ସୁଜାତା: କୋଟି ଆଦର୍ଶର ସ୍ରୋତସ୍ବିନୀ

ଆରେ ଲଡକୀକୋ ପଢାଓଗେଁ….କ୍ଯା କରେଙ୍ଗି ? କଲେକ୍ଚର ବନୋଗି କ୍ୟା ? ଯଦି ସେଦିନ ଏ ତାତ୍ସଲ୍ଯଭରା କଥା ସେ ଶୁଣିନଥାନ୍ତେ ବୋଧହୁଏ କୌଣସି ଛୋଟ ଚାକିରିଟିଏ କରି ଆଜି ବଣମଲ୍ଲି ଭଳି ସେ ବଣରେ ଝଡିଯାଇଥାନ୍ତେ । କସ୍ତୁରୀ ହରିଣ ଭଳି ନିଜ ସୁଗନ୍ଧକୁ ନିଜେ ଖୋଜିବୁଲିଥାନ୍ତେ । ହେଲେ ସେଦିନ ଦିଲ୍ଲୀରେ ଜଣେ ଭଦ୍ର ବ୍ଯକ୍ତିଙ୍କର ଉପହାସ ତାଙ୍କ ଜୀବନ ଆଉ ମନରେ ଭରିଥିଲା ସାହସ । ଆଉ କଳାରେ ଉଚ୍ଚଶିକ୍ଷା ଗ୍ରହଣ ପାଇଁ ଦେଶର ରାଜଧାନୀକୁ ଯାଇଥିବା କେନ୍ଦ୍ରାପଡାର ଝିଅଟି ବନିଗଲେ ଆଇଏଏସ । ପଟ୍ଟାମୁଣ୍ଡାଇ ବଲୁରିଆରୁ ଭାରତୀୟ ପ୍ରଶାସନିକ ସେବାର ଡାଇନାମିକ୍ ଅଫିସର । ଓଡ଼ିଶାର ଲକ୍ଷଲକ୍ଷ ମାଆଙ୍କ ଶକ୍ତି ସାଜି ଓଡ଼ିଶା ଭାଷାର ନୂଆ ଜାଗରଣ ସୃଷ୍ଟି କରିଥିବା ସେହି ପ୍ରେରଣାଦାୟୀ ନାରୀ ଶକ୍ତି ହେଲେ ମିଶନ ଶକ୍ତି ସଚିବ ତଥା ଓଡ଼ିଆ ଭାଷା, ସାହିତ୍ଯ ଓ ସଂସ୍କୃତି ବିଭାଗ କମିଶନର ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ ।

କେନ୍ଦ୍ରାପଡାର ଝିଅ । ଆଖିରେ ଥାଏ ଆଖିଏ ସପନ । ବାପା ଏସସିବିରେ ଡାକ୍ତର । ଶୃଙ୍ଖଳିତ ଶିକ୍ଷିତ ପରିବାରରେ ଜନ୍ମହେବାର ଗୌରବ ଲାଭ କରନ୍ତି ସୁଜାତା । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଲୁରିଆ ହାଇସ୍କୁଲରୁ ମାଧ୍ୟମିକ ଶିକ୍ଷା ପରେ ନୂଆ ସ୍ବପ୍ନ, ନୂଆ ସମ୍ଭାବନା ଓ ଆହ୍ବାନ ନେଇ କଟକରେ ପହଞ୍ଚିଯାଆନ୍ତି ଓଡ଼ିଶାର ଭାବି ଆଇଏଏସ । ଡାକ୍ତରୀ ବାପାଙ୍କ ଝିଅ କିନ୍ତୁ ବିଜ୍ଞାନ ବଦଳରେ କଳା ପଢିବାକୁ ଆଗ୍ରହ ପ୍ରକାଶ କରିଥିଲେ । ସେଦିନ ସୁଜାତାଙ୍କ ନିଷ୍ପତିରେ ସାରା ପରିବାର ବି ଚକିତ ହୋଇଯାଇଥିଲା । ଝିଅ ଆମର କଳା ପଢିବ ? ତଥାପି ଝିଅର ନିଷ୍ପତ୍ତିକୁ ସମ୍ମାନ ଦେଇ ଆଗକୁ ବଢିବାକୁ ଉତ୍ସାହିତ କରିଥିଲେ ବାପା । ଆଉ ସେବେଠୁ ଦୃଢମନା ସୁଜାତା ଆଗକୁ ବଢିଚାଲିଲେ । ଦିଲ୍ଲୀକୁ ବାପାଙ୍କ ସହ ଉଚ୍ଚଶିକ୍ଷା ପାଇଁ ଯାଇଥିବା ସମୟରେ ଜଣେ ବ୍ଯକ୍ତିଙ୍କର ଆକ୍ଷେପ ସୁଜାତାଙ୍କୁ ପ୍ରଭାବିତ କରିଥିଲା । ସେଇଠୁ ହିଁ ଆଇଏଏସ ହେବାର ସ୍ବପ୍ନ ତାଙ୍କ ମନରେ ବସା ବାନ୍ଧିଥିଲା । ଆଉ ଶେଷରେ ସେୟା ହିଁ ହେଲା । 2000 ମସିହାରେ ସେ ବନିଗଲେ ଭାରତୀୟ ପ୍ରଶାସନିକ ଅଧିକାରୀ ।  ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ ଭାବେ କାମ କରିବା ପରେ ବର୍ତ୍ତମାନ ବହୁ ଚର୍ଚ୍ଚିତ ମିଶନ ଶକ୍ତି ବିଭାଗର ସଚିବ ଭାବେ ସେ କାର୍ଯ୍ଯରତ । ଏହା ସହ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଦାୟିତ୍ବ ତାଙ୍କୁ ପ୍ରଦାନ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୁଜାତା କେବଳ ଗୋଟିଏ ନାଁ ନୁହେଁ । ସେ କୋଟି ଓଡ଼ିଆଙ୍କର ପାଇଁ ପ୍ରେରଣାର ସ୍ରୋତ । ଲକ୍ଷଲକ୍ଷ ମହିଳାଙ୍କ ଆଦର୍ଶ, ଓଡ଼ିଆ ଭାଷା ସଂସ୍କୃତିର ସଂରକ୍ଷକ । ସୁଜାତାଙ୍କ ନେତୃତ୍ବରେ ଓଡ଼ିଶାରେ ମିଶନ ଶକ୍ତି ମାଧ୍ୟମରେ ମହିଳାଙ୍କ ବିକାଶ ଧାରା ସାରା ଦୁନିଆକୁ ଜଣା । 70 ଲକ୍ଷ ମହିଳାଙ୍କୁ ଘର କଣରୁ ବାହାର କରି ଉଦ୍ୟେଗୀ ଭାବେ ଗଢିତୋଳିବାରେ ମାନ୍ଯବର ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ଅକ୍ଷରେ ଅକ୍ଷରେ ସାକାର କରିଛନ୍ତି ସୁଜାତା । ମିଶନ ଶକ୍ତି ମାଆଙ୍କୁ ସ୍ବାବଲମ୍ବୀ କରିବାରେ ତାଙ୍କ ଅବଦାନ ପାଇଁ ସାରା ମହିଳା ଜାତି କୃତଜ୍ଞ । ଏସଏଚଜି ଗଠନ ହେଉ କି ମାଆଙ୍କୁ ବିନା ସୁଧରେ ଋଣ । ସରକାରୀ କାର୍ଯ୍ୟକ୍ରମରେ ମାଆଙ୍କ ଭାଗିଦାରିତା ଆଉ ମିଶନ ଶକ୍ତି ସ୍କୁଟର । ସବୁ କ୍ଷେତ୍ରରେ ସୁଜାତାଙ୍କ ସଫଳ ପରିଚାଳନା ଓ ଦକ୍ଷତା ଖାଲି ମାଆଙ୍କୁ ସଶକ୍ତ କରିନନି ବରଂ ସାରା ଦେଶରେ ଓଡ଼ିଶାର ନାରୀ ଶକ୍ତିଙ୍କୁ ପରିଚୟ ଦେଇଛି । ସୁଜାତାଙ୍କ ଏ କର୍ତ୍ତବ୍ଯନିଷ୍ଠତା ଓ ପରିଶ୍ରମରେ ବେଶ ପ୍ରଭାବିତ ହୋଇଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାବାସୀଙ୍କ ସେବାରେ ତାଙ୍କ ସମର୍ପିତ ଭାବକୁ ପ୍ରୋତ୍ସାହନ ଦେଇଛନ୍ତି । ଓଡ଼ିଆ ଝିଅଙ୍କୁ ଓଡ଼ିଆ ଭାଷାର ଉନ୍ନତି ପାଇଁ ମୁଖ୍ଯମନ୍ତ୍ରୀ ଦେଇଛନ୍ତି ଗୁରୁଦାୟିତ୍ବ । ନିକଟରେ ଓଡ଼ିଆ ଭାଷା, ସାହିତ୍ଯ ଓ ସଂସ୍କୃତି ବିଭାଗର ଅତିରିକ୍ତ ଦାୟିତ୍ବ ପ୍ରଦାନ କରି ସୁଜାତାଙ୍କୁ ବଡ ଦାୟିତ୍ବ ଦେଇଥିଲେ ନବୀନ । ଆଉ ତାପରେ ଏକ୍ଷେତ୍ରରେ ମଧ୍ୟ ପାରଦର୍ଶିତା ଦେଖାଉଛନ୍ତି ସୁଜାତା ।

ଭାଷା ହେଉଛି ମଣିଷ-ମଣିଷ ମଧ୍ୟରେ ଭାବ ବିନିମୟର ମାଧ୍ୟମ। ଭାଷା ହେଉଛି ବ୍ୟକ୍ତି-ବ୍ୟକ୍ତି, ବ୍ୟକ୍ତି ଓ ସମଷ୍ଟି ମଧ୍ୟରେ ସମ୍ପର୍କ ପ୍ରତିଷ୍ଠାର ମାଧ୍ୟମ। ଭାଷା ହେଉଛି ସ୍ଥାନୀୟତା ଓ ବିଶ୍ୱ ମଧ୍ୟରେ ସମ୍ପର୍କର ସେତୁ। ଭାଷା ହେଉଛି ଗୋଷ୍ଠୀ ଓ ସମାଜ ଗଠନର ମାଧ୍ୟମ। ଭାବ, ଭାବନା, କଳ୍ପନା ଓ ଅନୁଭୂତିର ଫେଣ୍ଟାଫେଣ୍ଟିରୁ ସାହିତ୍ୟର ସୃଷ୍ଟି। ସାହିତ୍ୟ ହିଁ ସମାଜର ଅସ୍ମିତା। ଭାଷା ହେଉଛି ସାହିତ୍ୟର ମୂଳଦୁଆ। ଓଡ଼ିଆ ସଂସ୍କୃତି, ଓଡ଼ିଆ ଅସ୍ମିତା ଏବଂ ଓଡ଼ିଆ ଐତିହ୍ୟ ଆମ ପରିଚୟ । ଭାଷା ହିଁ ଅତୀତ ଭାଷା ହିଁ ଭବିଷ୍ଯତ । ଏହାକୁ ଅନ୍ତରରେ ସହ ବୁଝିଥିଲେ ସୁଜାତା । ଯେଉଁଥିପାଇଁ ଦାୟିତ୍ବ ନେଉନେଉ ଓଡ଼ିଆ ଭାଷାକୁ ଆଗେଇ ନେବାକୁ ସେ ଆରମ୍ଭ କରିଥିଲେ ପଦକ୍ଷେପ । ଏହାର ଫଳାଫଳ ଆଜି ସାରା ଓଡ଼ିଶା ଦେଖୁଛି । ଫେବ୍ରୁଆରୀ ତିନି ତାରିଖରୁ ଆମ ରାଜ୍ଯରେ ଆରମ୍ଭ ହେଉଛି ତିନି ଦିନିଆ ପ୍ରଥମ ବିଶ୍ବ ଭାଷା ସମ୍ମିଳନୀ । ଯାହା କେବେ ଇତିହାସରେ ହୋଇନଥିଲା ତାହାକୁ ସୁଜାତା ବାସ୍ତବତାରେ ପରିଣତ କରି ଦେଖାଦେଇଛନ୍ତି । ଦେଶ ବିଦେଶରେ ରହୁଥିବା ଓଡ଼ିଆ ଭାଷାବିତ୍, ସାହିତ୍ୟିକ ଏବଂ ଓଡ଼ିଆରେ ରୁଚି ରଖୁଥିବା ଲୋକଙ୍କୁ ଏକାଠିକରି ବିଶାଳ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ କରାଯାଉଛି। ଓଡ଼ିଆ ଭାଷାର ଅନନ୍ୟପୂର୍ବ ଏକ ନବଜାଗରଣ ରୂପରେଖ ନେବାକୁ ଯାଉଛି। କୀର୍ତ୍ତିମାଳିନୀ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଛି ରାଜ୍ୟର ‘ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’। ଓଡ଼ିଆ ଭାଷା, ସଂସ୍କୃତି ଓ ସାହିତ୍ୟର ଏହି ମହାପର୍ବ ଦୂରଦ୍ରଷ୍ଟା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସଞ୍ଚାଳିତ ହେଉଛି। ଦେଶର ଅନ୍ୟରାଜ୍ୟରେ କେଉଁଠି ଏତେ ଉଦ୍ଦାମତାର ସହିତ ନିଜ ମାତୃଭାଷାକୁ ନେଇ ଏପରି ମହାପର୍ବ ଆୟୋଜିତ ହୋଇଛି କି ନା ଜଣାନାହିଁ। ଆଧ୍ୟାତ୍ମିକ କ୍ଷେତ୍ରରେ କ୍ଷେତ୍ରୀୟ ବିକାଶ ପରେ ଓଡ଼ିଶା ସରକାରଙ୍କର ଧ୍ୟାନ ଭାଷା-ବିକାଶରେ କେନ୍ଦ୍ରୀଭୂତ ହେବା ପ୍ରତ୍ୟେକ ଓଡ଼ିଆ ଭାଷାଭାଷୀଙ୍କ ପାଇଁ ଗୌରବର ବିଷୟ ନିଶ୍ଚୟ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସମେତ ଦେଶ ଓ ବିଦେଶରେ ଥିବା କୋଟି କୋଟି ଓଡ଼ିଆଙ୍କ ମନରେ ଭାଷାପ୍ରେମ ଜାଗ୍ରତ କରିବାକୁ ପ୍ରୟାସ କରାଯାଉଛି। ସମ୍ମିଳନୀର ପ୍ରସଙ୍ଗ ରହିଛି ‘ଭାଷା ହିଁ ଭବିଷ୍ୟତ’। ସମ୍ମିଳନୀ ଅବସରରେ ମୋଟ୍‌ ୧୭ଟି ସମ୍ପାନରେ ୧୦୦ରୁ ଅଧିକ ଖ୍ୟାତିସମ୍ପନ୍ନ ଭାଷାବିତ୍‌, ବୁଦ୍ଧିଜୀବୀ ଓ ବିଦ୍ବାନ ଯୋଗଦେବେ। ସଅନେକ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବିଦ୍ୱାନ, ଯେମିତି ପଦ୍ମଶ୍ରୀ ପ୍ରଫେସର ହରମାନ କୁଲ୍‌କେ, ପ୍ରଫେସର ଉୱେ ସ୍କୋଡା, ପ୍ରଫେସର ଆର୍ଲୋ ଗ୍ରିଫିଥ୍‌ସ, ପ୍ରଫେସର ଆଣ୍ଟେ ସ୍କିମେଡ଼ିଚେନ୍ ଏବଂ ବହୁ ଜାତୀୟସ୍ତରର ବିଦ୍ୱାନ ଅଂଶଗ୍ରହଣ କରିବେ। ଓଡ଼ିଆ ଭାଷା ଓ ଭାଷା ବିଜ୍ଞାନ କ୍ଷେତ୍ରକୁ ଅନନ୍ୟ ଅବଦାନ ପାଇଁ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯିବ। ଏତଦ୍‌ବ୍ୟତୀତ ଜ୍ଞାନପୀଠ, ପଦ୍ମ ପୁରସ୍କାର, ସାହିତ୍ୟ ଅକାଦେମି ପୁରସ୍କାର, କବୀର ସମ୍ମାନ ତଥା ରାଜ୍ୟ ଏକାଡ଼େମୀର ସର୍ବୋଚ୍ଚ ପୁରସ୍କାର ପ୍ରାପ୍ତ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯିବ। ଏହି ସମ୍ମିଳନୀରେ ଓଡ଼ିଶାର ଗୌରବମୟ ଅତୀତ ଓ ପରିବର୍ତ୍ତନଶୀଳ ବର୍ତ୍ତମାନ ଏବଂ ପ୍ରେରଣାଦାୟୀ ଭବିଷ୍ୟତର ଏକ ସୁସଜ୍ଜିତ ପ୍ରଦର୍ଶନୀ ଉପସ୍ଥାପିତ ହେବ। ପ୍ରଦର୍ଶନୀ ୩ଟି ବିସ୍ତୃତ ବିଷୟ- ପ୍ରାଚୀନ, ମଧ୍ୟ ଓ ଆଧୁନିକ ଏବଂ ସମୟସୀମା ଉପରେ ଆୟୋଜିତ ହେବ। ପ୍ରଦର୍ଶନୀରେ ଓଡ଼ିଆ ଭାଷା ଏବଂ ଲିପିର ଉତ୍ପତ୍ତି ଓ ବିବର୍ତ୍ତନ, ପ୍ରାଚୀନ ପ୍ରସ୍ତର ଅଭିଲେଖ, ତାମ୍ରଫଳକ, ତାଳପତ୍ର ପୋଥି, କଳିଙ୍ଗାଶୈଳୀର ମନ୍ଦିର ସ୍ଥାପତ୍ୟ, ଓଡ଼ିଶାର ନୌବାଣିଜ୍ୟ ସମ୍ପର୍କିତ କଳାକୃତିଗୁଡ଼ିକ ସୁଦୃଶ୍ୟ ଚିତ୍ରପଟ୍ଟ ମାଧ୍ୟମରେ ପ୍ରଦର୍ଶିତ ହେବ। ଏଥିସହ ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟର ନବଜାଗରଣ, ଓଡ଼ିଶାର କଳା ଏବଂ ଭାସ୍କର୍ଯ୍ୟ, ନୃତ୍ୟ ଏବଂ ସଙ୍ଗୀତ ପରମ୍ପରାଗୁଡ଼ିକ ମଧ୍ୟ ପ୍ରଦର୍ଶିତ ହେବ। ପ୍ରିଣ୍ଟିଂ ପ୍ରେସ୍‌ର ଆଗମନ ଏବଂ ଓଡ଼ିଆ ଭାଷାର ପ୍ରସାରରେ ଏହାର ପ୍ରଭାବ କଳାକୃତି ଓ ଫଟୋ ସହିତ ପ୍ରଦର୍ଶିତ ହେବ। ସମସାମୟିକ ସମ୍ବାଦପତ୍ର, ପତ୍ରପତ୍ରିକା ଓ ଆଧୁନିକ ଚିନ୍ତାନାୟକମାନଙ୍କର ଭାବଧାରା ମଧ୍ୟ ପ୍ରଦର୍ଶିତ ହେବ। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଯୁଗରେ ଓଡ଼ିଆ ଭାଷା ଓ ସାହିତ୍ୟ ଭବିଷ୍ୟତରେ କିପରି ନିଜର ଅସ୍ଥିତ୍ବ ବଜାୟ ରଖିବ, ସେ ସମ୍ପର୍କରେ ବିଚାରବିମର୍ଶ କରାଯିବ। ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ, ଉଇକିପିଡ଼ିଆ ଓ ଓଡ଼ିଆ ଫଣ୍ଟ୍‌ ସମ୍ପର୍କରେ ମଧ୍ୟ ଆଲୋକପାତ କରାଯିବ। ଫେବ୍ରୁଆରି ୪ରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଏକ ବିଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ। ସ୍କୁଲ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ମଧ୍ୟରେ ପଠନ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ଏକ ମୋବାଇଲ୍ ଲାଇବ୍ରେରି, ବସ୍ ଓ ମୋବାଇଲ୍ ବୁକ୍‌ଆର୍ଟ ମାଧ୍ୟମରେ ‘ଆସ ପଢ଼ିବା’ର ଏକ ଧାରଣା ପ୍ରଦର୍ଶିତ ହେବ।

ଅତୀତର କୃତବିଦ୍ୟ ସାଧକମାନଙ୍କର ଅବଦାନକୁ ସ୍ମରଣକରି ସେମାନଙ୍କର ଆବକ୍ଷ ପ୍ରତିମୂର୍ତ୍ତି ଓ ତୈଳଚିତ୍ର ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କର ଓଡ଼ିଆ ଦସ୍ତଖତ ପ୍ରଦର୍ଶିତ ହେବ। ପ୍ରଦର୍ଶନୀକୁ ପିଲାମାନଙ୍କ ପାଇଁ ଅଧିକ ଆବର୍ଷଣୀୟ କରିବାକୁ ଡାକ ପ୍ରକୋଷ୍ଠ ଓ ସୂଚନା ଫଳକ ପ୍ରଦର୍ଶିତ ହେବ। ଏକ ପୂର୍ଣ୍ଣାଙ୍ଗ କୋଣାର୍କ ଅଶ୍ୱ ପ୍ରତିମୂର୍ତ୍ତିକୁ ପ୍ରତୀକ ଭାବରେ କେନ୍ଦ୍ରୀୟ ସ୍ଥଳରେ ସ୍ଥାପନ କରାଯିବ। ବୌଦ୍ଧିକ ଅଧିବେଶନ ଏବଂ ସମ୍ମିଳନୀ କାର୍ଯ୍ୟକ୍ରମଗୁଡିକର ଲାଇଭ୍‌ ପ୍ରସାରଣ ହେବ। ଏହି ଅବସରରେ ଭୁବନେଶ୍ୱରର କିଟ୍‌ ବିଶ୍ବବିଦ୍ୟାଳୟଠାରେ ଏକ ଅନ୍ତର୍ଜାତୀୟ କବିତା ମହୋତ୍ସବ, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଦ୍ୱାରା ଅନ୍ତର୍ଜାତୀୟ ସାହିତ୍ୟ ମହୋତ୍ସବ ଅନୁଷ୍ଠିତ ହେବ। ରେଭେନ୍ସା ବିଶ୍ୱବିଦ୍ୟାଳୟ ଦ୍ୱାରା ଓଡ଼ିଆ ଚଳଚ୍ଚିତ୍ର ଏବଂ ଥିଏଟର ମହୋତ୍ସବର ଆୟୋଜନ ସହିତ ଓଡ଼ିଆ ସିନେମା ଓ ମଞ୍ଚର ଭୂମିକା ଉପରେ ଏକ ଆଲୋଚନାଚକ୍ର ଆୟୋଜିତ ହେବ। ଏଭଳି ବିକାଶ ଆୟୋଜନ ଯଦିଓ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନ ହେଲେ ଏହାକୁ ବାସ୍ତବତାର ରୂପ ଦେଇ ଏକ ନୂଆ ଇତିହାସ ଲେଖିଛନ୍ତି ସୁଜାତା । ଆଗକୁ ଓଡ଼ିଶାର ବିକାଶରେ ତାଙ୍କର ଅବଦାନ ଏମିତି ଜାରି ରହିଥାଉ । ମହାପ୍ରଭୁଙ୍କ ନିକଟରେ ଇଣ୍ଟରଭ୍ଯୁ ଟାଇମ୍ସ ତରଫରୁ ଏତିକି ଗୁହାରି ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!