ବିଜ୍ଞାପନରେ ଫଟୋକୁ ନେଇ ରାଜନୀତି; ଅତୀତ ମନେ ପକାଇଦେଲେ ଅଶୋକ

ଭୁବନେଶ୍ବରରୁ ରାଉରକେଲାକୁ ଉଡିଲା ବିମାନ। ଯାହାର ଶୁଭାରମ୍ଭ ୭ ତାରିଖରେ ହେଲା। ହେଲେ ତାହା ଏବେ ଯେତିକି ଚର୍ଚ୍ଚାର ଖୋରାକ ଯୋଗାଇନି ତାଠାରୁ ଅଧିକ ଚର୍ଚ୍ଚା ସାଉଣ୍ଟୁଛି ସେଦିନର ବିଜ୍ଞାପନ। ବିଜ୍ଞାପନରେ କେବଳ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନଥିବାରୁ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ହେଲେ ୮ ତାରିଖରେ ସେଲ ପକ୍ଷରୁ ରାଉରକେଲାକୁ ବିମାନ ସେବା ଆରମ୍ଭ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇ ପ୍ରକାଶ ପାଇଥିବା ବିଜ୍ଞାପନରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ନଥିବାରୁ ଏହାର ଜବାବ ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।
ବିଶାଳ ହୃଦୟ କଥା ମନେପକାଇ ଧର୍ମେନ୍ଦ୍ରଙ୍କୁ କଟାକ୍ଷ କରିଛନ୍ତି ବିଜେଡି ନେତା। ଏହାସହ ମହାନତା କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି। ସେହିପରି ଅତୀତ କଥା ମନେପକାଇ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ସେ ସମାଲୋଚନା କରିଛନ୍ତି। ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି, ପୂର୍ବରୁ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଜମି ଯୋଗାଇଦେଇଥିଲେ। ଦୁଇଟି ଯାକ ବିଦ୍ୟାଳୟ ମୋ ନିର୍ବାଚନ ମଣ୍ଡଳୀରେ ହେଉଥିବାରୁ ମୁଁ ଓ ସ୍ଥାନୀୟ କର୍ପୋରେଟର ଦିନରାତି କାମ କଲୁ। ହେଲେ ଉଦଘାଟନକୁ ମୋତେ ଡକାଗଲାନାହିଁ। ଏହାସହ ଦିଲ୍ଲୀରେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ପାଳନ କରାଗଲା। ସେସମୟରେ ସଂସ୍କୃତି ମନ୍ତ୍ରୀ ଥିଲେ ବି ମୋତେ ନିମନ୍ତ୍ରଣ କରାଯାଇନଥିବାର ସେ କହିଛନ୍ତି। ହେଲେ ବରୁଣେଇରେ ଦଳମତ ନିର୍ବିଶେଷରେ ମୁଁ ସମସ୍ତଙ୍କୁ ନିମନ୍ତ୍ରଣ କରିଥିଲି ବୋଲି ମନ୍ତ୍ରୀ କହିଥିଲେ। ବିଶାଳ ହୃଦୟ କଣ ତାହା ଆମେ କାମରେ କରିଦେଖାଇଛୁ ବୋଲି କହି ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିଛନ୍ତି ସେ। ଏହାସହ ବଡବଡ କଥା କହିବା ପୂର୍ବରୁ ନିଜେ ପୂର୍ବରୁ କଣ କରିଛ ତାହା ଅବଲୋକନ କରିବା ଆବଶ୍ୟକ ବୋଲି ଶ୍ରୀ ପଣ୍ଡା କହିଛନ୍ତି।
ଅନ୍ୟପଟେ ସେଦିନର କଥା ମନେପକାଇ କିପରି ତାଙ୍କୁ କହିବାକୁ ସୁଯୋଗ ଦିଆଗଲା ନାହିଁ ତା ମଧ୍ୟ ବଖାଣିଛନ୍ତି ଶ୍ରୀ ପଣ୍ଡା। ଏହାସହ ଧର୍ମେନ୍ଦ୍ର ପ୍ରଧାନ ଘର କଥା ଘରେ ରହିବା ଦରକାରର କଥା କହି ଓଡ଼ିଆରେ ବିଜ୍ଞାପନକୁ ନେଇ ସମାଲୋଚନା କରିଥିବାବେଳେ ଏହାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିପରି ହିନ୍ଦିରେ କହିଲେ ତାକୁ ନେଇ ମଧ୍ୟ ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି।

Post Views16 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!