ସାଉଦି ଆରବର ମକ୍କା-ମଦିନା ରାଜପଥରେ ଘଟିଥିବା ଭୟଙ୍କର ବସ୍ ଦୁର୍ଘଟଣା ଭାରତର ଅନେକ ପରିବାରକୁ ଗଭୀର ଭାବରେ ମର୍ମାହତ କରିଛି। ଉମରା ପାଇଁ ଯାଉଥିବା ଏକ ବସ୍ କୁ ଏକ ଦ୍ରୁତଗାମୀ ଇନ୍ଧନ ଟ୍ୟାଙ୍କର ପଛରୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା।
ମହିଳା, ପୁରୁଷ ଏବଂ ପିଲାଙ୍କ ସମେତ ୪୫ ଜଣ ଭାରତୀୟ ନାଗରିକଙ୍କ ରମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ହାଇଦ୍ରାବାଦର ବାସିନ୍ଦା ଥିଲେ। ଏହି ଦୁଃଖଦ ଘଟଣା ପରେ, ତେଲେଙ୍ଗାନା କ୍ୟାବିନେଟ୍ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ସମ୍ବେଦନଶୀଳ ନିଷ୍ପତ୍ତି ନେଇଛି ଯେ, ମୃତକଙ୍କ ମୃତଦେହ ଭାରତ ଅଣାଯିବ ନାହିଁ।
ତେଲେଙ୍ଗାନା ସରକାର ଘୋଷଣା କରିଛନ୍ତି, ବସ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୪୫ ଜଣ ଭାରତୀୟ ତୀର୍ଥଯାତ୍ରୀଙ୍କ ମୃତଦେହକୁ ସାଉଦି ଆରବରେ ସେମାନଙ୍କ ଧାର୍ମିକ ରୀତିନୀତି ଅନୁଯାୟୀ କବର ଦିଆଯିବ।
ଏହି ନିଷ୍ପତ୍ତି ସାଉଦି ଆରବ ଆଇନ ଏବଂ ହଜ୍ ତଥା ଉମରା ମନ୍ତ୍ରଣାଳୟର ନିୟମ ଅନୁଯାୟୀ ନିଆଯାଇଛି। ନିୟମ ଅନୁଯାୟୀ, ଯାତ୍ରା ଆରମ୍ଭ କରିବା ପୂର୍ବରୁ ଏକ ଘୋଷଣାପତ୍ରରେ ସ୍ୱାକ୍ଷର କରୁଥିବା ତୀର୍ଥଯାତ୍ରୀଙ୍କୁ ସାଉଦି ମାଟିରେ ମୃତ୍ୟୁବରଣ କଲେ ସାଉଦି ଆରବରେ କବର ଦିଆଯାଇଥାଏ।

