ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିଛନ୍ତି । ଗତବର୍ଷ ଜୁନ ମାସରେ ରୋହିତ ପୂଜାରୀଙ୍କୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ଦିଆଯାଇଥିଲା । ରୋହିତ ପୂଜାରୀ ମନ୍ତ୍ରୀମଣ୍ଡଳରୁ ବାଦ ପଡ଼ିବା ପରେ ତାଙ୍କ ସ୍ଥାନରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ତେବେ କିଛି ଦିନ ପୂର୍ବରୁ ମଧ୍ୟ ଓଡ଼ିଶାରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହୋଇଥିଲା ।
ଏଥିରେ ସମୀର ଦାସ ଓ ଶ୍ରୀକାନ୍ତ ସାହୁ ମନ୍ତ୍ରୀମଣ୍ଡଳରୁ ବାଦ ପଡ଼ିଥିବା ବେଳେ ବିକ୍ରମ ଆରୁଖ, ସୁଦାମ ମାର୍ଣ୍ଡି, ସାରଦା ନାୟକଙ୍କୁ ମନ୍ତ୍ରୀପଦ ମିଳିଥିଲା । ଏହି ଗୋଟିଏ ବର୍ଷ ଭିତରେ ଉକ୍ରଳ ବିଶ୍ୱବିଦ୍ୟାଳୟର ନାକ୍ ମାନ୍ୟତାରେ ନୈରାଶ୍ୟଜନକ ପ୍ରଦର୍ଶନ, ୟୁପିଏସସି ପରୀକ୍ଷା ପାଇଁ ଦିଆଯାଉଥିବା କୋଚିଂରେ ଛାତ୍ରଛାତ୍ରୀଙ୍କ ଖରାପ ପ୍ରଦର୍ଶନ, ସେହିପରି ଏନଆଇଆରଏଫ୍ ମାନ୍ୟତାରେ ଓଡ଼ିଶାର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକ ବହୁ ପଛରେ ପଡ଼ିବା, ହୁଏତ ରୋହିତ ପୂଜାରୀଙ୍କୁ ମହଙ୍ଗା ପଡ଼ିଛି । ଏପଟେ ନେତାଙ୍କ ବୟସସୀମାକୁ ନେଇ ଦେଇଥିବା ବୟାନକୁ ନେଇ ମଧ୍ୟ ବିବାଦରେ ଥିଲେ ରେଢ଼ାଖୋଲ ବିଧାୟକ ।
ମନ୍ତ୍ରୀମଣ୍ଡଳରୁ ବାଦ ଦେବା ନେଇ ରାଜ୍ୟପାଳଙ୍କୁ ସୁପାରିଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭାଗୀୟ ସମୀକ୍ଷା ପରେ ରୋହିତ ପୂଜାରୀଙ୍କ ପ୍ରଦର୍ଶନକୁ ମୁଖ୍ୟମନ୍ତ୍ରୀ ଅସନ୍ତୁଷ୍ଟ ଥିବା କୁହାଯାଉଛି ।

