ସମସ୍ତେ ଜାଣିଛନ୍ତି ବିଜେଡିର ଜନ୍ମ ପଛରେ ବିଜେପିର ବଡ ଭୂମିକା ଅଛି । ନୂଆନୂଆ ଗଠନ ହୋଇଥିବା ବିଜୁ ଜନତା ଦଳ ବିଜେପି ଟଙ୍କାରେ ହିଁ ନିର୍ବାଚନ ଲଢିବାକୁ ମଇଦାନକୁ ଆସିଥିଲା। ଓଡ଼ିଶାରେ କଂଗ୍ରେସକୁ ଚେକ୍ ଦେଇ ବିଜେପିର ହାତ ଧରି କଳିଙ୍ଗ ବିଜୟ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ୯ବର୍ଷ ଉଭୟ ଦଳ ଏକାଠି ହୋଇ ଶାସନ କଲେ। ହେଲେ କନ୍ଧମାଳ ଦଙ୍ଗା ବିଜେପିର ସବୁ ଅଙ୍କ ବିଗାଡି ଦେଇଥିଲା । ଠିକ ଏତିକିବେଳେ ଧର୍ମନିରପେକ୍ଷତା ଓ ସମଦୂରତାର ଦ୍ୱାହି ଦେଇ ଜନ୍ମକଲା ସାଥୀ ତଥା ମେଣ୍ଟଦଳ ବିଜେପିର ହାତ ଛାଡିଦେଇଥିଲେ ନବୀନ ପଟ୍ଟନାୟକ। ସେବେଠୂ ବିଜେପି ଯେତେ ଚେଷ୍ଟା କଲେବି ଓଡ଼ିଶା ଦଖଲ ସ୍ବପ୍ନ ସ୍ବପ୍ନରେ ହିଁ ରହିଯାଉଛି ।
ଏବେ ଆସିବା ମୁଖ୍ୟ ପ୍ରସଙ୍ଗକୁ । ଔପଚାରିକ ଭାବେ ନବୀନ ବିଜେପିର ହାତ ସିନା ଛାଡିଦେଇଛନ୍ତି ହେଲେ ଅନ୍ତରର ହାତ ବିଜେପି ପାଇଁ ସବୁବେଳେ ବାହାରି ଆସିଛି। କହିବାକୁ ଗଲେ ଉଭୟ ଦଳ ପାଟିରେ ନୁହେଁ ଆଖିରେ ଆଖିରେ କଥା ହେଉଛନ୍ତି । ଯାହାର ପ୍ରମାଣ ମୋଦି ସରକାର ଆସିବା ଦିନଠୁ ସାରା ଦେଶ ଦେଖୁଛି। ସଂସଦରେ ବିଜେପିର ବିଲ୍ ପାସ୍ ପାଇଁ ଯେତେବେଳେ ସମର୍ଥନ ଲୋଡା ପଡିଛି ସେତେବେଳେ ଭାଇ ହୋଇ ଠିଆ ହୋଇଛି ବିଜେଡି। କେତେବେଳେ ପ୍ରଧାନମନ୍ତ୍ରୀ ଫୋନ କରୁକରୁ ତ ଆଉକେତେବେଳେ ମାଗିବା ଆଗରୁ ଦୁଆର ଖୋଲି ଦେଇଛନ୍ତି ନବୀନ ବାବୁ । ଆଉ ବିଜେପି ବି ଦୋସ୍ତିର ଋଣ ସୁଝିବାକୁ ଯାଇ ଇଡି ଏବଂ ସିବିଆଇକୁ ଓଡିଶାରୁ ଦୂରରେ ରଖିଛି । ସେତେବେଳେ ବିଜେପି-ବିଜେଡିର ଭାଇଭାଇ ପ୍ୟାର ଆହୁରି ସ୍ପଷ୍ଟ ହୋଇଗଲା ଯେତେବେଳେ ଉଭୟ ଅନାସ୍ଥା ଆଉ ଦିଲ୍ଲୀ ବିଲ୍ ପ୍ରସଙ୍ଗରେ ବିଜେଡ଼ି ନିଜଆଡୁ ପଦ୍ମ ପାଖୁଡାକୁ ହାତ ବଢାଇଦେଲା।
ଉଭୟ ଦଳର ରାଜନୈତିକ ଚୋରା ପିରତିକୁ ନେଇ ଖାଲି ରାଜ୍ୟ ନୁହେଁ ସାରା ଦେଶରେ ଚର୍ଚ୍ଚା। ଆଲୋଚନା ଚାଲିଛି ଯଦି ନବୀନଙ୍କର ବିଜେପି ପ୍ରତି ଏତେ ଦୁର୍ବଳତା ରହିଛି ତେବେ ସେ ଏନଡିଏରେ ସାମିଲ ହେଉନାହାନ୍ତି କାହିଁକି ? ଏନଡିଏରେ ସାମିଲ ହେଲେ କିଛି ନହେଲେ ଦଳର ସାଂସଦ କେନ୍ଦ୍ରମନ୍ତ୍ରୀ ହେବାର ସୁଯୋଗଟିଏ ପାଆନ୍ତେ । ମାତ୍ର ନବୀନଙ୍କ ରଣନୀତି କଣ ତାହା କେବଳ ତାଙ୍କୁ ଆଉ ଭଗବାନଙ୍କୁ ହିଁ ଜଣା। ତେବେ ଯାହା ଶୁଣାଯାଉଛି ବିଜେପି ସହ ଚୋରା ପିରତିର ଅପବାଦ ଆଉ ନବୀନ ବାବୁ ନେବାକୁ ଚାହୁଁନାହାଁନ୍ତି। ଆସନ୍ତା ସାଧାରଣ ନିର୍ବାଚନରେ ସଭିଙ୍କୁ ଚକମା ଦେଇ ବିଜେପି-ବିଜେଡି ମେଣ୍ଟ ପୁଣି ଗଠନ କରିବା ନବୀନଙ୍କ ପକ୍ଷେ ଅସମ୍ଭବ ନୁହେଁ । ତେବେ ବୁଦ୍ଧିମାନ ନବୀନଙ୍କ ଡଙ୍ଗା ନିର୍ବାଚନ ବୈତରଣୀର କେଉଁ କୂଳକୁ ଯାଉଛି ତାହା ସମୟ କହିବ।



