ବିଜେଡିର ଅଭେଦ୍ୟ ଗଡ଼ କାମାକ୍ଷାନଗର । ରାଜ୍ଯର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ବିଧାନସଭା କ୍ଷେତ୍ର କାମାକ୍ଷାନଗର ଗତ ୨୪ ବର୍ଷ ଧରି ବିଜୁ ଜନତା ଦଳର ଅକ୍ତିଆରରେ ରହିଆସିଛି । ଲଗାତାର ଭାବରେ ଏହି ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେଡିର ଅଭେଦ୍ୟ ଗଡ଼ ପାଲଟିଛି । ୨୦୦୪ ମସିହାରୁ ଲଗାତାର ଭାବେ ପ୍ରଫୁଲ୍ଲ ମଲ୍ଲିକ ଏହି ଆସନରୁ ବିଜୟ ଲାଭ କରୁଥିବାବେଳେ ଏଥର ବି ଦଳ ତାଙ୍କୁ ଭରସା କରିଛି । କାମାକ୍ଷାନଗରରେ ଏଥର ବି ପ୍ରଫୁଲଙ୍କ ବିଜୟ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି ହୋଇଛି । ବିଜେଡି ଏକଦମ ସୁରକ୍ଷିତ ସ୍ଥାନରେ ରହିଥିବାବେଳେ ବିରୋଧୀ ବିଜେପି ଓ କଂଗ୍ରେସ ଦୁର୍ବଳ ସଂଗଠନ ଓ ଦଳୀୟ କନ୍ଦଳ ପାଇଁ ଟେନସନରେ ପଡ଼ିଯାଇଛନ୍ତି ।
କାମାକ୍ଷାନଗର ବ୍ଲକ ଓ ଏନଏସି ଭୁବନ ବ୍ଲକ ଓ ଭୁବନ ଏନଏସିକୁ ନେଇ ଗଠିତ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ । ବିଗତ ପାଞ୍ଚଟି ନିର୍ବାଚନରେ ଏଠି ବିଜେଡି ବାଜିମାତ କରିଛି । ୨୦୦୦ ମସିହାରେ ଏଠାରୁ ବ୍ରହ୍ମାନନ୍ଦ ବିଶ୍ବାଳ ବିଜୟୀ ହୋଇଥିଲେ । ଏହାପରଠାରୁ ଏହି ନିର୍ବାଚନ ମଣ୍ଡଳୀରୁ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ବିଜୟୀ ହୋଇଆସୁଛନ୍ତି । ୨୦୦୦ ମସିହାରୁ ଲଗାତାର ଜିତି ଆସୁଥିବା ପ୍ରଫୁଲ୍ଲ ଦୁଇ ଦୁଇଥର ସରକାରଙ୍କ ଖଣି ଇସ୍ପାତ ଓ ପୁର୍ତ୍ତ ବିଭାଗର ମନ୍ତ୍ରୀ ଦାୟିତ୍ବ ତୁଲାଉଛନ୍ତି । ୨୦୧୯ ନିର୍ବାଚନରେ ପ୍ରଫୁଲ ମଲ୍ଲିକ ୮୧ ହଜାର ୬ ଶହ ୯୫ ଭୋଟ ପାଇ ବିଜୟୀ ହୋଇଥିଲେ । ଦ୍ବିତୀୟ ସ୍ଥାନରେ ଥିଲେ ବିଜେପି ପ୍ରାର୍ଥୀ ଶତୃଘ୍ନ ଜେନା। ତାଙ୍କୁ ମିଳିଥିଲା ୬୫ ହଜାର ୧୮୬ ଭୋଟ । କଂଗ୍ରେସ ପ୍ରାର୍ଥୀ ଭବାନୀ ଶଙ୍କର ମହାପାତ୍ରଙ୍କୁ ମିଳିଥିଲା ମାତ୍ର ୬ ହଜାର ୬ ଶହ ୯୪ ଭୋଟ । ଏଥର ବି ରେଜଲ୍ଟ ରିପିଟ ହେବା ସହ ବଡ଼ ବିଜୟ ପାଇଁ ଆଶା ରଖିଛି ବିଜେଡି ।
ପ୍ରଫୁଲ ଏବେ ୭୦ ବର୍ଷ ପାର କଲେଣି । ତଥାପି ଲୋକଙ୍କୁ ସେବା କରିବାର ଝୁଙ୍କ ଆଜି ବି ତାଙ୍କ ମୁଖମଣ୍ଡଳରେ ସ୍ପଷ୍ଟ ପ୍ରତିଫଳିତ ହେଉଛି । ତାଙ୍କର ସେବା ମନୋବୃତ୍ତି, ଦୃଢ ସଂଗଠନ ଓ ଲୋକଙ୍କ ଭଲପାଇବା ପାଇଁ ବିଜେଡି ସୁପ୍ରିମୋ ତାଙ୍କ ଉପରେ ବାରମ୍ବାର ଭରସା କରି ଟିକେଟ ଦେଉଥିବାବେଳେ କାମାକ୍ଷାନଗରବାସୀ ମଧ୍ଯ କେବେ ବି ନିରାଶ କରିନାହାନ୍ତି । ବିଗତ ୨୦ ବର୍ଷରୁ ଅଧିକ ସମୟ ଧରି କାମାକ୍ଷାନଗର ବିଜେଡି ହାତରେ ରହିଛି । ପ୍ରଫୁଲଙ୍କ ନେତୃତ୍ବରେ ସ୍ଥାନୀୟ ଅଞ୍ଚଳର ମୌଳିସ ସମସ୍ଯା ଦୂର ହୋଇପାରିଛି । ମନ୍ତ୍ରୀ ଭାବେ ମଧ୍ଯ ତାଙ୍କ ପ୍ରଦର୍ଶନ ବେଶ୍ ଉଲ୍ଲେଖନୀୟ । ପ୍ରଫୁଲଙ୍କ ସମୟରେ ଖଣି ପରିଚାଳନାରେ ଓଡ଼ିଶାରେ ସର୍ବଶ୍ରେଷ୍ଠ ରାଜ୍ଯ ହୋଇପାରିଛି । ରାଜସ୍ବ ବୃଦ୍ଧି ସହ ରାଜ୍ଯ ସରକାର ଲାଭବାନ ହୋଇପାରିଛନ୍ତି । ଏଣୁ ଯୋଗ୍ଯ ନେତାଙ୍କୁ ପୁଣିଥରେ ବିଧାୟକ ଭାବେ ବାଛିବାକୁ କାମାକ୍ଷାନଗରବାସୀ ମନସ୍ଥ କରିଥିବା ଚର୍ଚ୍ଚା ହେଉଛି ।

