ଜନସେବା ହିଁ ମୁଖ୍ୟମନ୍ତ୍ରୀଙ୍କ ସଫଳତାର କାରଣ । ଜନସେବା ପାଇଁ ସେ ରାଜନୀତିକୁ ଓହ୍ଲାଇଛନ୍ତି ବିଜେଡିର ଉତ୍ତରାଧିକାରୀ ନବୀନ ବାଝିବେ … ନ୍ୟୁଜ-୧୮ ରାଇଜିଂ ଭାରତ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ସଫଳତାଠାରୁ ଉତ୍ତରାଧିକାରୀ ସମ୍ପର୍କିତ ପ୍ରଶ୍ନର ଏମିତି ଉତ୍ତର ଦେଇଥିଲେ ଫାଇଭ-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଓଡିଶାବାସୀ ନବୀନ ପଟ୍ଟନାୟକଙ୍କୁ ଜଣେ ରାଜନେତା ଭାବନ୍ତି ନାହିଁ । ମୁଖ୍ୟମନ୍ତ୍ରୀଙ୍କ ସେବା ମନୋବୃତ୍ତି ହିଁ ତାଙ୍କ ସଫଳତାର କାରଣ । ଆଉ ତାଙ୍କର ସେହି ଗୁଣକୁ ଆପଣାଇଛନ୍ତି କାର୍ତ୍ତିକ ପାଣ୍ଡିଆନ । ଓଡିଶାବାସୀଙ୍କ ଭଲପାଇବା ପାଇଁ ସେ ପ୍ରଶାସନିକ ବନ୍ଧନରୁ ମୁକ୍ତ ହୋଇ ଜନସେବାକୁ ବ୍ରତ କରିଛନ୍ତି । ସେଥିପାଇଁ ସେ ନିର୍ବାଚନ ଲଢିବେ ନାହିଁ, କିନ୍ତୁ ଷଷ୍ଠ ଥର ପାଇଁ ତିନି ଚତୁର୍ଥାଂଶ ଆସନରେ ଜିତିବାରେ ନବୀନ ପଟ୍ଟନାୟକଙ୍କୁ ସହଯୋଗ କରିବେ ।
ନବୀନଙ୍କ ଉତ୍ତରାଧିକାରୀ କିଏ ବୋଲି ପ୍ରଶ୍ନର ଉତ୍ତରରେ ପାଣ୍ଡିଆନ କହିଛନ୍ତି, ବିଜେଡିକୁ ଓଡିଶା ରୂପାନ୍ତରଣର ଗାଡି ଭାବେ ଗଢିଛନ୍ତି ମୁଖ୍ୟମନ୍ତ୍ରୀ । ତେଣୁ ତାର ଉତ୍ତରାଧିକାରୀ କିଏ ହେବ ସେ ସରପ୍ରାଇଜ ନବୀନ ଦେବେ । ଜଣେ ଅଣଓଡିଆ ବୋଲି ବିରୋଧୀ ତାଙ୍କୁ ସବୁବେଳେ ସମାଲୋଚନା କରୁଛନ୍ତି । ତେବେ ଓଡିଶାବାସୀ ବିଚାର କରିବେ କିଏ ସେବା ପାଇଁ କାମ କରୁଛନ୍ତି । ରାଜ୍ୟର ୭୦ ପ୍ରତିଶତ ଲୋକ ନିର୍ଭର କରୁଥିବା ସରକାରୀ ଅନୁଷ୍ଠାନର ବିକାଶ ଏକ ଲୋକାଭିମୁଖୀ ସରକାରର ଦାୟିତ୍ବ । କେବଳ ସେତିକି ନୁହେଁ, ରାଜ୍ୟର ସବୁ ଧର୍ମାନୁଷ୍ଠାନର ରୂପାନ୍ତରଣ ପ୍ରମାଣିତ କରୁଛି ଯେ, ଓଡିଶାରେ ଯେଉଁଠି ସବୁ ଧର୍ମାବଲମ୍ବୀଙ୍କ ଆସ୍ଥା ଓ ବିଶ୍ବାସକୁ ସମ୍ମାନ ଦିଆଯାଉଛି । କ୍ରୀଡାକୁ ସବୁବେଳେ କର୍ପୋରେଟ ହାଉସମାନେ ସ୍ପନସର କରିଥାନ୍ତି । ଓଡିଶା ଏକ ମାତ୍ର ରାଜ୍ୟ ଯିଏ ଉଭୟ ପୁରୁଷ ଓ ମହିଳା ହକି ଟିମକୁ ସ୍ପନସର କରୁଛି । କାରଣ ହକି ଏକମାତ୍ର କ୍ରୀଡା ଯାହା ସ୍ବାଧିନତା ପୂର୍ବରୁ ମଧ୍ୟ ବ୍ରିଟିଶ ବିରୋଧରେ ଭାରତୀୟଙ୍କ ଅନ୍ୟତମ ଗର୍ବ ଓ ଗୌରବ ଥିଲା ବୋଲି ପାଣ୍ଡିଆନ କହିଛନ୍ତି ।

