ଫ୍ଲାଇଦୁବାଇ ବିମାନ ଅପହରଣ ଉଦ୍ୟମ ପଣ୍ଡ, ମୃତ୍ୟୁ ମୁଖରୁ ଫେରିଲେ ଯାତ୍ରୀ

ଫ୍ଲାଇଦୁବାଇ ବିମାନ ଅପହରଣ ଉଦ୍ୟମ ପଣ୍ଡ, ମୃତ୍ୟୁ ମୁଖରୁ ଫେରିଲେ ଯାତ୍ରୀ । ସୁରକ୍ଷିତ ଫେରିବା ପରେ କାନ୍ଦି ପକାଇଲେ ଇସ୍ରାଏଲୀ ଯାତ୍ରୀ । ଖୁସିରେ ଗାଇଲେ ଗୀତ । କୋ-ପାଇଲଟ୍ ଙ୍କ ଛୁରାମାଡ଼ ସତ୍ତ୍ୱେ ଭାରତୀୟ କ୍ୟାପ୍ଟେନ୍ ଓ ଯାତ୍ରୀଙ୍କ ସାହସିକତା ଯୋଗୁଁ ଟଳିଥିଲା ବଡ଼ ବିମାନ ବିପତ୍ତି। ସାଉଦି ଆରବରେ ଜରୁରୀ ଅବତରଣ ପରେ ସୁରକ୍ଷିତ ଫେରିଲେ ସମସ୍ତେ ।

ଦୁବାଇରୁ ଇସ୍ରାଏଲ ଅଭିମୁଖେ ଯାଉଥିବା ଫ୍ଲାଇଦୁବାଇ ବିମାନରେ ମଝି -ଆକାଶରେ ଘଟିଥିବା ଭୟାନକ ଅପହରଣ ତଥା ବିମାନ ଦୁର୍ଘଟଣା ଘଟାଇବା ଉଦ୍ୟମ ଅଳ୍ପକେ ପଣ୍ଡ ହୋଇଛି । ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ସୁରକ୍ଷିତ ଭାବେ ନିଜ ଦେଶକୁ ଫେରିବା ପରେ ଇସ୍ରାଏଲୀ ଯାତ୍ରୀମାନେ ଭାବବିହ୍ବଳ ହୋଇପଡ଼ିଛନ୍ତି । ତେଲ୍ ଆଭିଭ୍ ର ବେନ୍ ଗୁରିଅନ୍ ବିମାନବନ୍ଦରରେ ପହଞ୍ଚିବା କ୍ଷଣି ଯାତ୍ରୀମାନେ ଖୁସିରେ କାନ୍ଦି ପକାଇଥିଲେ । ପରସ୍ପରକୁ ଆଲିଙ୍ଗନ କରି ଭଗବାନଙ୍କ ଉଦ୍ଦେଶ୍ୟରେ କୃତଜ୍ଞତା ଜଣାଇ ଗୀତ ଗାଇଥିବାର ଭାବପ୍ରବଣ ଦୃଶ୍ୟ ସାମ୍ନାକୁ ଆସିଛି ।

ଦୁବାଇରୁ ପ୍ରାୟ ୧୮୦ ଜଣ ଯାତ୍ରୀଙ୍କୁ ନେଇ ଉଡ଼ାଣ ଭରିଥିବା ଫ୍ଲାଇଦୁବାଇ ବିମାନରେ ବହୁ ସଂଖ୍ୟାରେ ଇସ୍ରାଏଲୀ ନାଗରିକ ଥିଲେ। ଉଡ଼ାଣ ଚାଲିଥିବା ସମୟରେ ବିମାନର ଓମାନୀ କୋ-ପାଇଲଟ୍ ହଠାତ୍ ମୁଖ୍ୟ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ୍ ମାଚ୍ଛର୍ ଙ୍କ ଉପରକୁ ଛୁରୀରେ ମରଣାନ୍ତକ ଆକ୍ରମଣ କରିଥିଲେ। ଆକ୍ରମଣକାରୀ କୋ-ପାଇଲଟ୍ ଜଣକ ବିମାନକୁ ନିୟନ୍ତ୍ରଣ ବାହାରକୁ ନେଇ କ୍ରାସ୍ କରାଇବା ବା ଆତ୍ମଘାତୀ ଢଙ୍ଗରେ ଖସାଇ ଦେବାକୁ ଚେଷ୍ଟା କରୁଥିଲେ । ଛୁରାମାଡ଼ରେ ରକ୍ତାକ୍ତ ଓ ଗୁରୁତର ଆହତ ହେବା ସତ୍ତ୍ୱେ ଭାରତୀୟ କ୍ୟାପ୍ଟେନ୍ ନିଜର ଶେଷ ସାମର୍ଥ୍ୟ ପ୍ରୟୋଗ କରି କକ୍ ପିଟ୍ ର ସୁରକ୍ଷା ଦ୍ୱାର ଖୋଲି ଦେଇଥିଲେ ।

ବିମାନ ହଠାତ୍ ତଳକୁ ଢଳିବା ଦେଖି ଭୟଭୀତ ନହୋଇ କିଛି ଇସ୍ରାଏଲୀ ଯାତ୍ରୀ ତୁରନ୍ତ କକ୍ ପିଟ୍ ଭିତରକୁ ଧସେଇ ପଶିଥିଲେ। ସେମାନେ ଆକ୍ରମଣକାରୀ କୋ-ପାଇଲଟ୍ ଙ୍କୁ ସାହସର ସହିତ କାବୁ କରି ବାନ୍ଧି ପକାଇଥିଲେ । ଏହାପରେ ବିମାନରେ ଥିବା ଅନ୍ୟ କ୍ରିୟୁ ଏବଂ ଅଫ୍-ଡ୍ୟୁଟି ପାଇଲଟ୍ ବିମାନର ଭାରସାମ୍ୟ ରକ୍ଷା କରିଥିଲେ । ପରିସ୍ଥିତିକୁ ଦୃଷ୍ଟିରେ ରଖି ବିମାନକୁ ଉତ୍ତର ସାଉଦି ଆରବର ତବୁକ୍ ବିମାନବନ୍ଦର ଅଭିମୁଖେ ଡାଇଭର୍ଟ କରାଯାଇ ସେଠାରେ ଜରୁରୀକାଳୀନ ଅବତରଣ କରାଯାଇଥିଲା । ବିମାନରେ ଥିବା ଜଣେ ଡାକ୍ତର ଯାତ୍ରୀ ତୁରନ୍ତ ରକ୍ତାକ୍ତ ଭାରତୀୟ କ୍ୟାପ୍ଟେନଙ୍କ ରକ୍ତସ୍ରାବ ବନ୍ଦ କରି ପ୍ରାଥମିକ ଚିକିତ୍ସା ଯୋଗାଇ ଦେଇଥିଲେ, ଯାହା ଫଳରେ ତାଙ୍କ ଜୀବନ ରକ୍ଷା ପାଇପାରିଛି । ସାଉଦି ସୁରକ୍ଷା ବାହିନୀ ଆକ୍ରମଣକାରୀ କୋ-ପାଇଲଟ୍ କୁ ଗିରଫ କରି ପଚରାଉଚରା ଚଳାଇଛି। ଘଟଣା ପରେ ତବୁକ୍ ରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ୧୭୪ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ତେଲ୍ ଆଭିଭ୍ ଫେରାଇ ଅଣାଯାଇଥିଲା । ବିମାନବନ୍ଦରରେ ଅପେକ୍ଷା କରିଥିବା ପରିବାରବର୍ଗଙ୍କୁ ଦେଖି ଯାତ୍ରୀମାନେ ନିଜ ଭାବପ୍ରବଣତାକୁ ରୋକି ପାରିନଥିଲେ । ସମସ୍ତେ ମିଶି ଜୀବନ ବଞ୍ଚିଯାଇଥିବାର ଉତ୍ସବ ପାଳନ କରିବା ସହ ଗୀତ ଗାଇ ନିଜ ଖୁସି ପ୍ରକାଶ କରିଥିଲେ ।

Post Views57 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!