କୁହାଯାଏ ଗାଁ ପରିମଳ ଧୋବ ତୁଠରୁ । ଠିକ୍ ସେହିଭଳି ଓଡ଼ିଶାର ବିକାଶ ଏବେ ଗାଁ ଗାଁରୁ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଗାଁ ଗାଁରେ ପହଞ୍ଚି ଲୋକଙ୍କ ଅଭିଯୋଗ ଓ ଦାବିପତ୍ର ଆଣିବା ପରେ ଏହାର ସମାଧାନ ପାଇଁ ତ୍ୱରିତ ବେଗରେ ପଦକ୍ଷେପ ନେଉଛନ୍ତି ନବୀନ ପଟ୍ଟନାୟକ । ତୃଣମୂଳସ୍ତରରୁ ଏହି ବିକାଶ ପ୍ରକ୍ରିୟା ସାଧାରଣ ଜନତାଙ୍କ ସ୍ୱପ୍ନକୁ ପୂରା କରୁଥିବା ବେଳେ ବିରୋଧୀ କିନ୍ତୁ ରକ୍ତ ଚାଉଳ ଚୋବାଇବା ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି । ବିକାଶ ପ୍ରକ୍ରିୟାରେ ବାଧକ ସାଜିବାକୁ ବିରୋଧୀ ପଣ କରିଛନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ୫-ଟି ସଚିବଙ୍କ ଉପରକୁ କାଳିମାଡ । ଗତ କିଛି ଦିନ ହେବ ୫-ଟି ସଚିବଙ୍କ ଜିଲ୍ଲା ଗସ୍ତକୁ ନେଇ ବିରୋଧୀ ନାନାଦି ମନଗଢା କାହାଣୀ କହୁଥିବା ଚର୍ଚ୍ଚା ହେଉଛି । ୫-ଟି ସଚିବ ମଞ୍ଚ ଉପରେ ଉକ୍ତ ଅଞ୍ଚଳ ପାଇଁ କଣ କହୁଛନ୍ତି ତାହା ବିରୋଧୀଙ୍କ ପାଇଁ ଗୁରୁତ୍ୱ ବହନ କରୁନି । କାରଣ ମଞ୍ଚ ଉପରେ ଜନ ସାଧାରଣଙ୍କର ବିକାଶର କଥା କହୁଛନ୍ତି ୫-ଟି ସଚିବ । କିନ୍ତୁ ୫-ଟି ସଚିବ କାହିଁକି ଗାଁ ଗାଁ ବୁଲି ଲୋକଙ୍କ ଅଭିଯୋଗ ଓ ଦାବିପତ୍ର ଆଣୁଛନ୍ତି ତାହା କାଳେ ବିରୋଧୀଙ୍କୁ ହଜମ ହେଉନି । ଏପରିକି ୫-ଟି ସଚିବଙ୍କୁ ବିରୋଧ କରିବାକୁ ବିରୋଧୀ ବାରମ୍ବାର ଚେତାବନୀ ଦେଇ ଆସିଛନ୍ତି ।
ସବୁଠୁ ବଡ କଥା ହେଲା, ବିରୋଧୀଙ୍କ ଚେତାବନୀ ସତ୍ତେ୍ୱ ମଧ୍ୟ ଏହି ବିକାଶ ପ୍ରକ୍ରିୟାରେ କେବେ ବ୍ରେକ ଲାଗିନି । କାରଣ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ନିଜର ଦାୟିତ୍ୱକୁ ତୁଲାଇବାକୁ ପଣ କରିଛନ୍ତି । ବିରୋଧୀ ଦଳ ଗୁଡିକର ଧମକରେ ଭୟଭୀତ ହୋଇ କେବେ ନିଜ କର୍ତ୍ତବ୍ୟ ପାଳନ କରିବାରେ ହେଳା କରିନାହାନ୍ତି ୫-ଟି ସଚିବ । ଯାହା ତାଙ୍କୁ ଲୋକଙ୍କ ଭିତରେ ଆହୁରି ଲୋକପ୍ରିୟ କରିଛି । ନିଜର କର୍ତ୍ତବ୍ୟ ପାଳନ ପାଇଁ ୫-ଟି ସଚିବଙ୍କୁ ବିରୋଧୀ ଦଳ ଗୁଡିକ ପକ୍ଷରୁ କାଳିମାଡ ସହ ଅଣ୍ଡାମାଡର ମଧ୍ୟ ସାମ୍ନା କରିବାକୁ ପଡିଛି । କିନ୍ତୁ କେବେ ନିଜ ଦାୟିତ୍ୱରୁ ପଛକୁ ହଟିନାହାନ୍ତି ପାଣ୍ଡିଆନ । ସଠିକ୍ ଢଙ୍ଗରେ କର୍ତ୍ତବ୍ୟ ପାଳନ ପାଇଁ ସମାଲୋଚନାର ଶିକାର ହେଉଛନ୍ତି । କିନ୍ତୁ ଏହାକୁ ଭ୍ରୃକ୍ଷେପ କରିନାହାନ୍ତି ୫-ଟି ସଚିବ । କାରଣ ପାଣ୍ଡିଆନ ଭଲ ଭାବେ ଜାଣିଛନ୍ତି, ବିକାଶ ବିରୋଧୀ ତତ୍ତ୍ୱଙ୍କ କଥାରେ ପ୍ରତିକ୍ରିୟାଶୀଳ ହେଲେ ଗାଁ ଗୁଡିକର ବିକାଶ ପାଇଁ ନବୀନ ଦେଖିଥିବା ସ୍ୱପ୍ନରେ ବାଧା ଉପୁଜିବ । ଯେଉଁଥିପାଇଁ କାଳିମାଡ, ଅଣ୍ଡାମାଡ, ସମାଲୋଚନାକୁ ଖାତିର ନକରି ଗାଁରୁ ଗାଁ ନନଷ୍ଟପ ବୁଲୁଛନ୍ତି ୫-ଟି ସଚିବ । ଏତେ ବିରୋଧ ସତ୍ତେ୍ୱ ମଧ୍ୟ ନବୀନଙ୍କ ଭଳି ଶାନ୍ତ ରହି ୫-ଟି ସଚିବ କେବଳ ଯେ, ବିକାଶର ଏହି ରଥକୁ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପହଞ୍ଚାଇବାକୁ ସକ୍ଷମ ହୋଇଛନ୍ତି ତାହା ନୁହେଁ ବରଂ ଜଣେ କର୍ତ୍ତବ୍ୟନିଷ୍ଠ ଓ ଦାୟିତ୍ୱବାନ ବ୍ୟକ୍ତିତ୍ୱ ଭାବେ ଉଭା ହୋଇଥିବା କୁହାଯାଉଛି ।
କାଳିମାଡ, ଅଣ୍ଡାମାଡ ଭଳି ହୀନ ପ୍ରୟାସ କରି ବିରୋଧୀ କେବଳ ଲୋକହସା ହେଉନାହାନ୍ତି ବରଂ ଜନସାଧାରଣଙ୍କ ବିଶ୍ୱାସଭାଜନ ହେବାରୁ ବଞ୍ଚିତ ହେଉଛନ୍ତି । କାରଣ ରାଜନୈତିକ ଅଭିସନ୍ଧି ରଖି ବିକାଶକୁ ବିରୋଧ କରିବା ଆଗାମୀ ଦିନରେ ବିରୋଧୀ ଦଳ ପାଇଁ ବୁମେରାଂ ହେବ ବୋଲି ଶୁଣିବାକୁ ମିଳୁଛି ।


