ରାଜ୍ୟର ଶିଳ୍ପାୟନ ଆଉ କିଛି ହାତଗଣତି ନିର୍ଦ୍ଦିଷ୍ଟ ଜିଲ୍ଲା ଭିତରେ ସୀମିତ ନାହିଁ। ନିବେଶକମାନେ ସବୁ ପ୍ରାନ୍ତରେ ଶିଳ୍ପ ସ୍ଥାପନ କରିବାକୁ ଚାହୁଛନ୍ତି। ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବହୁ ଶିଳ୍ପ ସ୍ଥାପନ ଲାଗି ନିବେଶକମାନେ ଘୋଷଣା କରିଛନ୍ତି ବୋଲି ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା କହିଛନ୍ତି।
ଆଜି ସିଆଇଆଇ ଏଣ୍ଟରପ୍ରାଇଜ୍ ଓଡ଼ିଶା ସମ୍ପର୍କିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଗତ ତିନି ମାସ ଭିତରେ ଅନୁଷ୍ଠିତ ହୋଇଥିବା ପ୍ରତି ରାଜ୍ୟସ୍ତରୀୟ ସିଙ୍ଗିଲ୍ ୱିଣ୍ଡୋ ବୈଠକରେ ମଞ୍ଜୁର ହୋଇଥିବା ୪-୫ଟି ଲେଖାଏଁ ପ୍ରକଳ୍ପ ସମ୍ବଲପୁର, ବରଗଡ଼ ଓ କଳାହାଣ୍ଡି ଜିଲ୍ଲାରେ ସ୍ଥାପନ ହେବାକୁ ଯାଉଛି। କଳାହାଣ୍ଡି, ନବରଙ୍ଗପୁର ଓ ନୂଆପଡ଼ାରେ ମଧ୍ୟ ଶିଳ୍ପ କାରଖାନା ବସିବାକୁ ଯାଉଛି।
ଆଗାମୀ ସିଙ୍ଗିଲ ୱିଣ୍ଡୋ ବୈଠକ ପାଇଁ ୨୦ଟି ନିବେଶ ପ୍ରସ୍ତାବ ବିଚାରକୁ ନିଆଯାଇଥିବା ବେଳେ ସେଥିରୁ ମଧ୍ୟ ବହୁ ପ୍ରକଳ୍ପ ରାଜ୍ୟର ଏହି ପ୍ରାନ୍ତରେ ସ୍ଥାପନ ହେବ। ସେଥିପାଇଁ ଏଣ୍ଟରପ୍ରାଇଜ୍ ଓଡ଼ିଶାକୁ ଏଥର ଝାରସୁଗୁଡ଼ାରେ ଆୟୋଜନ କରିବା ଲାଗି ସରକାର ସିଆଇଆଇକୁ ପ୍ରସ୍ତାବ ଦେଇଥିଲେ ବୋଲି ସେ କହିଛନ୍ତି।
ପ୍ରଥମ ପାଇଁ ସିଆଇଆଇ ଏଣ୍ଟରପ୍ରାଇଜ୍ ଓଡ଼ିଶା ଝାରସୁଗୁଡ଼ାରେ ୨୦୨୪ ଜାନୁଆରି ୧୯ରୁ ୨୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେଥିରେ ୨୦୦ ପ୍ରଦର୍ଶନକାରୀ, ୧୦୦ ସିଏକ୍ସଓ, ୨୦ରୁ ଅଧିକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଅଂଶଗ୍ରହଣ କରିବେ। ଏହି ତିନିଦିନିଆ କାର୍ଯ୍ୟକ୍ରମକୁ ୪୦୦୦ରୁ ଅଧିକ ଲୋକ ପରିଦର୍ଶନ କରିବେ ବୋଲି ଆଶା କରାଯାଉଛି। କାର୍ଯ୍ୟକ୍ରମରେ ଷ୍ଟାର୍ଟଅପ୍ ଓ ମହିଳା ଉଦ୍ୟୋଗୀମାନଙ୍କ ଉପରେ ସ୍ବତନ୍ତ୍ର ଗୁରୁତ୍ବ ପ୍ରଦାନ କରାଯିବ। ଏହି ଅବସରରେ ଇପିକଲ୍ ଓ ଇଡ୍କୋ ଏମ୍ଡି ଭୁପେନ୍ଦ୍ର ସିଂହ ପୁନିଆ, ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଶଶି ଶେଖର ମହାନ୍ତି, ଉପାଧ୍ୟକ୍ଷ ଡକ୍ଟର ପ୍ରଦୀପ୍ତ କୁମାର ମହାନ୍ତି, ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍ର ସଭାପତି ବ୍ରହ୍ମାନନ୍ଦ ମିଶ୍ର, ରାଉରକେଲା ଚାମ୍ବର ଅଫ୍ କମର୍ସର ସଭାପତି ସୁନିଲ କୟାଲ, ଆଇଆଇଏମ ସମ୍ବଲପୁରର ନିର୍ଦ୍ଦେଶକ ମହାଦେବ ଜୟସ୍ବାଲ ଓ ରାଉରକେଲା ଇସ୍ପାତ କାରଖାନାର ଭାରାପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ଉପସ୍ଥିତ ଥିଲେ।

