ସିଗ୍‌ନାଲ୍‌ ନଥିବା ବେଳେ ପ୍ଲାଟ୍‌ଫର୍ମ ଭିତରକୁ ପଶିଗଲା ‘ଶତାବ୍ଦୀ’

ବାଲେଶ୍ବର ଜିଲ୍ଲା ବାହାନଗା ଟ୍ରେନ୍‌ ଦୁର୍ଘଟଣା ଏଯାଏଁ ମନରୁ ଲିଭି ନଥିବା ବେଳେ ଆଜି ନିକଟସ୍ଥ ମାର୍କୋଣା ଷ୍ଟେସନ୍‌ରେ ଘଟିଛି ଏକ ଛାତିଥରା ଘଟଣା। ସିଗ୍‌ନାଲ୍‌ ନଥିବା ବେଳେ ଶତାବ୍ଦୀ ଏକ୍ସପ୍ରେସ୍‌ ଷ୍ଟେସନ୍‌ ପ୍ଲାଟ୍‌ଫର୍ମ ଭିତରକୁ ପଶିଆସିଛି। ‌ତେବେ ଷ୍ଟେସନ୍‌ ମାଷ୍ଟର୍‌ଙ୍କ ତତ୍ପରତା ଯୋଗୁ ବଡ଼ ଅଘଟଣ ଟଳିଯାଇଛି। ସୂଚନା ଅନୁସାରେ ଆଜି ସଂଧ୍ୟା ବେଳେ ଶତାବ୍ଦୀ ଏକ୍ସପ୍ରେସ୍‌ ଅପ୍‌ ଲାଇନ୍‌ରେ ଯାଉଥିଲା। ଏହା ମାର୍କୋଣା ଷ୍ଟେସନ୍‌ର ୨ ନମ୍ବର ପ୍ଲାଟ୍‌ଫର୍ମ ଦେଇ ଯିବାର ଥିଲା।

ଷ୍ଟେସନ୍‌ ମାଷ୍ଟର୍‌ ୟୁଏନ୍‌ ପଣ୍ଡା ଲାଇନ୍‌ କ୍ଲିୟର୍‌ ନେଇ କୌଣସି ସିଗ୍‌ନାଲ୍‌ ଦେଇ ନଥିଲେ। ତଥାପି ଦାୟିତ୍ବହୀନ ଭାବେ ଦୁଇ ଲୋକୋ ପାଇଲଟ୍‌ ଟ୍ରେନ୍‌କୁ ଷ୍ଟେସନ୍‌ ଭିତରେ ପୂରାଇ ଦେଇଥିଲେ। ତେବେ ଷ୍ଟେସନ୍‌ ମାଷ୍ଟର୍‌ ଶ୍ରୀ ପଣ୍ଡା ସଂଗେ ସଂଗେ ଟ୍ରେନ୍‌କୁ ଅଟକାଇ ଥିଲେ। ଫଳରେ ବଡ଼ଧରଣର ଅଘଟଣ ଟଳିଯାଇଥିଲା। ଏପରି ସମୟରେ ଟ୍ରେନ୍‌ଟିକୁ ୧ ନମ୍ବର ପ୍ଲାଟ୍‌ଫର୍ମରେ ୬ଟା ୧୮ ମିନିଟ୍‌ରୁ ଅଟକି ରହିଥିଲା। ଅନ୍ୟ ଦୁଇଜଣ ଲୋକୋ ପାଇଲଟ୍‌ ଆସିବା ପରେ ସେମାନେ ୭ଟା ୨୫ ମିନିଟ୍‌ରେ ଟ୍ରେନ୍‌କୁ ଗନ୍ତବ୍ୟସ୍ଥଳ ଅଭିମୁଖେ ନେଇଥିଲେ।ଏନେଇ ଷ୍ଟେସନ୍‌ ମାଷ୍ଟର୍‌ ଶ୍ରୀ ପଣ୍ଡାଙ୍କୁ ଯୋଗାଯୋଗ କରାଯିବାରୁ ଏଭଳି ଘଟଣାକୁ ସ୍ବୀକାର କରିଛନ୍ତି। ସଂପୃକ୍ତ ୨ ଲୋକୋ ପାଇଲଟ୍‌ ଏବେ ମାର୍କୋଣା ଷ୍ଟେସନ୍‌ରେ ଅଟକ ଅଛନ୍ତି। ବିଭାଗୀୟ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ।

Post Views15 Total Count

Apply Now


This will close in 0 seconds

error: Content is protected !!