ପାରାଦୀପ ବନ୍ଦର ସମଗ୍ର ବିଶ୍ବରେ ସବୁଠୁ କମ୍ ଦାମ୍ରେ ପଣ୍ୟ ପରିଚାଳନା କରୁଛି। ଟନ୍ ପିଛା ୧୩ ଟଙ୍କା ଓ ୧୮୫ ଟଙ୍କା ଭଳି ଦାମ୍ରେ ସେବା ଯୋଗାଇ ଦିଆଯାଉଛି। ୨୦୨୫ ସେପ୍ଟେମ୍ବର ପର୍ଯ୍ୟନ୍ତ ତିନି ବର୍ଷ ପାଇଁ ବନ୍ଦର କର୍ତ୍ତୃପକ୍ଷ ପଣ୍ୟ ପରିଚାଳନା ଚାର୍ଜରେ କୌଣସି ପରିବର୍ତ୍ତନ କରିବେ ନାହିଁ ବୋଲି ବନ୍ଦରର ଅଧ୍ୟକ୍ଷ ପି ଏଲ୍ ହରନାଦ କହିଛନ୍ତି।
ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଆସନ୍ତା ତିନି ବର୍ଷରେ ପାରାଦୀପ ବନ୍ଦରର କ୍ଷମତା ୩୦୦ ନିୟୁତ ଟନ୍ରୁ ଅଧିକ ହେବ। ବର୍ତ୍ତମାନ ଏହାର କ୍ଷମତା ୨୮୯ ନିୟୁତ ଟନ୍ ହୋଇଥିବା ବେଳେ ୱେଷ୍ଟର୍ଣ୍ଣ ଡକ୍ ପ୍ରକଳ୍ପ ଜରିଆରେ ଏହା ଆଉ୨୫ ନିୟୁତ ଟନ୍ କ୍ଷମତା ଯୋଡ଼ିବ। ପ୍ରାୟ ୩୦୦୦ କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପର କାର୍ଯ୍ୟବରାଦ ଜେଏସ୍ପିଏଲ୍କୁ ଦିଆଯାଇଛି।
ଏହା ଦ୍ବାରା ବନ୍ଦରର ଗଭୀରତା ୧୮ ମିଟରକୁ ବୃଦ୍ଧି ପାଇବ, ଯାହା ଫଳରେ ବିଶାଳ ଆକାରର ଜାହାଜ ବନ୍ଦରରେ ଲାଗିପାରିବ। ୨୦୨୨-୨୩ ଆର୍ଥିକ ବର୍ଷରେ ପାରାଦୀପ ବନ୍ଦର ୧୩୫.୩୬ ନିୟୁତ ଟନ୍ ପଣ୍ୟ ପରିବହନ କରି ଭାରତର ଏକ ନମ୍ବର ବନ୍ଦର ଭାବେ ନିଜ ସ୍ଥିତିକୁ ମଜଭୁତ କରିଛି ଏବଂ ୨୦୨୩-୨୪ ଆର୍ଥିକ ବର୍ଷରେ ମଧ୍ୟ ଏକ ନମ୍ବର ହୋଇ ରଖିବାକୁ ଲକ୍ଷ୍ୟ ରଖିଛି।
୨୦୨୧-୨୨ର ୧୧୬.୧୩ ନିୟୁତ ଟନ୍ ତୁଳନାରେ ବନ୍ଦର ଅଧିକ ୧୯.୨ ନିୟୁତ ଟନ୍ ପଣ୍ୟ ପରିବହନ କରିଛି। କୋଇଲା ପରିଚାଳନାରେ ୫୦% ବୃଦ୍ଧି ପାଇ ୧ ନିୟୁତ ଟନ୍ ହୋଇଛି। ରୁଷ୍-ୟୁକ୍ରେନ ଯୁଦ୍ଧ ପ୍ରଭାବରେ ଲୁହାପଥର ପରିଚାଳନା ୮ ମାସ ପାଇଁ ପ୍ରଭାବିତ ହୋଇଥିଲା ବୋଲି ସେ କହିଛନ୍ତି। ୨୦୨୨-୨୩ରେ ବନ୍ଦରରେ ୨୩୯୪ଟି ଜାହାଜର ପରିଚାଳନା କରାଯାଇଛି ଯାହା ପୂର୍ବବର୍ଷ ତୁଳନାରେ ୧୬% ଅଧିକ।
ବନ୍ଦରର ଅଧ୍ୟକ୍ଷ ଶ୍ରୀ ହରନାଦ ସୂଚନା ଦେଇଛନ୍ତି ଯେ ୨୦୩୦ ସୁଦ୍ଧା ସମସ୍ତ ବର୍ଥର ୧୦୦% ଯାନ୍ତ୍ରିକୀକରଣ ହେବ ଏବଂ ଚାରିଟି ନୂଆ ବର୍ଥ ଯୋଡ଼ାଯିବ। ବନ୍ଦର ଭିତରେ ଗାଡ଼ି ଭିଡ଼କୁ ସ୍ବାଭାବିକ କରିବା ଲାଗି ଚାରିଟି ଓଭରବ୍ରିଜ୍ ତିଆରି କରାଯିବ। ୧୫୦ କୋଟି ଟଙ୍କା ବିନିଯୋଗରେ ଦୁଇଟି ଓଭରବ୍ରିଜ୍ ତିଆରି ହେଉଛି ଯାହା ଚଳିତ ବର୍ଷ କାର୍ଯ୍ୟକ୍ରମ ହେବ।
ସବୁ ଓଭରବ୍ରିଜ୍ ନିର୍ମାଣ ତିନି ବର୍ଷରେ ଶେଷ ହେବ। ଏହା ବ୍ୟତୀତ ୭୧୬ ଏକର ବନ୍ଦର ଜମି ଚିହ୍ନଟ କରାଯାଇଛି ଯେଉଁଥିରେ ବନ୍ଦର ଭିତ୍ତିକ ଶିଳ୍ପ ସଂସ୍ଥା ସ୍ଥାପନ କରାଯିବ। ସେ କହିଛନ୍ତି ଯେ ଗ୍ରିନ୍ ହାଇଡ୍ରୋଜେନ୍ ଓ ଗ୍ରିନ୍ ଆମୋନିଆର ପରିଚାଳନା କରିବା ଲାଗି ହାଇଡ୍ରୋଜେନ୍ ହବ୍ ଭାବେ ବନ୍ଦରକୁ ବିକାଶ କରାଯିବ। ଏଥିପାଇଁ ଡିପିଆର୍ ପ୍ରସ୍ତୁତ ହୋଇଯାଇଥିବା ବେଳେ ଚଳିତ ବର୍ଷ କାର୍ଯ୍ୟବରାଦ ଦେବାର ଯୋଜନା ରହିଛି ବୋଲି ସେ କହିଛନ୍ତି। ଏହି ଅବସରରେ ବନ୍ଦରର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

