ଜଗତସିଂହପୁରରେ ରିପିଟ୍ ହେବେ ରାଜଶ୍ରୀ !

ଜଗତସିଂହପୁର ସଂସଦୀୟ କ୍ଷେତ୍ର ଉପକୂଳ ଓଡିଶାର ଏକ ପ୍ରମୁଖ ଲୋକସଭା ନିର୍ବାଚନମଣ୍ଡଳୀ ଭାବେ ଜଣାଶୁଣା । ଏହି କ୍ଷେତ୍ରରେ ୧୯୭୭ ମସିହାରୁ ନିର୍ବାଚନ ହୋଇ ଆସୁଥିବାବେଳେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଦଳର ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ପୂର୍ବରୁ କଂଗ୍ରେସ ଏବଂ ସିପିଆଇ ଏହି କ୍ଷେତ୍ରରେ ବେଶ ଦବଦବା ଜାହିର କରୁଥିବାବେଳେ ଏବେ ରାଜ୍ୟର ଶାସକ ବିଜେଡି ଏହି ସଂସଦୀୟ କ୍ଷେତ୍ରରେ ନିଜର ପ୍ରଭାବ ବିସ୍ତାର କରିଛି । ତେଣୁ ଆଗାମୀ ନିର୍ବାଚନରେ ଏହି ନିର୍ବାଚନମଣ୍ଡଳୀ ଉପରେ ସମସ୍ତଙ୍କର ନଜର ରହିଛି ।

ଜଗତସିଂହପୁର ଲୋକସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୁଣିଥରେ ରାଜଶ୍ରୀ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି । ୧୯୬୪ ମସିହାରେ ରାଜଶ୍ରୀ ମଲ୍ଲିକ କଟକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜରୁ ଡାକ୍ତରୀ ଶିକ୍ଷା ଶେଷ କରି ସେ ଡାକ୍ତର ଭାବେ କାର୍ଯ୍ଯ କରିଥିଲେ । ପରବର୍ତ୍ତୀ ପର୍ଯ୍ଯାୟରେ ସେ ରାଜନୀତିରେ ପ୍ରବେଶ କରିଥିଲେ । ୨୦୧୪ ରେ ସେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବିଧାନସଭା କ୍ଷେତ୍ରରେ ବିଜେଡି ପ୍ରାର୍ଥୀ ଭାବେ ଲଢି ଜିତିଥିଲେ । କଂଗ୍ରେସ ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ସେ ୩୫ ହଜାରରୁ ଅଧିକ ଭୋଟରେ ହରାଇଥିଲେ । ୨୦୧୯ରେ ଦଳ ତାଙ୍କୁ ଜଗତସିଂହପୁର ସଂସଦୀୟ କ୍ଷେତ୍ରରୁ ସାଂସଦ ପ୍ରାର୍ଥୀ କରିଥିଲା । ଏହି ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ବିଭୁ ପ୍ରସାଦ ତରାଇଙ୍କୁ ହରାଇ ବିଜୟୀ ହୋଇଥିଲେ । ସେ ଦୁଇ ଲକ୍ଷ ୭୧ ହଜାରରୁ ଅଧିକ ଭୋଟରେ ବିଜେପି ପ୍ରାର୍ଥୀଙ୍କୁ ହରାଇ ବିଜୟୀ ହୋଇଥିଲେ । ଏବେ ପୁଣି ଥରେ ଦଳ ତାଙ୍କ ଉପରେ ଭରସା କରିଛି । ଏଥର ବି ବିଜେପି ପ୍ରାର୍ଥୀ ବିଭୁ ପ୍ରସାଦ ତରାଇଙ୍କ ସହ ସେ ମୁହାଁମୁହିଁ ହେବେ ।

୨୦୧୯ରେ ପ୍ରଥମ କରି ମହିଳା ପ୍ରାର୍ଥୀ ଦେଇ ବିଜୟ ଧାରା ବଜାୟ ରଖିଥିଲା ବିଜେଡି । ୬ ଲକ୍ଷ ୧୯ ହଜାର ୯୮୫ ଭୋଟ ପାଇ ଏହି ଲୋକସଭା ଆସନ ଜିତିଥିଲେ ଦଳୀୟ ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ । ତାଙ୍କ ଭୋଟ ହାର ଥିଲା ୫୦.୪୪ ପ୍ରତିଶତ । ସେହିବର୍ଷ ନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହୋଇଥିବା ବିଭୁ ପ୍ରସାଦ ତରାଇଙ୍କୁ ମିଳିଥିଲା ୩ ଲକ୍ଷ ୪୮ ହଜାର ୩୩୦ ଖଣ୍ଡ ଭୋଟ । ତାଙ୍କ ଭୋଟ ହାର ଥିଲା ୨୮.୩୪ ପ୍ରତିଶତ । କଂଗ୍ରେସ ପ୍ରାର୍ଥୀ ପ୍ରତିମା ମଲ୍ଲିକ ପାଇଥିଲେ ୨ ଲକ୍ଷ ୩୯ ହଜାର ୬୮୪ ଭୋଟ । ତାଙ୍କ ଭୋଟ ହାର ଥିଲା ୧୯.୫ ପ୍ରତିଶତ ।

୧୯୭୭ରୁ ଗଠିତ ଏହି ଲୋକସଭା ଆସନରେ କଂଗ୍ରସ ୪ ଥର ବିଜୟ ହାସଲ କରିଥିବାବେଳେ ଜନତା ପାର୍ଟି ଥରେ, ବାମଦଳ ସିପିଆଇ ୩ ଥର ଓ ବିଜେଡି ପ୍ରାର୍ଥୀ ଦୁଇଥର ନିର୍ବାଚନ ଜିତିଛନ୍ତି । ତିନୋଟି ଜିଲ୍ଲାର ସାତୋଟି ବିଧାନସଭା ନିର୍ବାଚନମଣ୍ଡଳୀକୁ ନେଇ ଗଠିତ ଏହି ସଂସଦୀୟ କ୍ଷେତ୍ର ୨୦୦୮ ସୀମା ପୁନଃନିର୍ଦ୍ଧାରଣ କମିଶନଙ୍କ ସୁପାରିସ ଆଧାରରେ ପୁନର୍ଗଠିତ ହୋଇଛି । ଏହି ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଜଗତସିଂହପୁର ଜିଲ୍ଲାର ପାରାଦ୍ବୀପ, ତିର୍ତ୍ତୋଲ, ବାଲିକୁଦା-ଏରସମା, ଜଗତସିଂହପୁର ସମେତ କଟକର ନିଆଳି ଏବଂ ପୁରୀ ଜିଲ୍ଲାର କାକଟପୁର, ନିମାପଡା ବିଧାନସଭା ନିର୍ବାଚନମଣ୍ଡଳୀ ସାମିଲ ।

ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ବ୍ୟାପକ ଜନକଲ୍ୟାଣମୂଳକ କାର୍ଯ୍ୟ କରାଯାଇଛି । କ୍ରୀଡ଼ା ପାଇଁ ଷ୍ଟାଡିୟମ ନିର୍ମାଣ କରାଯିବ ସହ ଇନଡୋର ଷ୍ଟାଡିୟମ ବି ପ୍ରତିଷ୍ଠା କରାଯାଇଛି । ବିରିଡ଼ି ଶଙ୍ଖାରୀସାହି ପୋଲ ଜଗତସିଂହପୁରରୁ କଟକ ଭୁବନେଶ୍ବର ଦୂରତା ହ୍ରାସ କରିପାରିଛି । ମହାନଦୀ ଉପରେ ଜୟପୁର କଟିକଟାକୁ ଯୋଡୁଥିବା ପୋଲ, ହଂସୁଆ ନିକଟରେ ପୋଲ, ମା ଶାରଳାଙ୍କ ମନ୍ଦିର ରୂପାନ୍ତରଣ ଆଦି ବିକାଶମୂଳକ କାର୍ଯ୍ୟ ବେଶ ଲୋକପ୍ରିୟତା ହାସଲ କରିଛି । ଜୟପୁର ନିକଟରେ ହୋଇଥିବା ବୟନ ଗ୍ରାମ ବୁଣାକାରମାନଙ୍କ ପାଇଁ ବରଦାନ ସଦୃଶ ହୋଇଛି । ସ୍ବୟଂ ସହାୟକ ଗୋଷ୍ଠୀଗୁଡିକୁ ବ୍ୟବସାୟ ସୁଯୋଗ ମଧ୍ୟ ଯୋଗାଇ ଦେଇଛନ୍ତି ସରକାର । ସଂସଦୀୟ କ୍ଷେତ୍ରରେ ସ୍ବାସ୍ଥ୍ୟ ସେବା ସହ ଶିକ୍ଷା ବ୍ୟବସ୍ଥା ମଧ୍ୟ ସୁଦୃଢ ହୋଇଛି ।

ଉପକୂଳ ଜିଲ୍ଲାର ନିର୍ବାଚନମଣ୍ଡଳୀ ଗୁଡିକରେ ବିଜେଡିର ଭଲ ପ୍ରଭାବ ରହିଛି । ପୂର୍ବ ନିର୍ବାଚନକୁ ଦେଖିଲେ ଦଳ ଏହୁ କ୍ଷେତ୍ରଗୁଡିକରେ ବେଶ ଭଲ ପ୍ରଭାବ ବିସ୍ତାର କରି ଆସିଛି । ତେଣୁ ଆଗାମୀ ନିର୍ବାଚନରେ ଏହା ପ୍ରତିଫଳିତ ହେବ କିମ୍ବା ସ୍ଥିତିରେ କିଛି ପରିବର୍ତ୍ତନ ଆସିବ ତା ଉପରେ ରାଜନୈତିକ ମହଲର ନଜର ରହିଛି ।

Post Views36 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!