ରାଜ୍ୟର ସମସ୍ତ ବ୍ଲକରେ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ହେବା ସହ ଉନ୍ନତ ଶିକ୍ଷାଦାନର ବ୍ୟବସ୍ଥା ସୁନିଶ୍ଚିତ କରାଯାଉଛି। ମୋ ସ୍କୁଲ ଓ ‘୫-ଟି’ ରୂପାନ୍ତରୀକରଣ ଯୋଜନାରେ ଶିକ୍ଷାନୁଷ୍ଠାନଗୁଡ଼ିକର ନବକଳେବର ସାଙ୍ଗକୁ ପ୍ରତ୍ୟେକ ହାଇ ସ୍କୁଲରେ ଆଇଟି ଲ୍ୟାବ୍ ପ୍ରତିଷ୍ଠା ଓ ପ୍ରତି ପୌରସଂସ୍ଥାରେ ଗୋଟିଏ ମଡେଲ୍ ସ୍କୁଲ ପ୍ରତିଷ୍ଠା କରିବା ଲକ୍ଷ୍ୟ ରହିଛି।
ଏଥି ସହ ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗର ଛାତ୍ରୀମାନଙ୍କୁ ମାଗଣା ଶିକ୍ଷା ସୁନିଶ୍ଚିତ କରାଯାଇଛି। ଗଣଶିକ୍ଷା ବିଭାଗକୁ ସୁଦୃଢ଼ କରିବା ପାଇଁ ବିଗତ ୪ ବର୍ଷ ମଧ୍ୟରେ ବଜେଟ ବ୍ୟୟ ବରାଦ ୫୫% ବୃଦ୍ଧି କରାଯାଇଛି।
୨୦୧୮-୧୯ ମସିହାରେ ଗଣଶିକ୍ଷା ବାବଦ ବ୍ୟୟବରାଦ ୧୪,୫୨,୬୯୯ କୋଟି ଟଙ୍କା ରହିଥିବାବେଳେ ୨୦୨୩-୨୪ରେ ବ୍ୟୟବରାଦ ୨୨,୫୨,୭୮୦କୋଟି ଟଙ୍କାରେ ପହଞ୍ଚିଛି। ବିଗତ ୩ପର୍ଯ୍ୟାୟରେ ରାଜ୍ୟର ୬,୧୨୩ଟି ବିଦ୍ୟାଳୟର ରୂପାନ୍ତରଣ କରାଯାଇଥିବା ଓ ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଉଚ୍ଚ ବିଦ୍ୟାଳୟକୁ ରୂପାନ୍ତରଣରେ ସାମିଲ୍ ପାଇଁଯୋଜନା ପ୍ରସ୍ତୁତ ହୋଇଥିବା ଏହି ଅବସରରେ ମନ୍ତ୍ରୀ ସୂଚନା ଦେଇଛନ୍ତି। ୨୦୧୯ ପରଠାରୁ ବିଭିନ୍ନ ବର୍ଗରେ ଗଣଶିକ୍ଷା ବିଭାଗରେ ୧୪ହଜାର ୮୪୯ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି।
୩୦ହଜାର ୨୭୯ଜଣ ଶିକ୍ଷକ ଓ ୧୭୯୯ଜଣ ଅଣଶିକ୍ଷକଙ୍କ ଚୟନ ପ୍ରକ୍ରିୟା ଜାରି ରହିଛି। ସେହିପରି ମାଟ୍ରିକ୍ ଓ ଦ୍ୱାଦଶ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତା ଓ ବିଭାଗ ଅଧୀନରେ କାର୍ଯ୍ୟରତ କାର୍ମଚାରୀଙ୍କ ଅନୁକମ୍ପା ରାଶି ୨ଲକ୍ଷରୁ ୫ଲକ୍ଷକୁ ବୃଦ୍ଧି କରାଯାଇଛି। ଚଳିତ ବର୍ଷରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ସହ ନବମ ଓ ଦଶମ ଶ୍ରେଣୀ ପାଇଁ ମାଗଣା ପୋଷାକ(ସ୍କୁଲ ୟୁନିଫର୍ମ) ଯୋଜନା ଓ ନବମ ଶ୍ରେଣୀ ପିଲାଙ୍କୁ ସାଇକେଲ୍ କିଣିବା ବାବଦ ଅନୁଦାନ ରାଶିକୁ ୨୬ଶହ ୩୫ଶହ ଟଙ୍କାକୁ ବୃଦ୍ଧି କରାଯାଇଥିବା ସେ ଦର୍ଶାଇଛନ୍ତି।

