ପ୍ରାଥମିକ ସ୍ତରରୁ ଶିକ୍ଷାର ମାନ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଆଜି ଲୋକସେବା ଭବନ  ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟର ସାମାଜିକ କ୍ଷେତ୍ରର ସମସ୍ୟା ସମାଧାନ ଏବଂ ଉନ୍ନତି ନିମନ୍ତେ ଏକ ଉଚ୍ଚସ୍ତରୀୟ ‘ପ୍ରୟାସ’ (PRAYASS) ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସାମାଜିକ କ୍ଷେତ୍ରର ବିଭିନ୍ନ ଜଟିଳ ସମସ୍ୟାଗୁଡ଼ିକୁ ତୃଣମୂଳ ସ୍ତରରେ ଅନୁଧ୍ୟାନ କରି ସେଗୁଡ଼ିକର ସ୍ଥାୟୀ ତଥା ତ୍ୱରିତ ସମାଧାନ ପାଇଁ ଏକ ସୁଦୃଢ଼ ଓ ଗଠନମୂଳକ ପ୍ଲାଟଫର୍ମର ଆବଶ୍ୟକତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

ଏହି ବୈଠକରେ ମୁଖ୍ୟତଃ ତିନୋଟି ପ୍ରମୁଖ ବିଭାଗ ଯଥା- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ମହିଳା ଓ ଶିଶୁ ବିକାଶ  ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କାର୍ଯ୍ୟକାରିତାକୁ ନେଇ ବିସ୍ତୃତ ସମୀକ୍ଷା କରାଯାଇଥିଲା।  ବୈଠକରେ, ସ୍ୱାସ୍ଥ୍ୟ, ପୁଷ୍ଟିସାଧନ ଏବଂ ଗୁଣାତ୍ମକ ଶିକ୍ଷା- ଏହି ତିନୋଟି କ୍ଷେତ୍ର ମାଧ୍ୟମରେ ହିଁ ଏକ ମଜବୁତ ସମାଜ ଗଠନ ହୋଇପାରିବ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ ସଂପୃକ୍ତ ବିଭାଗଗୁଡ଼ିକୁ ଅଧିକ ତତ୍ପର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ଜନସାଧାରଣଙ୍କ ମୌଳିକ ଆବଶ୍ୟକତା ସହ ଜଡ଼ିତ ଏହି କ୍ଷେତ୍ରଗୁଡ଼ିକର କାର୍ଯ୍ୟଦକ୍ଷତାକୁ ଆହୁରି ଉନ୍ନତ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ବୈଠକରେ ମାତୃ ମୃତ୍ୟୁ ହାରକୁ ସର୍ବନିମ୍ନ ସ୍ତରକୁ ଆଣିବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ଦୃଢ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବିଶେଷକରି ପ୍ରସୂତି ଏବଂ ନବଜାତ ଶିଶୁମାନଙ୍କୁ ଗ୍ରାମାଞ୍ଚଳ ତଥା ଦୂରଦୂରାନ୍ତ ଅଞ୍ଚଳରେ ସର୍ବୋତ୍ତମ ଚିକିତ୍ସା ସୁବିଧା ଯୋଗାଇବା, ସ୍ୱାସ୍ଥ୍ୟକର୍ମୀମାନଙ୍କ ଦାୟିତ୍ୱବୋଧ ବୃଦ୍ଧି କରିବା ଏବଂ ମେଡିକାଲ ଗୁଡ଼ିକରେ ଜରୁରୀକାଳୀନ ସେବାକୁ ଅଧିକ ସୁଦୃଢ଼ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।  
ଶିଶୁମାନଙ୍କ ମଧ୍ୟରେ ଦେଖାଯାଉଥିବା ପୁଷ୍ଟିହୀନତା ଯୋଗୁ ବୟସ ଅନୁପାତରେ କମ୍‌ ଉଚ୍ଚତା (stunting) ଓ ଦୁର୍ବଳ (wasting) ପରି  ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି। ଏହିସବୁ ସମସ୍ୟାକୁ ସମ୍ପୂର୍ଣ୍ଣ ଭାବରେ ଦୂର କରିବା ପାଇଁ ‘ସୁପୋଷିତ ଓଡ଼ିଶା’ ଅଭିଯାନକୁ ଅଧିକ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ମାଧ୍ୟମରେ ପ୍ରଦାନ କରାଯାଉଥିବା ଖାଦ୍ୟ ଓ ପୁଷ୍ଟିକର ସାମଗ୍ରୀର ମାନ ତଥା ନିରିକ୍ଷଣ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି।ଶିକ୍ଷା କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ପ୍ରାଥମିକ ସ୍ତରରୁ ହିଁ ପିଲାଙ୍କ ମୌଳିକ ଶିକ୍ଷାର ମାନରେ ବୃଦ୍ଧି କରିବା ପାଇଁ ସମସ୍ତ ଚେଷ୍ଟା କରିବାକୁ ମୁଖ୍ୟମନ୍ତ୍ରୀ ବୈଠକରେ ପରାମର୍ଶ ଦେଇଛନ୍ତି। ଏଥିସହିତ ଶିକ୍ଷକମାନେ ଶିକ୍ଷାଦାନ ଏବଂ ଶିକ୍ଷାର ମୂଳ କାର୍ଯ୍ୟକ୍ରମଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ଧ୍ୟାନ କେନ୍ଦ୍ରିତ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। 

Post Views43 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!