ବିହାରର ବୈଶାଳୀ ଜିଲ୍ଲାର । ୮୪ ବର୍ଷୀୟ ଦୀପ ରାୟ ଆଜି ଯେଉଁ ଅବସ୍ଥାରେ ଅଛନ୍ତି, ତାହା କୌଣସି ବି ମଣିଷ ପାଇଁ ଦୟାର ପାତ୍ର ହୋଇପାରେ । କିନ୍ତୁ ଆଇନର ଆଖିରେ ସେ ଜଣେ ଅପରାଧୀ। ଆଜକୁ ପ୍ରାୟ ୩୩ ବର୍ଷ ତଳେ, ଅର୍ଥାତ୍ ୧୯୯୨ ମସିହା ନଭେମ୍ବର ୧୦ ତାରିଖରେ ଏକ ସାମାନ୍ୟ ବିବାଦକୁ ନେଇ ସେ ଯେଉଁ ରକ୍ତମୁଖା ରୂପ ଧାରଣ କରିଥିଲେ, ତାହାର ପରିଣାମ ଆଜି ତାଙ୍କୁ ଭୋଗିବାକୁ ପଡ଼ୁଛି।
ଘଟଣାଟି ଥିଲା – ରାଘବପୁର ଗାଁର ଅଦାଲତ ରାୟ ନିଜ ପତ୍ନୀଙ୍କ ସହ ଘର ଆଗରେ ବସିଥିବା ବେଳେ ଦୀପ ରାୟ ଏବଂ ତାଙ୍କ ପରିବାର ଲୋକେ ମାରଣାସ୍ତ୍ର ଧରି ସେଠାରେ ପହଞ୍ଚିଥିଲେ । କେବଳ ସେତିକି ନୁହେଁ, ରାସ୍ତାରେ କାଚ ଖଣ୍ଡ ବିଛାଇ ଏକ ଜଘନ୍ୟ କାଣ୍ଡ ଭିଆଇଥିଲେ । ବିରୋଧ କରିବାରୁ ଆକ୍ରମଣ ମଧ୍ୟ କରିଥିଲେ। ସେତେବେଳେ ଦୀପ ରାୟ ଯୁବକ ଥିଲେ, ଶରୀରରେ ଶକ୍ତି ଥିଲା ଏବଂ ମନରେ ଉନ୍ମାଦନା ଥିଲା। କିନ୍ତୁ ସେ ଭୁଲିଯାଇଥିଲେ ଯେ, ସମୟର ଚକ ସବୁବେଳେ ସମାନ ରହେନାହିଁ।୧୯୯୩ରୁ ଆରମ୍ଭ ହୋଇଥିବା ଏହି ଆଇନଗତ ଲଢ଼େଇ ଦୀର୍ଘ ୩୩ ବର୍ଷ ଧରି ଚାଲିଲା। ଏହି ସମୟ ମଧ୍ୟରେ ମାମଲାର ଅନ୍ୟ ୪ ଜଣ ଅଭିଯୁକ୍ତ ମୃତ୍ୟୁବରଣ କରିସାରିଛନ୍ତି। କିନ୍ତୁ ଦଇବର ବିଚାର ଦେଖନ୍ତୁ, ମୁଖ୍ୟ ଅଭିଯୁକ୍ତ ଦୀପ ରାୟଙ୍କୁ ନିଜ ପାପର ଫଳ ଦେଖିବା ପାଇଁ ବୋଧହୁଏ ନିୟତି ଜୀବିତ ରଖିଥିଲା। ଆଜି ଯେତେବେଳେ ସେ ସମ୍ପୂର୍ଣ୍ଣ ଅସମର୍ଥ, ଯେତେବେଳେ ସେ ପୁଅ-ନାତିଙ୍କ ସେବା ଆଶା କରୁଛନ୍ତି, ସେହି ସମୟରେ ତାଙ୍କୁ ଜେଲ୍ର ଚାରିକାନ୍ଥ ଭିତରକୁ ଯିବାକୁ ପଡ଼ୁଛି।
କୋର୍ଟ ତାଙ୍କୁ ହତ୍ୟା ଉଦ୍ୟମ (ଆଇପିସି ଧାରା ୩୦୭) ଭଳି ସଙ୍ଗୀନ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ଘଟଣା ସମାଜ ପାଇଁ ଏକ ବଡ଼ ଶିକ୍ଷା। ନ୍ୟାୟାଳୟର ପ୍ରକ୍ରିୟା ବିଳମ୍ବ ହୋଇପାରେ, କିନ୍ତୁ ଅପରାଧର ହିସାବ ଦିନେ ନା ଦିନେ ଦେବାକୁ ପଡ଼େ। “କର୍ମ କେବେ ପିଛା ଛାଡ଼େ ନାହିଁ” – ଏହି ପୁରୁଣା କଥାଟି ଆଜି ଦୀପ ରାୟଙ୍କ କ୍ଷେତ୍ରରେ ସତ୍ୟ ପ୍ରମାଣିତ ହୋଇଛି। ଯୌବନର ଜୋସ୍ରେ କରାଯାଇଥିବା ଭୁଲ୍ ଆଜି ବାର୍ଦ୍ଧକ୍ୟର ଅନ୍ତିମ ମୁହୂର୍ତ୍ତକୁ ନର୍କ କରିଦେଇଛି। ଏହି ଦୃଶ୍ୟ ଦେଖିବା ପରେ ସାଧାରଣ ଲୋକଙ୍କ ମନରେ ଏକ ସ୍ପଷ୍ଟ ବାର୍ତ୍ତା ଯାଉଛି ଯେ- ଅପରାଧ କଲେ ଦଣ୍ଡ ନିଶ୍ଚିତ, ତାହା ଆଜି ହେଉ ବା ୩୦ ବର୍ଷ ପରେ।

