ପ୍ରଥମ ଶ୍ରେଣୀରେ ନାମ ଲେଖାଇ ପାରିବେନି ୬ ବର୍ଷରୁ କମ ବୟସର ପିଲା

ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ହେଲେ ପିଲାଙ୍କ ସର୍ବନିମ୍ନ ବୟସ ୬ ବର୍ଷ ହୋଇଥିବା ଆବଶ୍ୟକ। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି । ନୂଆ ଜାତୀୟ ଶିକ୍ଷା ନୀତି ଅନୁସାରେ ଏହି ନିଷ୍ପତ୍ତି ନିଆଯାଇଛି। ଜାତୀୟ ଶିକ୍ଷା ନୀତି-୨୦୨୦କାର୍ଯ୍ୟକାରିତା ଆଧାରରେ ଏହି ବୟସ ସଂଶୋଧିତ ନିୟମ ଲାଗୁ କରାଯାଇଛି । ସେପ୍ଟେମ୍ବର ୧ ସୁଦ୍ଧା ୬ ବର୍ଷରୁ ଅଧିକ ହୋଇଥିଲେ ପିଲାଙ୍କ ଆଡମିଶନ ହୋଇପାରିବ।

ସେହିପରି ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟରେ ଏକ ଶିଶୁବାଟିକା’ ଖୋଲାଯିବ । ୫ରୁ ୬ ବର୍ଷ ମଧ୍ୟରେ ଥିବା ଶିଶୁମାନେ ଏଠାରେ ନାମ ଲେଖାଇପାରିବେ । ସେମାନଙ୍କୁ ପ୍ରି-ସ୍କୁଲ ଶିକ୍ଷା ବା ପ୍ରାକ-ସ୍କୁଲ ଶିକ୍ଷା ପ୍ରଦାନ କରାଯିବ । ସେମାନେ ୬ ବର୍ଷରେ ପହଞ୍ଚିଲେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବେ। ଏହି ନିୟମ ଚଳିତ ଶିକ୍ଷାବର୍ଷ ଠାରୁ କାର୍ଯ୍ୟକାରୀ ହେବାକୁ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

ସୂଚନାଯୋଗ୍ୟ ଯେ, ୨୦୨୫-୨୬ ଶିକ୍ଷା ବର୍ଷରେ ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି-୨୦୨୦ ଲାଗୁ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।ଜାତୀୟ ଶିକ୍ଷା ନୀତିରେ ପ୍ରାରମ୍ଭିକ ଶିକ୍ଷା ପ୍ରତି ଗୁରୁତ୍ୱାରୋପ କରାଯାଇଛି। ଏଥିପାଇଁ ବିଦ୍ୟାଳୟରେ ପୁରୁଣା ୧୦+୨ ପାଠ୍ୟ ଖସଡ଼ା ସ୍ଥାନରେ ୫+୩+୩+୪ ପାଠ୍ୟକ୍ରମ ଲାଗୁ କରାଯିବ। ଏହା ଅନୁଯାୟୀ ବୟସ ଯଥାକ୍ରମେ ୩ରୁ ୮ ବର୍ଷ, ୮ରୁ ୧୧ ବର୍ଷ, ୧୧ରୁ ୧୪ ବର୍ଷ ଏବଂ ୧୪ରୁ ୧୮ ବର୍ଷ ରଖାଯାଇଛି। ପ୍ରାକ୍ ବିଦ୍ୟାଳୟରୁ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ସମସ୍ତ ଶିକ୍ଷାକୁ ବ୍ୟାପକ କରିବା ପାଇଁ ଜାତୀୟ ଶିକ୍ଷା ନୀତି ୨୦୨୦ରେ ଗୁରୁତ୍ଵାରୋପ କରାଯାଇଛି।

Post Views11 Total Count

Apply Now


This will close in 0 seconds

error: Content is protected !!