ରାଜ୍ଯର ବୃହତର ସ୍ବାର୍ଥ ଅନୁସାରେ ନିଆଯିବ ନିଷ୍ପତ୍ତି । ଠିକ ସମୟରେ ଠିକ ନିଷ୍ପତ୍ତି ଦେବ ବିଜୁ ଜନତା ଦଳ । ନବୀନ ନିବାସରେ ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ଏକ ପ୍ରେସ ବିଜ୍ଞପ୍ତି ମାଧ୍ଯମରେ ଦଳର ଆଭିମୁଖ୍ଯ ନେଇ ସୂଚନା ଦେଇଛନ୍ତି ବିଜେଡି ସାଧାରଣ ସଂପାଦକ ତଥା ସାଂସଦ ମାନସ ମଙ୍ଗରାଜ । ୨୦୩୬ ଓଡିଶାକୁ ୧୦୦ ବର୍ଷ ପୂର୍ତ୍ତି ପାଇଁ ମୁଖ୍ଯମନ୍ତ୍ରୀ ଯେଉଁ ଲକ୍ଷ୍ଯ ଧାର୍ଯ୍ୟ କରିଛନ୍ତି ତାହାକୁ ହାସଲ କରିବା ପାଇଁ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଯେଉଁ ନିଷ୍ପତ୍ତି ଆବଶ୍ଯକ ସେହି ନିଷ୍ପତ୍ତି ବିଜେଡି ନେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।
ବୈଠକପରେ ବିଜେଡି ବରିଷ୍ଠ ଉପସଭାପତି ଦେବୀ ମିଶ୍ର କହିଛନ୍ତି, ବୈଠକରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ରଣନୀତି କରାଯାଇଛି । ବିଭିନ୍ନ ଦିଗ ନେଇ ଆଲୋଚନା ହୋଇଛି । ଓଡ଼ିଶା ଆଜି ସଫଳତା ପାଇ ଚାଲିଛି । ରାଜ୍ଯର ବିକାଶକୁ ଉଚ୍ଚତର ସୋପାନକୁ ନେବା ପାଇଁ ପ୍ରୟାସ ଜାରି ରହିଛି । ସେହିପରି ବିଧାୟକ ଅରୁଣ ସାହୁ କହିଛନ୍ତି ଦଳ ରାଜ୍ଯ ସ୍ବାର୍ଥ ଅନୁସାରେ ଠିକ୍ ସମୟରେ ଉଚିତ ନିଷ୍ପତ୍ତି ନେବ । ବିଜେଡିର ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ଫାଇଭ-ଟି ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର, ମନ୍ତ୍ରୀ ଟୁକୁନି ସାହୁ, ଅଶୋକ ଚନ୍ଦ୍ର ପଣ୍ଡା, ବିଜେଡି ସାଧାରଣ ସଂପାଦକ ସଞ୍ଜୟ ଦାଶ ବର୍ମା, ସାଂସଦ ମାନସ ମଙ୍ଗରାଜ, ମନ୍ତ୍ରୀ ପ୍ରଦୀପ ଅମାତ, ପ୍ରୀତିରଞ୍ଜନ ଘଡେ଼ଇ, ପ୍ରତାପ ଦେବ, ଉଷା ଦେବୀ, ବିକ୍ରମ ଆରୁଖ, ଜଗନ୍ନାଥ ସାରକା, ପ୍ରଫୁଲ ମଲ୍ଲିକ, ଅତୁନ ସବ୍ୟସାଚି ନାୟକ, ବରିଷ୍ଠ ଉପସଭାପତି ଦେବୀ ମିଶ୍ର, ବିଧାୟକ ଅରୁଣ ସାହୁ, ପ୍ରଣବ ବଳବନ୍ତରାୟ, ସୁଶାନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।


