ରାଜ୍ୟସଭା ସାଂସଦ ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ କଟକ-ବାରବାଟୀରୁ ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ଵ ନେଇ ପରୋକ୍ଷରେ ପ୍ରଶ୍ନ ଉଠାଇଛନ୍ତି। ଏଥି ସହିତ ଦଳର ନେତୃତ୍ଵର ନବୀକରଣ କରାଯାଉ ବୋଲି ଦାବି କରିଛନ୍ତି। ଓଡ଼ିଶା କଂଗ୍ରେସର ପୁନରୁଦ୍ଧାର ଓ ପୁନଜୀବିତ କରାଗଲେ ଭବିଷ୍ୟତ ମଜବୁତ ହେବ ବୋଲି ମଧ୍ୟ କହିଛନ୍ତି।
ବରିଷ୍ଠ ନେତା କହିଛନ୍ତି, ଦୀର୍ଘ ଦିନ ହେଲା ଭାରତୀୟ ଜାତୀୟ କଂଗ୍ରେସ ପାଇଁ କାମ କରୁଛି। କଂଗ୍ରେସ ସହିତ ମୋର ପରିବାର କାମ କରିବା ନୂଆ କଥା ନୁହେଁ। ମୋର ଜେଜେବାପାଙ୍କର ବାପା ଜଣେ ସ୍ବାଧୀନତା ସଂଗ୍ରାମୀ ଥିଲେ, ଯିଏକି ସ୍ବାଧୀନତା ସଂଗ୍ରାମର କଷ୍ଟ ଜାଣିଥିଲେ। ମୋର ବଡ଼ ଭାଇ ଯିଏ କି ୪୨ ବର୍ଷ ବୟସରେ ପରଲୋକ ଗମନ କରିଥିଲେ, ସେ ମଧ୍ୟ ତାଙ୍କ ଜୀବନକୁ କଂଗ୍ରେସ ସହିତ ଯୋଡ଼ିଥିଲେ। ଶେଷ ନିଃଶ୍ବାସ ନେବା ଯାଏଁ କଂଗ୍ରେସ ପାଇଁ କାମ କରିଥିଲେ।ମୋର ପରିବାରର ପୂର୍ବଜଙ୍କ ଉତ୍ସର୍ଗ ଏବଂ ତାଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ମୁଁ ମଧ୍ୟ କଂଗ୍ରେସ ପାଇଁ କାମ କରୁଛି। ଜିଲ୍ଲା ସଭାପତି, ପିସିସିର କୋଷାଧ୍ୟକ୍ଷ ଏବଂ ବାରବାଟୀ-କଟକ ବିଧାୟକ ଭାବେ ମୁଁ ମୋର ଜୀବନକୁ ପୂରା କଂଗ୍ରେସ ପାଇଁ ଦେଇଛି। ଦୀର୍ଘ ୩୫ ବର୍ଷ ପରେ ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀ ୨୦୧୯ରେ ପୁଣି ଥରେ କଂଗ୍ରେସ ପାଖକୁ ଫେରି ଆସିଛି ବୋଲି ମୋକିମ୍ କହିଛନ୍ତି।
ମହମ୍ମଦ ମୋକିମ କହିଛନ୍ତି, ୨୦୨୪ରୁ ମୋ ଝିଅ ସୋଫିଆ ଫିର୍ଦ୍ଦୋସ ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଅଛନ୍ତି। ତାଙ୍କର ବିଜୟ ଐତିହାସିକ ଥିଲା। ସେହି ସମୟରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କର ଘନଘନ ପ୍ରଚାର ସତ୍ତ୍ବେ ବାରବାଟୀ-କଟକ ଆସନକୁ କଂଗ୍ରେସ ହାତରୁ କେହି ଛଡ଼ାଇ ନେଇପାରି ନାହାନ୍ତି। ଏହା ଥିଲା ଲୋକଙ୍କର ଅପୂର୍ବ ବିଶ୍ବାସର ଫଳ। ଆମେ ତୃଣମୂଳସ୍ତରରେ ଲୋକଙ୍କ ପାଇଁ କାମ କରିଛୁ।

