଥିତିରେ ଉନ୍ନତି ଆଣିବା ଓ ରାଜ୍ୟର କଫିକୁ ବ୍ୟାପକ କରିବା ଲାଗି ସେ ଉଦ୍ୟମ କରିଥିଲେ। ଓଡ଼ିଶା କଫିର ସମ୍ପ୍ରସାରଣ କରି ସ୍ଥାନୀୟ କଫି ଚାଷୀଙ୍କ ଜୀବନଜୀବିକାରେ ଉନ୍ନତି ଆଣିବା ଏବଂ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ କଫି ସଂସ୍କୃତିର ପ୍ରସାର କରିବାକୁ ସେ ଯୋଜନା ରଖିଛନ୍ତି। କଳିଙ୍ଗ ଦେଶୀ ଆଗ୍ରୋ ଫାଉଣ୍ଡେସନ ଜରିଆରେ ଜ୍ଞାନ ଓ ସମ୍ବଳ ମାଧ୍ୟମରେ ଚାଷୀମାନଙ୍କୁ ସଶକ୍ତ କରିବାକୁ ପ୍ରୀତି ପ୍ରତିବଦ୍ଧ ରହିଛନ୍ତି।
ଏହି ଅବସରରେ ଆଧ୍ୟାତ୍ମିକ ଗୁରୁ ଗୌର ଗୋପାଳ ଦାସ, ଉଦ୍ୟୋଗୀ ଅଶନୀର ଗ୍ରୋଭର, ସେଫ୍ ବିକାଶ ଖାନ୍ନା, ଅଭିନେତ୍ରୀ ଜାକ୍ଲିନ୍ ଫର୍ଣ୍ଣାଡିସ୍ ଆଦି ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

