ପିଲାଙ୍କ ସ୍ବପ୍ନକୁ ସାକାର କରନ୍ତୁ ଶିକ୍ଷକ: ନବୀନ

() ରାଜ୍ୟରେ ଆହୁରି ସୁଦୃଢ ହେଲା ଶିକ୍ଷା ବ୍ୟବସ୍ଥା । ବିଭିନ୍ନ ବିଦ୍ୟାଳୟରେ ନିଯୁକ୍ତ ହେଲେ ୪୧୬୬ ମାଧ୍ୟମିକ ଶିକ୍ଷକ ଓ ଶିକ୍ଷୟିତ୍ରୀ । ୩୭୧୪ ତାଲିମପ୍ରାପ୍ତ ସ୍ନାତକ ଏବଂ ୪୫୨ ପିଇଟି ଶିକ୍ଷକ ନିଯୁକ୍ତ ହୋଇଛନ୍ତି । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ନିଯୁକ୍ତି ପର୍ବରେ ସମସ୍ତଙ୍କୁ ନିଯୁକ୍ତ ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପିଲାମାନଙ୍କ ମଧ୍ୟରେ ଗଭୀର ଆତ୍ମବିଶ୍ବାସ ସୃଷ୍ଟି କରିବା ପାଇଁ ନବନିଯୁକ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆମର ମହାନ ଦେଶ, ମହାନ ଜାତି ଓ ମହାନ ସଂସ୍କୃତିକୁ ଭଲ ପାଇବା ସହିତ ଏଥିପାଇଁ ଗର୍ବ ଅନୁଭବ କରିବାକୁ ପିଲାମାନଙ୍କୁ ପ୍ରେରଣା ଦେବାପାଇଁ ସେ ପରାମର୍ଶ ଦେଇଛନ୍ତି । ନବୀନ କହିଛନ୍ତି, ଛାତ୍ରଛାତ୍ରୀ ଯେପରି ବଡ ସ୍ୱପ୍ନ ଦେଖିବେ ଓ ନିଜର ଲକ୍ଷ୍ୟ ହାସଲ କରିବାରେ ସଫଳ ହେବେ ସେଥିପାଇଁ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଉଦ୍ୟମ କରନ୍ତୁ । ଏକ ବିଂଶ ଶତାବ୍ଦୀରେ ଏକ ନୂଆ ଓଡିଶା, ସଶକ୍ତ ଓଡିଶା ଗଠନରେ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିବ ।

ନବନିଯୁକ୍ତ ଶିକ୍ଷକଶିକ୍ଷୟିତ୍ରୀଙ୍କ ପରିବାରକୁ ବର୍ଗଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଶିକ୍ଷା ପିଲାମାନଙ୍କ ମଧ୍ୟରେ ମୌଳିକ ଜ୍ଞାନ ଓ ଦକ୍ଷତା ସୃଷ୍ଟି କରେ। ସେମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟି କରିବା ସହିତ ସେମାନଙ୍କୁ ରୂପାନ୍ତରିତ ନାଗରିକରେ ପରିଣତ କରିବାରେ ସାହାଯ୍ୟ କରେ। ଶିକ୍ଷକମାନଙ୍କ ଲକ୍ଷ୍ୟ କେବଳ ଭଲ ଛାତ୍ର ସୃଷ୍ଟି କରିବା ନୁହେଁ, ଭଲ ଛାତ୍ର ସହିତ ଭଲ ମଣିଷ ମଧ୍ୟ ସୃଷ୍ଟି କରିବା ସେମାନଙ୍କର ଲକ୍ଷ୍ୟ ହେବା ଆବଶ୍ୟକ। ଶିକ୍ଷାଦାନ କେବଳ ଏକ ବୃତ୍ତି ନୁହେଁ ବରଂ ଭବିଷ୍ୟତ ପାଇଁ ଓଡିଶାକୁ ପ୍ରସ୍ତୁତ କରିବାର ଏକ ମିଶନ ବୋଲି ନବୀନ କହିଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 5T ଉପକ୍ରମରେ ୬୮୮୩ଟି ହାଇସ୍କୁଲର ରୂପାନ୍ତରଣ କରାଯାଇଛି । ଏହା ଦ୍ୱାରା ସ୍କୁଲର ଭିତ୍ତିଭୂମି ଓ ସାମଗ୍ରୀକ ବାତାବରଣରେ ବିରାଟ ପରିବର୍ତ୍ତନ ଆସିଛି। ସରକାରୀ ସ୍କୁଲଗୁଡିକରେ ନାମଲେଖା ଯଥେଷ୍ଟ ପରିମାଣରେ ବୃଦ୍ଧି ପାଇଛି ।

ଶିକ୍ଷା କ୍ଷେତ୍ରରେ ପ୍ରୋତ୍ସାହନ ପାଇଁ ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଯୋଜନା ଆରମ୍ଭ ହୋଇଛି । ଏଥିପାଇଁ ବର୍ଷକୁ ୧୩୮ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରାଯାଇଛି । ଏହି ପୁରସ୍କାର ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ସରକାରୀ ସ୍କୁଲ, ଗ୍ରାମ ପଞ୍ଚାୟତ, ସ୍କୁଲ ପରିଚାଳନା କମିଟି, ପ୍ରାକ୍ତନ ଛାତ୍ରଛାତ୍ରୀ ଓ ଜିଲ୍ଲା ଏବଂ ବ୍ଲକସ୍ତରୀୟ ଶିକ୍ଷା ଅଧିକାରୀମାନଙ୍କୁ ଦିଆଯିବ । କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ସଶକ୍ତ ଓଡିଶା ସ୍ୱପ୍ନକୁ ସାକାର କରିବା ପାଇଁ ନିଷ୍ଠାର ସହ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରିବାପାଇଁ ସେ ନବନିଯୁକ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଥିଲେ, ପିଲାମାନଙ୍କର ଉଜ୍ଜଳ ଭବିଷ୍ୟତ ଗଠନ ଦାୟିତ୍ୱ ଆପଣମାନଙ୍କର । ପିଲାମାନଙ୍କୁ ଭଲ ପାଠ ପଢାଇ ସେମାନଙ୍କ ବାପା ମା’ମାନଙ୍କ ମନରେ ଖୁସି ଆଣିବା ପାଇଁ ସେ ପରାମର୍ଶ ଦେଇଥିଲେ । ବାପା ମା’ଙ୍କ ପରେ ଶିକ୍ଷକ ହେଉଛନ୍ତି ପିଲାଙ୍କ ରୋଲ୍ ମଡେଲ । ସମସ୍ତ କ୍ଷେତ୍ରରେ ପ୍ରେରଣାଦାୟୀ ହୋଇ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ କାର୍ତ୍ତିକ ପାଣ୍ଡିଆନ ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!