ଏଣିକି ହସ୍ପିଟାଲ କ୍ୟାଣ୍ଟିନରେ ,ୱାଓ ମୋମୋରେ ମିଳିବ ମିଲେଟ୍ । ଭୁବନେଶ୍ୱର ଜନତା ମଇଦାନରେ ଏହାକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏହି ସମ୍ମିଳନୀରେ ପୁଷ୍ଟିଶସ୍ୟ ସମ୍ପର୍କିତ ଭିନ୍ନ ଭିନ୍ନ ଅଧିବେଶନ ଅନୁଷ୍ଠିତ ହେବ । ଏହି ଅନ୍ତର୍ଜାତୀୟ ସମ୍ମିଳନୀର ବିଷୟବସ୍ତୁ ରହିଛି ‘ଆଧୁନିକ ଯୁଗର ଆହ୍ୱାନ ନିମନ୍ତେ ପ୍ରାଚୀନ ଶସ୍ୟ-ମିଲେଟସ୍’ ।
ଏନେଇ ସୂଚନା ଦେଇଛନ୍ତି ରାଜ୍ୟର କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ । ମିଳିଥିବା ସୂଚନା ମୁତାବକ, ଗତ ବର୍ଷ ୬ ଲକ୍ଷ ମେଟ୍ରିକ ଟନ୍ ମିଲେଟ୍ ସଂଗ୍ରହ କରାଯାଇଛି । ରାଜ୍ୟର ୩୦ ଜିଲ୍ଲାର ୧୭୭ ବ୍ଲକରେ ଏଥର ମିଲେଟ୍ ଚାଷ ହେଇଛି ।
ଅନ୍ୟପଟେ ରାଜ୍ୟରେ ଅଢେଇ ଲକ୍ଷ ହେକ୍ଟର ଜାଗାରେ ରାଗି ଚାଷ ହେଇଛି । ଆଉ ଦୁଇ ଲକ୍ଷ ଚାଷୀ ଏଥିରେ ଯୋଡି ହୋଇଛନ୍ତି ବୋଲି କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଗୁରୁବାରଠୁ ଆରମ୍ଭ ହୋଇଛି ଦୁଇ ଦିନିଆ ମିଲେଟ୍ ସମ୍ବନ୍ଧୀୟ ଅନ୍ତର୍ଜାତୀୟ ସମ୍ମିଳନୀ । ସମ୍ମିଳନୀରେ ମିଲେଟ୍ ଚାଷ, ପ୍ରକ୍ରିୟାକରଣରେ କୃଷକମାନଙ୍କର ସଂପୃକ୍ତିରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ, ବୈଷୟିକ ଅଧିବେଶନ, ଅନ୍ତର୍ଜାତୀୟ ଖାଦ୍ୟମେଳା, କୁଇଜ୍ ପ୍ରତିଯୋଗିତା, ରନ୍ଧନ ପ୍ରତିଯୋଗିତା ଆଦି କାର୍ଯ୍ୟକ୍ରମ ହେବ । ଏହାସହ ମିଶନ ଶକ୍ତି ଅଧିନ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଓ ମିଲେଟ୍ ଉଦ୍ୟୋଗୀମାନଙ୍କ ସଫଳତାର କାହାଣୀ ପ୍ରଦର୍ଶିତ ହେବ । ସେହିପରି ଜଳବାୟୁ ପରିବର୍ତନ ଏବଂ ମିଲେଟସ୍ ଉପରେ ଆଧାରିତ ସଂଗୀତ କାର୍ଯ୍ୟକ୍ରମ ହେବ ।

