ରାଜ୍ୟରେ ଜାରୀ ରହିଛି ଗ୍ରୀଷ୍ମ ପ୍ରବାହ । ଗ୍ରୀଷ୍ମ ପ୍ରବାହରେ ଭତ୍ତା ବଣ୍ଟନ ନେଇ ସରକାରଙ୍କ ଜରୁରୀ ନିର୍ଦ୍ଦେଶ । ବୃଦ୍ଧ ଓ ଅସହାୟଙ୍କୁ ଘରେ ମିଳିବ ଭତ୍ତା । ସମସ୍ତ ଜିଲ୍ଲାପାଳଙ୍କୁ ସମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠଙ୍କ ଚିଠି ।
ମଧୁବାବୁ ପେନସନ ଯୋଜନା ହିତାଧିକାରୀ ଅଂଶୁଘାତ, ଡିହାଇଡ୍ରେସନ, ହିଟ୍ ଷ୍ଟ୍ରୋକର ଶିକାର ହେବା ଆଶଙ୍କା ରହିଛି । ଏହିପରି ପରିସ୍ଥିତିରେ ସମସ୍ତ ଜିଲ୍ଲା ପ୍ରଶାସନକୁ ବଣ୍ଟନ କେନ୍ଦ୍ରରେ ପିଇବା ପାଣି, ORS ପ୍ୟାକେଟ ଓ ପ୍ରାଥମିକ ଚିକିତ୍ସା ସୁବିଧା ଯୋଗାଇବାକୁ କୁହାଯାଇଛି । ସେଥିସହିତ ବୃଦ୍ଧ, ଭିନ୍ନକ୍ଷମ, ଅସୁସ୍ଥ ଓ ଅସହାୟ ହିତାଧିକାରୀଙ୍କ ପାଇଁ ଘରେ ଘରେ ଭତ୍ତା ପହଞ୍ଚାଇବାକୁ ବିଶେଷ ଭାବେ ନିର୍ଦ୍ଦେଶ ଦିଆଯାଇଛି ।
କେବେଠୁ ଆରମ୍ଭ ହୋଇଛି ମଧୁବାବୁ ପେନସନ ଯୋଜନା ?
ସୂଚନା ଅନୁଯାୟୀ ମଧୁ ବାବୁ ପେନସନ ଯୋଜନା ତତ୍କାଳୀନ ବିଜେଡ଼ି ସରକାରଙ୍କ ଦ୍ୱାରା ୧ ଜାନୁଆରୀ ୨୦୦୮ରୁ ଆରମ୍ଭ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ ସୁରକ୍ଷା ଯୋଜନା । ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜ୍ୟର ଅସହାୟ, ବୃଦ୍ଧ, ଭିନ୍ନକ୍ଷମ, ବିଧବା ଏବଂ ଅନ୍ୟାନ୍ୟ ଦୁର୍ବଳ ବର୍ଗର ଲୋକଙ୍କୁ ମାସିକ ଆର୍ଥିକ ସହାୟତା ପ୍ରଦାନ କରିବା ।

