ପଶ୍ଚିମବଙ୍ଗ ଇତିହାସରେ ଯୋଡ଼ି ହେଲା ନୂଆ ଅଧ୍ୟାୟ। ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ହେବେ ପୋଷ୍ଟର୍ ବୟ ଫାୟାର ବ୍ରାଣ୍ଡ ନେତା ଶୁଭେନ୍ଦୁ ଅଧିକାରୀ। ବିଧାୟକ ଦଳ ବୈଠକରେ ଏକମାତ୍ର ନାଁ ଭାବେ ଶୁଭେନ୍ଦୁଙ୍କୁ ବଛା ଯିବା ପରେ ବଙ୍ଗରୁ ବିକାଶର ନୂଆ ରାଜନୀତି ଆରମ୍ଭ କରିବାକୁ ଯାଉଛି ବିଜେପି। କେନ୍ଦ୍ର ଗୃହମନ୍ତ୍ରୀ ତଥା ବଙ୍ଗ ବିଜୟର ମାଷ୍ଟର ମାଇଣ୍ଡ ଅମିତ୍ ଶାହ ଆଜି ଶୁଭେନ୍ଦୁଙ୍କ ନାଁ ଘୋଷଣା କରିବା ସହ ରାଷ୍ଟ୍ରୀୟ ସୁରକ୍ଷା ପାଇଁ ପଶ୍ଚିମବଙ୍ଗ ବିଜୟ କେତେ ଗୁରୁତ୍ବପୂର୍ଣ୍ଣ ଥିଲା ତାହା କହିଥିଲେ।
ଶୁଭେନ୍ଦୁ ହେବେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ। ଦୁଇ ଥର ମୁଖ୍ୟମନ୍ତ୍ରୀଙ୍କୁ ମାତ୍ ଦେଇଥିଲେ, ବେଙ୍ଗଲ ବ୍ୟାଟେଲର ସବୁଠୁ ବଡ଼ ଯୋଦ୍ଧା, ବିଜେପିର ପୋଷ୍ଟର ବୟ ଶୁଭେନ୍ଦୁ ଅଧିକାରୀ। ପଶ୍ଚିମବଙ୍ଗରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ସ୍ବର୍ଣ୍ଣିମ ଅକ୍ଷରରେ ଶୁଭେନ୍ଦୁ ନିଜ ନାଁ ଲେଖିବାକୁ ଯାଉଛନ୍ତି। ଯାହାକୁ ନେଇ ସବୁଠୁ ଅଧିକ କଳ୍ପନାଜଳ୍ପନା ହେଉଥିଲା, ଯେଉଁ ନାଁକୁ ନେଇ ଏଥର ବିଜେପି ନିର୍ବାଚନ ଲଢ଼ିଥିଲା ସେଇ ନାଁରେ ମୋହର ମାରିଛି ବିଜେପି। ଗୃହମନ୍ତ୍ରୀ ତଥା ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ଚୟନରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଅମିତ୍ ଶାହଙ୍କ ଘୋଷଣାକୁ ଅନେଇ ବସିଥିଲା ସାରା ପଶ୍ଚିମବଙ୍ଗ।
ଶୁଭେନ୍ଦୁ ହିଁ କାହିଁକି? ସଂଘ ଓ ବିଜେପି ପରିବାରର ଅନେକ ବରିଷ୍ଠ ନେତୃତ୍ବ ଥିବା ସତ୍ତ୍ବେ କାହିଁକି ଶୁଭେନ୍ଦୁ?…୭୦ ଦଶକରୁ ଜନସଂଘ ଓ ପରେ ବିଜେପି ବେଙ୍ଗଲରେ କ୍ଷମତା ହାତେଇବାକୁ ଚେଷ୍ଟା କରିଛି। କଂଗ୍ରେସ୍ ବିରୋଧରେ…ବାମ ସହ ଲଢ଼ି, ଟିଏମସିର ମୁକାବିଲା କରି କିନ୍ତୁ କେତେବେଳେ ସଂଗଠନ ତ ପୁଣି କେତେବେଳେ ଚେହେରାକୁ ନେଇ ଥିଲା ଅନେକ ସମସ୍ୟା। ହେଲେ ୨୦୨୧ ନିର୍ବାଚନ ସବୁକିଛି ବଦଳାଇ ଦେଇଥିଲା।
ବୋଧେ ଭାରତୀୟ ରାଜନୀତିରେ ୟା ପୂର୍ବରୁ ଏମିତି କେବେ ଘଟିଥିଲା ନା ଘଟିପାରେ। ଯାହା ସହ ମିଶି ନିର୍ବାଚନ ଲଢ଼ିଥିଲେ, ଯାହାକୁ ସାରା ରାଜ୍ୟରେ ପରିଚୟ ଦେଇଥିଲେ, ତାଙ୍କୁ ହିଁ ଦୁଇ ଦୁଇ ଥର ମାତ୍ ଦେଇ କ୍ଷମତାରୁ ହଟାଇଛନ୍ତି। ମମତାଙ୍କ ଭଳି ଫାଏର ବ୍ରାଣ୍ଡ ଓ ଜନପ୍ରୀୟ ନେତ୍ରୀଙ୍କ ବିରୋଧରେ ଏକମାତ୍ର ଚେହେରା ଭାବେ ସାମ୍ନାକୁ ଆସିଥିଲେ ଏକଦା ମମତାଙ୍କ ଘନିଷ୍ଠ ସହଯୋଗୀ ଶୁଭେନ୍ଦୁ।
୨୦୦୭ରେ ନନ୍ଦିଗ୍ରାମରେ ବାମ ସରକାର ବିରୋଧରେ ଜମି ଆନ୍ଦୋଳନରେ ମମତାଙ୍କୁ ମିଳିଥିଲା ବଡ଼ ମାଇଲେଜ୍। ଲଢ଼ିଥିଲେ, ପୋଲିସର ମାଡ଼ ଖାଇଥିଲେ, ସଂଗଠନ ବନାଇଥିଲେ ଆଉ ମମତାଙ୍କୁ ଆଗକୁ ଆଣିଥିଲେ ଶୁଭେନ୍ଦୁ। ବାସ୍ ଏଇ ନନ୍ଦିଗ୍ରାମ ଲାଲ ମାଟିରେ ମମତାଙ୍କ ପାଇଁ ରେଡ୍ କାର୍ପେଟ ବିଛାଇଥିବା ନେତା ଶୁଭେନ୍ଦୁ ହିଁ ୨୦୨୧ରେ ମମତାଙ୍କୁ ହରାଇ ବନି ଯାଇଥିଲେ ବିଜେପିର ପୋଷ୍ଟର ବୟ।
ଗଲା ୫ ବର୍ଷ ଧରି ମମତାଙ୍କ ବିରୋଧରେ ମୋର୍ଚ୍ଛା ଖୋଲିବା, ବେଙ୍ଗଲ ବିଜେପିର କନ୍ଦଳକୁ ସମ୍ଭାଳିବା ଏବଂ କେନ୍ଦ୍ରୀୟ ନେତାଙ୍କ ଏକଦମ୍ ପ୍ରୀୟ ବନି ଯାଇଥିଲେ ଶୁଭେନ୍ଦୁ।

