ବଢିଲା ଅଭିନେତା ପ୍ରକାଶ ରାଜଙ୍କ ଅଡୁଆ । ପ୍ରଣବ ଜୁଏଲରୀ ସ୍କାମ ମାମଲାରେ ପ୍ରକାଶ ରାଜଙ୍କୁ ଇଡି ପକ୍ଷରୁ ସମନ ଜାରି ହୋଇଛି । ପୁଞ୍ଜି ସ୍କିମ ଠକେଇ ମାମଲାରେ ପ୍ରକାଶଙ୍କୁ ପ୍ରବର୍ନତ୍ତ ନିର୍ଦ୍ଦେଶାଳୟ ପକ୍ଷରୁ ସମନ ଜାରି କରାଯାଇଛି । ତିରୁଚିରାପଲ୍ଲୀର ଏକ ଜୁଏଲରୀ ଗ୍ରୁପ୍ ବିରୋଧରେ ୧୦୦ କୋଟିର ପଞ୍ଜି ସ୍କିମ୍ ଓ ଜାଲିଆତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ପ୍ରକାଶଙ୍କୁ ସମନ ହୋଇଛି । ପ୍ରିଭେନସନ ଅଫ୍ ମନି ଲଣ୍ଡ୍ରିଂ ଆକ୍ଟ ଅନୁଯାୟୀ ହାଜର ହେବାକୁ ପ୍ରକାଶଙ୍କୁ ନୋଟିସ ଜାରି କରିଛି ଇଡି ।

ତିରୁଚିରାପଲ୍ଲୀ ସ୍ଥିତ ପ୍ରଣବ ଜୁଏଲର୍ସ ନାମକ କମ୍ପାନୀ ବିରୋଧରେ ଏକ ମାମଲାର ତଦନ୍ତ କରୁଛି ଇଡି । ନଭେମ୍ବର ୨୦ରେ କେନ୍ଦ୍ରୀୟ ଏଜେନ୍ସି ଏହି କମ୍ପାନୀ ଉପରେ ଚଢ଼ାଉ କରି ୨୩.୭୦ ଲକ୍ଷର ହିସାବ ବହିର୍ଭୂତ ନଗଦ ଟଙ୍କା ଏବଂ କିଛି ସୁନା ଅଳଙ୍କାର ଜବତ କରିଥିଲା । ପ୍ରକାଶ ଏହି କମ୍ପାନୀର ବ୍ରାଣ୍ଡ୍ ଆମ୍ବାସାଡର ଥିଲେ । ଆସନ୍ତା ସପ୍ତାହରେ ତାଙ୍କୁ ଚେନ୍ନାଇ ସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି। ହିନ୍ଦୀ ଓ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିବା ଏହି ଅଭିନେତା ବିଜେପିର ଜଣେ କଠୋର ସମାଲୋଚକ ରହିଆସିଛନ୍ତି । ତାମିଲନାଡୁ ପୁଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଦ୍ୱାରା ରୁଜୁ ଏକ ଏତଲା ଭିତ୍ତିରେ ଇଡି ଏହି ମାମଲାର ତଦନ୍ତ କରୁଛି ।


