ବିଦ୍ୟୁତ୍ ଶକ୍ତି ଯୋଗାଣ ପାଇଁ ଭିତ୍ତିଭୂମି ଆଧୁନିକୀକରଣ ଏବଂ ସଂପ୍ରସାରଣକୁ ଅଗ୍ରାଧିକାର

ଓଡିଶା ବିଦ୍ୟୁତ ଶକ୍ତି ସଂଚାରଣ ନିଗମ ଲିଃ.ର ୧୮ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ରମାଦେବୀ ସ୍ୱୟଂ ଶାସିତ ମହିଳା ମହାବିଦ୍ୟାଳୟପ୍ରେକ୍ଷାଳୟରେ ଅନୁଷ୍ଠିତ ଏହି ଉତ୍ସବରେ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବକୁ ଉଦଘାଟନ କରିଥିଲେ।

୨୦୦୫ ମସିହା ପବିତ୍ର ଉତ୍କଳ ଦିବସ ଏପ୍ରିଲ ୧ ତାରିଖ ଦିନ ଓଡିଶା ବିଦ୍ୟୁତ ଶକ୍ତି ସଂଚାରଣ ନିଗମ ଲିଃ.(ଓପିଟିସିଏଲ) ପ୍ରତିଷ୍ଠା ହୋଇଥିଲା।

କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଥିଲେ ଯେ,ଏବେ ଓପିଟିସିଏଲ ଏକ ଅଗ୍ରଣୀ ବିଦ୍ୟୁତ୍ ସଂଚାର ନିଗମ ଭାବରେ ସାରା ଭାରତ ବର୍ଷରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଉତ୍ତମ କାର୍ୟ୍ୟ ଯୋଗୁଁ ବର୍ଷ ବର୍ଷ ଧରି ଏହି ଅନୁଷ୍ଠାନ ପୁରସ୍କୃତ ହୋଇଆସୁଛି।

ଚଳିତ ବର୍ଷ ମଧ୍ୟ ଦେଶର ଶ୍ରେଷ୍ଠ ବିଦ୍ୟୁତ୍ ସରବରାହ ସଂସ୍ଥା ଭାବେ ଏହି ନିଗମ ସିବିଆଇପି ଦ୍ୱାରା ପୁରସ୍କୃତ ହେବା ଅତ୍ୟନ୍ତ ଗୌରବର କଥା। ଓଡିଶାର ପୁରପଲ୍ଲୀରେ ବିଦ୍ୟୁତ ସଂଚାରଣ ପାଇଁ ଏହି ସଂସ୍ଥା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି।

ଓପିଟିସିଏଲରେ ସଂଖ୍ୟାଧିକ ଝିଅମାନେ ଯୋଗଦେଇ ବିଦ୍ୟୁତ୍ ଟାଓ୍ୱାରରେ ଚଢି କାର୍ୟ୍ୟ କରୁଥିବା ବହୁତ ବଡ କଥା। ଏହା ଅନ୍ୟ ଝିଅମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ। ଶ୍ରୀ ଜେନା ଆହୁରି ମଧ୍ୟ କହିଲେ ଯେ, ଆଗରୁ ଘନ ଘନ ବିଦ୍ୟୁତ୍ କାଟ ଓ ଲୋ ଭୋଲଟେଜ୍ ସମସ୍ୟା ରହୁଥିବା ବେଳେ ୨୦୦୮ମସିହା ପରଠୁ ଏହି ସମସ୍ୟା ଦୂର ହୋଇଛି।

ବିଦ୍ୟୁତ୍ ଭିତ୍ତିଭୂମିର ସୁଦୃଢୀକରଣ କରି ଗୁଣଯୁକ୍ତ ବିଦ୍ୟୁତ୍ ଯୋଗାଣ ଉପରେ ରାଜ୍ୟ ସରକାର ଓପିଟିସିଏଲକୁ ବିଭିନ୍ନ ଯୋଜନାରେ ସହାୟତା ପ୍ରଦାନ କରିଆସୁଛନ୍ତି।

ରାଜ୍ୟ ସରକାରଙ୍କ ତରଫରୁ ଏବେ ପାଓ୍ୱାର କଟ ହେଉନାହିଁ। ଏବେ ବିଦ୍ୟୁତ୍ ସଂଚାରଣ ସନ୍ତୋଷ ଜନକ ସ୍ଥିତିରେ ଥିଲେ ମଧ୍ୟ ପ୍ରତି ବର୍ଷ ବିଦ୍ୟୁତ୍ ଗ୍ରାହକ ସଂଖ୍ୟା ପ୍ରାୟ ୨୦ପ୍ରତିଶତ ବୃଦ୍ଧି ଘଟୁଥିବାରୁ ଆଗାମୀ ଦିନରେ ସେବା ଯୋଗାଇଦେବା ଓପିଟିସିଏଲ ପାଇଁ ଆହ୍ୱାନମୂଳକ ରହିଛି। ବିଦ୍ୟୁତ୍ ସଂଚାରଣ ନେଇ ଜନସାଧାରଣଙ୍କ ଯେଉଁ ଆଶା ଓ ଆକାଂକ୍ଷା ରହିଛି, ତାହାକୁ ପୂରଣ କରିବାରେ ଓପିଟିସିଏଲ୍ ନିଜକୁ ସେହିଭଳି ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ପରାମର୍ଶ ଦେଇଥିଲେ। ଗତ ଫାଇଲିନ୍, ହୁଡହୁଡ ଓ ଅମ୍ଫାନ ବାତ୍ୟା ପରବର୍ତ୍ତୀ ସମୟରେ ଓପିଟିସିଏଲ୍ରାଜ୍ୟରେ ବିଦ୍ୟୁତ୍ ସେବା ବ୍ୟବସ୍ଥା ପୁନଃକ୍ଷମ କରାଇ ପ୍ରଶଂସନୀୟ କାର୍ୟ୍ୟକରିଥିଲା ।

ଆଗାମୀ ଦିନରେ ଏହିପରି ସେବା ବଜାୟ ରଖି ଜନସାଧାରଣଙ୍କ ଆସ୍ଥା ଭାଜନ ହେବାକୁ ଶ୍ରୀ ଜେନା ପରାମର୍ଶ ଦେଇଥିଲେ । ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ, ନୂଆ ବିଦ୍ୟୁତ୍ ସଂଚାରଣ ବ୍ୟବସ୍ଥା, ଆଗୁଆ ଯୋଜନା ପ୍ରସ୍ତୁତି କରି ଉପଯୁକ୍ତ ପରିଚାଳନା କଲେ ଆଗାମୀ ଦିନରେ ଓପିଟିସିଏଲ୍ ଜନସାଧାରଣଙ୍କର ଅଧିକ ଆସ୍ଥାଭାଜନ ହୋଇପାରିବ ବୋଲି ଶ୍ରୀ ଜେନା କହିଥିଲେ ।
କାର୍ଯ୍ୟକ୍ରମରେ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ ବାର୍ତ୍ତା ଦେଇ ଓପିଟିସିଏଲ୍ କର୍ମଚାରୀମାନଙ୍କର ନିରନ୍ତର ପ୍ରୟାସ, ବିଦ୍ୟୁତ୍ ସଂଚାରଣ ଭିତ୍ତିଭୂମିରେ ବିକାଶ, ଗୁଣାତ୍ମକ ଓ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଣର ଉଦ୍ୟମ ଫଳରେ ନିଗମକୁ ଏହି ସଫଳତା ମିଳିଛି ଏବଂ ଓପିଟିସିଏଲ୍ ଦେଶରେ ରୋଲ ମଡେଲ ହୋଇଛିବୋଲି କହିଥିଲେ।

କାର୍ଯ୍ୟକ୍ରମରେ ଓପିଟିସିଏଲର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସଂଜୟ କୁମାର ମିଶ୍ର କହିଲେ ଯେ ରାଜ୍ୟରେ କ୍ରମାଗତ ବଢିଚାଲିଥିବା ଉପଭୋକ୍ତା, ବର୍ଦ୍ଧିତ ଶିଳ୍ପାନୁଷ୍ଠାନର ବିଦ୍ୟୁତ୍ ଚାହିଦା ଏବଂ ସଂପ୍ରତି ସବୁଜ ଶକ୍ତି ଉପରେ ଥିବା ଗୁରୁତ୍ୱକୁ ଆଖି ଆଗରେ ରଖି ଓପିଟିସିଏଲ୍ ନିଜ ସରବରାହ ଭିତ୍ତିଭୂମିକୁ ସମାନ୍ତରାଳ ଭାବେ ସୁଦୃଢ କରିପାରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶାକୁ ୧୦ଲକ୍ଷ କୋଟି ଟଙ୍କାର ଶିଳ୍ପ ନିବେଶ ପ୍ରସ୍ତାବ ଆସିଥିବା ବେଳେ ଏହାକୁ ରୂପାୟନ କରିବା ପାଇଁ ଶିଳ୍ପାନୁଷ୍ଠାନଗୁଡିକୁ ଉତ୍କୃଷ୍ଟ ବିଦ୍ୟୁତ୍ ଶକ୍ତି ଯୋଗାଣର ଆବଶ୍ୟକତା ରହିଛି ବୋଲି ଶ୍ରୀ ମିଶ୍ର ପ୍ରକାଶ କରିବା ସହ ଏହାକୁ ଆଖି ଆଗରେ ରଖି ଓପିଟିସିଏଲ୍ ନିଜ ଭିତ୍ତିଭୂମିର ଆଧୁନିକୀକରଣ ଏବଂ ସଂପ୍ରସାରଣ ପାଇଁ ପଦକ୍ଷେପ ନେଇଥିବା ପ୍ରକାଶ କରିଥିଲେ। ପାରାଦ୍ୱୀପ ଇଣ୍ଡଷ୍ଟ୍ରୀ କରିଡରରେ ୭୬୫ କେଭି ଅତ୍ୟୁଚ୍ଚ କ୍ଷମତା ସଂପନ୍ନ ସବ୍ ଷ୍ଟେସନ ସ୍ଥାପନ କରିବାକୁ ଯାଉଥିବା ସେ ସୂଚନା ଦେଇଥିଲେ।
ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଥିଲେ ଯେ, ବିଦ୍ୟୁତ୍ ଯୋଗାଣରେ ଏକାଧିକ ଉଚ୍ଚକୋଟୀର ଉତ୍ସ ରହିପାରିବା ନେଇ ରାଜ୍ୟରେ ୪୦୦ କେଭି ଲାଇନ୍ ଗୁଡିକର ରିଙ୍ଗ ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯାଇଛି।

ଆଧୁନିକ ଶୈଳୀରେ ଗ୍ରୀଡ ଗୁଡିକର ପରିଚାଳନା ପାଇଁ ‘ଷ୍ଟାମ୍ପ’ ପ୍ରକଳ୍ପ କାର୍ୟ୍ୟକାରିତା ହେଉଥିବା ସେ ପ୍ରକାଶ କରିଥିଲେ। ଆଗାମୀ ୧୦ ବର୍ଷର ବିଦ୍ୟୁତ୍ ଚାହିଦା ଏବଂ ଶିଳ୍ପ ବିକାଶକୁ ଦୃଷ୍ଟିରେ ରଖି ଓପିଟିସିଏଲ ଏକ ସୁଦୃଢ ଯୋଜନା ୧୪ ତମ ଓ ୧୫ ତମ ଟ୍ରାନ୍ସମିଶନ ପ୍ଲାନରେ କରିବାକୁ ଯାଉଥିବା ଶ୍ରୀ ମିଶ୍ର ପ୍ରକାଶ କରିଥିଲେ।
ପ୍ରକାଶ ଥାଉକି, ଓପିଟିସିଏଲ୍ ପ୍ରତିଷ୍ଠା ସମୟରେ ୨୦୦୫ ରେ ଓଡିଶାରେ ୮୦ଟି ବିଦ୍ୟୁତ୍ ସବ୍ ଷ୍ଟେସନ ଥିବା ବେଳେ ଏହା ଅଦ୍ୟାବଧି ୧୯୦ଟି ସବ୍ ଷ୍ଟେସନରେ ପହଁଚିଛି।

ଏବେ ଏହି ନିଗମର ଏହାର ବିଦ୍ୟୁତ୍ ସରବରାହ କ୍ଷମତା ୨୫୦୦୦ ଏମଭିଏକୁ ବୃଦ୍ଧି ପାଇଥିବା ବେଳେ ବିଦ୍ୟୁତ୍ ସଂଚାରଣ ୧୬୦୦୦ ସର୍କିଟ୍ କିଲୋମିଟର ରହିଛି, ଯାହା ରାଜ୍ୟରେ ବିଦ୍ୟୁତ୍ ସଂଚାରଣ ବ୍ୟବସ୍ଥାକୁ ସୁଦୃଢ କରୁଛି।

କାର୍ୟ୍ୟକ୍ରମରେ ଗ୍ରୀଡ୍କୋର ପରିଚାଳନା ନିର୍ଦ୍ଦେଶକ ତ୍ରିଲୋଚନ ପଣ୍ଡାଓ ଷ୍ଟେଟ୍ ଲୋଡ୍ ଡେସପାଚ୍ ସେଣ୍ଟର (ଏସ.ଏଲ.ଡି.ସି)ର ନିର୍ଦ୍ଦେଶକ ବି.ବି. ମେହେଟାସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ଓପିଟିସିଏଲର ମାନବ ସମ୍ବଳ ମୁଖ୍ୟ ରଘୁନାଥ ପ୍ରତିହାରୀସ୍ୱାଗତ ଭାଷଣ ପ୍ରଦାନ କରି ଓପିଟିସିଏଲର କାର୍ୟ୍ୟାବଳୀ ସଂପର୍କରେ ଆଲୋକପାତ କରିଥିଲେ। ସୁଶାନ୍ତ କୁମାର ବେହେରା,ଏଜିଏମ୍ ,ଇଲେକ୍ଟ୍ରିକାଲ(ଓପିଟିସିଏଲ୍) କାର୍ୟ୍ୟକ୍ରମ ସଂଯୋଜନା କରିଥିଲେ ।

ଉତ୍ସବରେନ୍ୟୁ ଡୁବୁରୀ, ଜୟନଗର,ମାଲକାନଗିରି, ତାରକେରା, ନୟାଗଡ,ରଣସିଂହପୁର ଆଦିସ୍ଥିତ ବିଭିନ୍ନ କ୍ଷମତା ସଂପନ୍ନ ଗ୍ରୀଡ୍ ସବ୍ ଷ୍ଟେସନଗୁଡିକୁ ଶ୍ରେଷ୍ଠ ଗ୍ରୀଡ୍ ଷ୍ଟେସନ ଭାବେ ପୁରସ୍କୃତ କରାଯାଇଥିଲା। ଶ୍ରେଷ୍ଠ ସାମୁହିକ ପ୍ରୟାସ ପାଇଁ ପେନସନ ଶାଖା,ଓପିଟିସିଏଲ୍ ମୁଖ୍ୟାଳୟ ଏବଂ ବିଭିନ୍ନ ଗ୍ରୀଡ୍ ସବ ଷ୍ଟେସନରେ ଅବସ୍ଥାପିତ ହୋଇ ଉତ୍ତମ କାର୍ୟ୍ୟ ସଂପାଦନ କରିଥିବା ୧୭ଜଣ ବିଭିନ୍ନ ଜୋନର ପରିଚାଳନା ନିର୍ଦ୍ଦେଶକ, ପରିଚାଳକ ଓ କର୍ମଚାରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

କାର୍ଯ୍ୟକ୍ରମରେ ନିମାଇଁକାନ୍ତ ରାଉତରାୟଙ୍କ ନିର୍ଦ୍ଦେଶନାରେ ଓପିଟିସିଏଲ ସାସ୍କୃତିକ କ୍ଲବ ତରଫରୁ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା।

Post Views85 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!