ଏଣିକି ଆଗକୁ ବଢ଼ି ଚାଲିବେ ମା’

ସାଧାରଣ ଜୀବନରେ ଯେଉଁ କୋଟି କୋଟି ମା ସଂଗ୍ରାମ ଜାରି ରଖିଛନ୍ତି ଏବଂ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି ସେମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିର ଦିନଟିକୁ ସମର୍ପିତ କରିଛନ୍ତି।ଆଜି ଲୋକସେବା ଭବନସ୍ଥିତ କନ୍‌ଭେନସନ ସେଣ୍ଟର ଠାରେ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ରାଜ୍ୟ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ଏକ ସପ୍ତାହ ବ୍ୟାପୀ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।

ଏହି ଅବସରରେ ୩ ଜଣ ଶ୍ରେଷ୍ଠ ଅଙ୍ଗନବାଡ଼ି କର୍ମୀ, ଶ୍ରେଷ୍ଠ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଏବଂ ଶ୍ରେଷ୍ଠ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ପୁରସ୍କୃତ କରାଯାଇଥିଲା।

କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହିଳା ସଶକ୍ତିକରଣ ଆଜି କେବଳ ଏକ ସ୍ଲୋଗାନ ନୁହେଁ, ଏହା ଆଜି ଏକ ବାସ୍ତବତା। ଓଡିଶାର ମା’ ମାନେ ଆଜି ରୂପାନ୍ତରର ସାରଥୀ ହୋଇଛନ୍ତି। ୭୦ ଲକ୍ଷ ମା ମାନଙ୍କ ବିଶାଳ ସଂଗଠନ ଆଜି SHGରୁ SME ହେବାକୁ ଯାଉଛି। ମା ମାନେ ଉଦ୍ୟୋଗୀ ହେବାକୁ ଯାତ୍ରା ଆରମ୍ଭ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମା ମାନେ କାହା ଠାରୁ କମ୍‌ ନୁହେଁ। ମା ମାନେ ନିଜ ନିଜର ପ୍ରତିଭା ଓ ଦକ୍ଷତା ଦ୍ବାରା ସମାଜରେ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ସେମାନେ ପ୍ରମାଣିତ କରିପାରିଛନ୍ତି ଝିଅ ଆଜି ପରିବାର ପାଇଁ ବୋଝ ନୁହେଁ, ବରଂ ପରିବାରର ମଣି । କନ୍ୟା ରତ୍ନ ।

ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଆନ୍ତର୍ଜାତିକ ମହିଳା ଦିବସ ପାଇଁ ବିଷୟ ବସ୍ତୁ ରହିଛି ‘ନବ ପରିବର୍ତ୍ତନ ଓ ପ୍ରଯୁକ୍ତି ବିଦ୍ୟା ଦ୍ବାରା ଲିଙ୍ଗଗତ ସମାନତା ହାସଲ’ (Innovation and Technology for Gender Equality) । ଏହା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ପ୍ରଯୁକ୍ତି ବିଦ୍ୟା ଆମକୁ ସମାଜରେ ଲିଙ୍ଗଗତ ବିଭେଦ ଦୂର କରିବା ପାଇଁ ଏକ ଅନନ୍ୟ ସୁଯୋଗ ଦେଇଛି । ଇନୋଭେସନ ଓ ଟେକ୍‌ନୋଲୋଜିର ପ୍ରୟୋଗରେ ଶିକ୍ଷା, ନିଯୁକ୍ତି, କର୍ମକ୍ଷେତ୍ର ଏବଂ ସମାଜର ବିଭିନ୍ନ କ୍ଷେତ୍ରରେ ବିଭେଦ ଦୂର କରାଯାଇ ନାରୀ ମାନଙ୍କ ଅଧିକାରର ସୁରକ୍ଷା କରାଯାଇପାରୁଛି। ମହିଳା ମାନଙ୍କ ବିରୁଦ୍ଧରେ ହେଉଥିବା ହିଂସାକୁ ମଧ୍ୟ ରୋକାଯାଇ ପାରୁଛି। ଏହାଦ୍ବାରା ସମାଜରେ ଲିଙ୍ଗଗତ ବୈଷମ୍ୟ ଦୂର ହୋଇ ଏକ ନ୍ୟାୟପୂର୍ଣ୍ଣ ସମାଜ ଗଠନ କରାଯାଇପାରିବ।

ତେଣୁ ଇନୋଭେସନ ଓ ଟେକ୍‌ନୋଲୋଜିର ଅଧିକରୁ ଅଧିକ ପ୍ରୟୋଗ କରି ମହିଳା ମାନଙ୍କୁ ସବୁ କ୍ଷେତ୍ରରେ ସମାନ ଅଧିକାର ପ୍ରଦାନ କରିବା ସହିତ ଏକ ନ୍ୟାୟପୂର୍ଣ୍ଣ ସମାଜ ଗଠନ ଦିଗରେ କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ।

ରାଜ୍ୟସ୍ତରୀୟ ଉତ୍ସବରେ ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ବ ଓ ଦିଗ୍‌ଦର୍ଶନରେ ମହିଳା ଓ ଶିଶୁବିକାଶ ବିଭାଗ ମହିଳା ମାନଙ୍କ ସଶକ୍ତିକରଣ ଓ ଅଧିକାରର

ସୁରକ୍ଷା ପାଇଁ ଅନେକ କାର୍ଯ୍ୟକ୍ରମ ସଫଳତାର ସହ କାର୍ଯ୍ୟକାରୀ କରୁଛି । ମହିଳା ମାନେ ଆଜି ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସଶକ୍ତ ହୋଇପାରିଛନ୍ତି ଓ ସେମାନଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି ହୋଇପାରିଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମହିଳା ଓ ଶିଶୁବିକାଶ ବିଭାଗର ଯୁବ ମାସ୍କଟ ‘କୁନି’ର ଶୁଭାରମ୍ଭ କରିଥିଲେ । ଏହି ମାସ୍କଟ କିଶୋର କିଶୋରୀ ମାନଙ୍କୁ ଶିକ୍ଷା, ଅଧିକାର ଓ ଅନ୍ୟାନ୍ୟ କ୍ଷେତ୍ରରେ ସଚେତନ କରିବା ପାଇଁ କାର୍ଯ୍ୟ କରିବ। ଏହାସହିତ ରାଜ୍ୟର ନୂଆ ଶିଶୁ ନୀତି ‘ପ୍ରାରମ୍ଭ’ ମଧ୍ୟ ଉନ୍ମୋଚିତ ହୋଇଥିଲା। ଏହାସହିତ ଆଶୀର୍ବାଦ ଯୋଜନାର ଏମ୍ ଆଇଏସ୍ ପୋର୍ଟାଲ୍ ଏବଂ ଓ୍ଵାନ୍ ଷ୍ଟପ୍ ସେଣ୍ଟର ଓ ମହିଳା ହେଲ୍‌ପ ଲାଇନରେ ସଫଳ ମହିଳାଙ୍କ କାହାଣୀ ଉପରେ ଏକ କେସ୍ ଷ୍ଟଡି ବୁକଲେଟ ମାନ୍ୟବର ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ।

କାର୍ଯ୍ୟକ୍ରମରେ ଭୁବନେଶ୍ବର ବିଜୟଲକ୍ଷ୍ମୀ ସ୍ବୟଂ ସହାୟକ ଗୋଷ୍ଠୀର ଜାନକୀ ବିଶ୍ବାଳ ଏବଂ ବିଏମସି ଅଙ୍ଗନବାଡି କର୍ମୀ ଆରତୀ ସାହୁ ପ୍ରମୁଖ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରି କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ଯୋଗୁ ଆଜି ନାରୀ ମାନେ ବିଭିନ୍ନ କ୍ଷେତ୍ରରେ ସକ୍ଷମ ହୋଇ ସ୍ବାଧୀନ ଭାବରେ କାମ କରିପାରୁଛନ୍ତି । କୋଭିଡ ସମୟରେ ମାସ୍କ ଓ ଜାତୀୟ ପତାକା ତିଆରି କରି ଆମେ ଦକ୍ଷତା ଦେଖାଇ ପାରିଥିଲୁ । ବର୍ତ୍ତମାନ ଆମର ଆଉ ପଛକୁ ଚାହିଁବାର ପ୍ରଶ୍ନ ନାହିଁ । ଆମେ ଏଥର ଆଗକୁ ବଢିବୁ ।

ମହିଳା ଓ ଶିଶୁବିଭାଗର କମିଶନର-ତଥା-ଶାସନ ସଚିବ ଶୁଭା ଶର୍ମା ସ୍ବାଗତ ଭାଷଣ ଦେଇଥିଲେ ଏବଂ ନିର୍ଦେଶକ ଅରବିନ୍ଦ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା, ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର-ତଥା- ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ରାଜ୍ୟସ୍ତରୀୟ ଅଧିକାରୀ, ସମାଜ ସଂଗଠନ ନାଗରିକ, କର୍ପୋରେଟ୍ ଅନୁଷ୍ଠାନର ପ୍ରତିନିଧି -ତଥା-ଜିଲ୍ଲାସ୍ତରୀୟ ଓ ତୃଣମୂଳ ସ୍ତରର ଜିଲ୍ଲାସ୍ତରୀୟ କର୍ମଚାରୀ ତଥା ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ(ଡିଏସ୍ଡବ୍ଲ୍ୟୁଓ), ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ),କିଶୋର ଓ କିଶୋରୀ ମାନେ ଯୋଗ ଦେଇଥିଲେ। ଅନ୍ୟାନ୍ୟ ରାଜ୍ୟ ଓ ଜିଲ୍ଲାସ୍ତରୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ବିଷୟବସ୍ତୁ ଓ ରାଜ୍ୟସାରା ସପ୍ତାହବ୍ୟାପୀ ଉତ୍ସବ ପାଳନ କରାଯିବ। ଏବଂ ରାଜ୍ୟର ପ୍ରୟାସକୁ ଆହୁରି ସୁଦୃଢ଼ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ମହିଳା ଓ ଶିଶୁ ବିକାଶ ବିଭାଗର ପଦକ୍ଷେପ ଉପରେ ଏକ ଭିଡିଓ ପ୍ରଦର୍ଶିତ କରାଯାଇଥିଲା।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!