ପ୍ରଥମ ‘ଆଦିବାସୀ ଭବନ’ର ଶିଳାନ୍ୟାସ

ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ରାଜଧାନୀର ଗୋଠପାଟଣାଠାରେ ପ୍ରଥମ ‘ଆଦିବାସୀ ଭବନ’ର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟ ଅଟକଳରେ କରାଯାଉଥିବା ଏହି ଭବନ ଆଦିବାସୀ କଳା, ସଂସ୍କୃତି ଓ ବିକାଶର ବିଚାରବିମର୍ଶ, ବୈଠକ, ସମ୍ମିଳନୀ ଓ ପ୍ରଦର୍ଶନ ପାଇଁ ଏକ ବହୁମୁଖୀ କେନ୍ଦ୍ର ଭାବେ ପରିଗଣିତ ହେବ। ରାଜ୍ୟର ଆଦିବାସୀ ଲୋକଙ୍କ ଉଦ୍ଦେଶ୍ୟରେ ସମର୍ପିତ ଏହି ଭବନ ନବୀନ ଓଡ଼ିଶା ସଶକ୍ତ ଓଡ଼ିଶାର ପରିକଳ୍ପନାକୁ ସାକାର କରିବା ଦିଗରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଅନୁଯାୟୀ, ଏହି ପ୍ରସ୍ତାବିତ ଭବନର ଆବଶ୍ୟକତା ବିଷୟରେ  ବିଭିନ୍ନ ଜନଜାତି ଗୋଷ୍ଠୀ ପକ୍ଷରୁ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହା କାର୍ଯ୍ୟକ୍ଷମ ହେଲେ ଆଦିମ ଜନଜାତି ସମେତ ୬୪ଟି ଅନୁସୂଚିତ ଜନଜାତି ବର୍ଗର ଆଦିବାସୀ ଲୋକ ଉପକୃତ ହେବେ।

ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ ରାଜ୍ୟସ୍ତରୀୟ ପ୍ରଶାସନର ଏକ ପ୍ରକଳ୍ପ ଭାବରେ ବିକଶିତ ହେବାକୁ ଥିବା ଏହି ବହୁମୁଖୀ ସୁବିଧା କେନ୍ଦ୍ର ଆଦିବାସୀଙ୍କ ଆବଶ୍ୟକତାକୁ ପୂରଣ କରିବାରେ ମଧ୍ୟ ସହାୟକ ହେବ। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଆଦିବାସୀ ସମ୍ପ୍ରଦାୟର ସଦସ୍ୟମାନଙ୍କ ପାଇଁ  ସୁବିଧାରେ ରହିବାର ବ୍ୟବସ୍ଥା କରିବ ଏହି ‘ଆଦିବାସୀ ଭବନ’। ଏଥି ସହିତ ଅନୁସୂଚିତ ଜନଜାତି ସମୁଦାୟ ପ୍ରାୟତଃ ଭିନ୍ନ ଭିନ୍ନ ସାଂସ୍କୃତିକ ପ୍ରଥା, ଖାଦ୍ୟ ପସନ୍ଦ ଏବଂ ସାମାଜିକ ମାନଦଣ୍ଡ ବଜାୟ ରଖନ୍ତି । ଏହି ଭବନ ସେମାନଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ସହିତ ସେମାନଙ୍କ ସାଂସ୍କୃତିକ ସମ୍ବେଦନଶୀଳତାକୁ ମଧ୍ୟ ସମ୍ମାନ ଦେବ। ସେମାନଙ୍କ ପାଇଁ ଏକ ଆନନ୍ଦଦାୟକ ରହିବା ସୁବିଧା ମଧ୍ୟ ଉପଲବ୍ଧ କରିବ।

‘ଆଦିବାସୀ ଭବନ’ରେ ରହିବାର ସୁବିଧା ସହ ସମ୍ମିଳନୀ କକ୍ଷ, କୋରାପୁଟ କଫି କାଫେ ଏବଂ ଆଦିଶାର ଦ୍ବିତୀୟ ଆଉଟଲେଟ୍ ମଧ୍ୟ ରହିବ। ପ୍ରସ୍ତାବିତ ‘ଆଦିବାସୀ ଭବନ’ ଭୁବନେଶ୍ବରରେ ଅତ୍ୟାବଶ୍ୟକ ସେବା ଓ ସମ୍ବଳ ଉପଲବ୍ଧ କରାଇବା ପାଇଁ ସେମାନଙ୍କ ପାଇଁ  ଏକ ସୁବିଧାଜନକ ଭିତ୍ତିଭୂମି ଭାବେ କାର୍ଯ୍ୟ କରିବ। ଏଠାରେ ସ୍ୱାସ୍ଥ୍ୟ ସେବା ସୁବିଧା, ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସୁବିଧା ସମ୍ପର୍କରେ ସୂଚନା ଓ ସହାୟତା ମିଳିପାରିବ। ଏଠାରେ ଆଦିବାସୀମାନଙ୍କ କଳାକୃତି ଏବଂ ପାରମ୍ପରିକ ବସ୍ତ୍ର ଉଭୟ ପ୍ରଦର୍ଶନ ଏବଂ ବିକ୍ରୟ ପାଇଁ ସୁଯୋଗ ରହିବ।

ସୂଚନାଯୋଗ୍ୟ ଯେ, ଆଦିବାସୀ କଲ୍ୟାଣର ବିଭିନ୍ନ ଦିଗ ଉପରେ ଆଲୋଚନା, ବିଚାର ବିମର୍ଶ, ସଚେତନତା ଶିବିର ଆୟୋଜନ, ଏବଂ ନୂତନ ଚିନ୍ତାଧାରା ଉପରେ ଆଲୋଚନା କରିବା ପାଇଁ ସମସ୍ତ ଅନୁସୂଚିତ ଜନଜାତି ସମ୍ପ୍ରଦାୟ ପକ୍ଷରୁ ଆଦିବାସୀ ଭବନ ନିର୍ମାଣ ପାଇଁ ଦାବି କରାଯାଇଥିଲା । କାର୍ଯ୍ୟକ୍ରମରେ  ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର କମିଶନର ତଥା ଶାସନ ସଚିବ ରୂପାରୋଶନ ସାହୁ ସ୍ୱାଗତ ଭାଷଣ ଦେଇଥିଲେ ।ରାଜ୍ୟ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା, ନିର୍ଦ୍ଦେଶକ ଅନୁସୂଚିତ ଜନଜାତି ଇନ୍ଦ୍ରମଣୀ ତ୍ରିପାଠୀ ଏବଂ ବିଭାଗୀୟ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Post Views62 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!