ଏଥର ବଦଳିଯିବ କି ଜଗତସିଂହପୁର ବାଜି ? ବିଜେଡିର ପଲ୍ଲା ଓଲଟାଇଦେବେକି ଅମରେନ୍ଦ୍ର ଦାସ । ପୂର୍ବତନ ବରିଷ୍ଠ ବିଜେଡି ନେତା ତଥା ଜଗତସିଂହପୁରର ଟାଣୁଆ ଓ ଲଢୁଆ ପୁଅ ଅମରେନ୍ଦ୍ର ଦାସଙ୍କୁ ବିଜେପି ପ୍ରାର୍ଥୀ କରିବା ପରେ ଏଭଳି ରାଜନୈତିକ ସମ୍ଭାବନା ଦେଖାଦେଇଛି । ବିଜେପିରେ ସାମିଲ ହୋଇ ବିଧାନସଭା ପ୍ରାର୍ଥୀ ହୋଇଛନ୍ତି ବିଜେଡିର ପୂର୍ବତନ ଜିଲ୍ଲା ସଭାପତି ଅମରେନ୍ଦ୍ର ଦାସ । ମଇଦାନରେ ଏବେ ପ୍ରଚାର ଯୁଦ୍ଧ ଚାଲିଥିବାବଳେ ସବୁଠି ଅମରେନ୍ଦ୍ରଙ୍କୁ ବିପୁଳ ଜନସମର୍ଥନ ମିଳୁଥିବା ଦେଖିବାକୁ ମିଳିଛି ।
ବଡ଼କଥା ହେଲା ଜିଲ୍ଲାରେ ବିଜେଡିର ହେଭିୱେଟ ଥିଲେ ଅମରେନ୍ଦ୍ର । ବିଜେଡିର ପ୍ରତିଟି ରଣନୀତି ସହ ସେ ପରିଚିତ । ଏଣୁ ଏଥର ବିଜେଡିକୁ ମାତ ଦେବାରେ ସେ ସଫଳ ହୋଇପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ୨୦୧୯ରେ ଅମରେନ୍ଦ୍ର ଜଗତସିଂହପୁରରେ ବିଜେଡି ଟିକେଟ ପାଇଁ ପ୍ରମୁଖ ଦାବିଦାର ଥିଲେ। ତେବେ ଦଳ ପ୍ରଶାନ୍ତ ମୁଦୁଲିଙ୍କୁ ପ୍ରାର୍ଥୀ କରିଥିଲା। ପରେ ଅମରେନ୍ଦ୍ରଙ୍କୁ କାଜୁ ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା। ଏଥର ମଧ୍ୟ ସେ ଜଗତସିଂହପୁର ପାଇଁ ଆଶାୟୀ ଥିଲେ। ତେବେ ସେଠାରେ ପୁଣି ପ୍ରଶାନ୍ତ ମୁଦୁଲିଙ୍କୁ ଦଳ ପ୍ରାର୍ଥୀ କଲା ପରେ ଅମରେନ୍ଦ୍ର ଅସନ୍ତୁଷ୍ଟ ହୋଇ ବିଜେଡି ଛାଡ଼ିଥିଲେ। ସେ ବିଜେପି ଟିକେଟରେ ଜଗତସିଂହପୁରରୁ ପ୍ରାର୍ଥୀ ହୋଇଛନ୍ତି ।
ଅମରେନ୍ଦ୍ର ଦାସଙ୍କ ସହ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବୀଦତ୍ତ ମହାନ୍ତି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସ୍ୱାଇଁ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଲକ୍ଷ୍ମୀକାନ୍ତ ସ୍ୱାଇଁ, ଅଳାସୁସଦା ସରପଞ୍ଚ ଭ୍ରମବର ସ୍ୱାଇଁ, କାଉନସିଲର ଦେବାଶିଷ ସ୍ୱାଇଁ, ଗୋଲାବ ଅଲ୍ଲି ଖାନ୍, ପିତେଇପୁରର ପୂର୍ବତନ ସରପଞ୍ଚ ନରେନ୍ଦ୍ର ବେହେରା, ହିମାଂଶୁ ରଞ୍ଜନ ମହାନ୍ତି, ତାରତଙ୍ଗା ପଞ୍ଚାୟତ ସମିତି ସଦସ୍ୟ ଲୋକନାଥ ମହାନ୍ତିଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ଏଣୁ ଅମରେନ୍ଦ୍ର ବିଜେଡିର ଏକ ବୃହତ୍ତ ଶକ୍ତିକୁ ନିଜ ସାଥିରେ ନେଇଛନ୍ତି ।
ପ୍ରାର୍ଥୀ ହେବା ସହ ଜଗତିସିଂହପୁରର ସେବା ପାଇଁ ସମ୍ପୂର୍ଣ୍ଣ ସମର୍ପିତ ବୋଲି କହିଛନ୍ତି ଅମରେନ୍ଦ୍ର । ଜିଲ୍ଲା ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସ୍ବର୍ଗତ ବିଷ୍ଣୁ ଦାସଙ୍କର ସଦର ମହକୁମାରେ ଏକ ପ୍ରତିମୂର୍ତ୍ତି ତିଆରି କରାଯିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି । ତାଙ୍କ ପ୍ରତି ଜନସାଧାରଣଙ୍କର ଭଲପାଇବା ଓ ସହଯୋଗ ରହିଛି। ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର ହେଉଛନ୍ତି ଏଠି ଦଳର ମୁରବୀ। ସେ ଯେମିତି ବାଟ ଦେଖାଇବେ ଆମେ ସେମିତି ଯିବୁ ବୋଲି ଅମରେନ୍ଦ୍ର କହିବା ସହିତ ତାଙ୍କୁ ସୁଯୋଗ ଦେଇଥିବାରୁ ରାଜ୍ୟ ସଭାପତି ମନମୋହନ ସାମଲ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଦୀର୍ଘ ୨୪ ବର୍ଷ ଧରି ଶାସନରେ ରହି ସୁଦ୍ଧା ଓଡିଶାର ସାମଗ୍ରିକ ବିକାଶ କରିବାରେ ବିଫଳ ହୋଇଛି ବିଜେଡି। ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାରରେ ଲିପ୍ତ ବିଜେଡି ନେତା, ମନ୍ତ୍ରୀଙ୍କ ଅସ୍ୱାଭାବିକ ବିକାଶ ହୋଇଛି। ଗତ ଦଶ ବର୍ଷରେ ମୋଦୀ ସରକାର ୧୮.୮୬ ଲକ୍ଷ କୋଟି ଟଙ୍କାର ଅନୁଦାନ ଓ ସହାୟତା ଯୋଗଇବା ସତ୍ତ୍ବେ ବିଜେଡି ସରକାର କାରଣରୁ ରାଜ୍ୟରେ ବିକାଶ ବାଧାପ୍ରାପ୍ତ ହୋଇଛି। ରାଜ୍ୟରେ ଗଣତନ୍ତ୍ରକୁ ହତ୍ୟା କରିବାର ଅପଚେଷ୍ଟା କରାଯାଉଛି। ଓଡିଆ ଅସ୍ମିତା ଓ ସ୍ୱାଭମମାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଓଡ଼ିଆ ଲୋକଙ୍କ ଆତ୍ମବିଶ୍ୱାସ ଫେରିବା ସହ ରାଜନୈତିକ ବ୍ୟବସ୍ଥାର ପରିବର୍ତନ ହେବ ଅମରେନ୍ଦ୍ର ମତ ପ୍ରକାଶ କରିଛନ୍ତି ।

