() ଯେତେବେଳେ ଲାଲ ତାଣ୍ଡବରେ ସାରା ଦେଶ ଥରହର ହେଉଥିଲା । ମାଲକାନଗିରି ନାଁ ଶୁଣିଲେ ସରକାରୀ ଅଧିକାରୀ ନିଜ ଚାକିରିକୁ ଅଭିଶାପ ବୋଲି ମଣୁଥିଲେ । ସେତେବେଳେ ବିଚ୍ଛିନ୍ନାଞ୍ଚଳରେ ବିକାଶର ସେତୁ ଯୋଡ଼ିବାକୁ ଆଗେଇ ଆସିଥିଲେ ଜଣେ ଆଇଏଏସ । ଯୁବକ, କାମ କରିବାର ଜୋସ୍ ଓ ଜନସେବାର ବ୍ରତ ଆଗରେ ଫିକା ପଡ଼ିଥିଲା ମାଓ ଅଞ୍ଚଳର ଗୁଳିଗୋଳା ଶବ୍ଦ । ମାଓ ଚକ୍ରବିହ୍ୟୁକୁ ବେଦ କରି ଓଡ଼ିଶାର ଅଭିମନ୍ୟୁ ସାଜିଥିଲେ ତତ୍କାଳୀନ ମାଲକାନଗିରିର ଜିଲ୍ଲାପାଳ ଭିନିଲ କ୍ରୀଷ୍ଣା ।
ବରିଷ୍ଠ ଆଇଏଏସ ତଥା ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ବତନ୍ତ୍ର ସଚିବ, କ୍ରୀଡ଼ା ସଚିବ ଭାବେ କାର୍ଯ୍ୟରତ ଅଛନ୍ତି ଭିନିଲ କ୍ରୀଷ୍ଣା । ୧୦ ମେ ୧୯୮୦ ମସିହାରେ ହାଇଦ୍ରାବାଦରେ ଜନ୍ମ ହୋଇଥିଲେ ଭିନିଲ । ଭିନିଲ କ୍ରୀଷ୍ଣା ହେଉଛନ୍ତି ୨୦୦୫ ମସିହା ଓଡ଼ିଶା କ୍ୟାଡର ଆଇଏଏସ ଅଫିସର । ୨୦୧୧ ମସିହାରେ ଭିନିଲଙ୍କ ଜୀବନରେ ଯାହା ଘଟିଗଲା ତାହା ତାଙ୍କୁ କାଲି ଦେଶରେ ଜଣେ ସାହାସୀ ଅଫିସର ଭାବେ ପରିଚୟ ଦେଲାନି ବରଂ ମାଓ ବିରୋଧରେ ଲଢେଇକୁ ଆହୁରି ତୀବ୍ର କରିଥିଲା । ୨୦୧୧ ମସିହାରେ ମାଲକାନଗିରି ଜିଲ୍ଲାର ଜିଲ୍ଲାପାଳ ଭାବେ ଦାୟିତ୍ବ ତୁଲାଉଥିଲେ ଭିନିଲ । ଫେବ୍ରୁଆରୀ ମାସ ୧୬ ତାରିଖରେ ମାଲକାନଗିରିର ଏହି ପୂର୍ବତନ ଜିଲ୍ଲାପାଳଙ୍କୁ ଅପରହଣ କରିନେଇଥିଲେ ମାଓବାଦୀ । ଜନ୍ତାପାଇ ଗ୍ରାମରେ ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା କଥା ପଚାରି ବୁଝୁଥିବା ବେଳେ ତାଙ୍କୁ ଅପହରଣ କରିନେଇଥିଲେ ମାଓବାଦୀ । ଯେଉଁଥିରେ ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା ।
ଚିତ୍ରକୋଣ୍ଡା ବିଛିନ୍ନାଚଂଳ ବଡପଡା ଠାରେ ଜନସଂପର୍କ ଶିବିରରେ ତତ୍କାଳୀନ ଜିଲ୍ଲାପାଳ ଆର ଭିନିଲ କ୍ରୀଷ୍ଣା ଓ ଅନ୍ୟାନ୍ୟ ଅଧିକାରୀ ଯୋଗଦେଇଥିଲେ । ଜଳ ବିଭାଜିକା କାମ ଦେଖିବାକୁ ଜନ୍ତାପାଇ ଗ୍ରାମକୁ ଯାଇଥିବା ବେଳେ ଭିନିଲ କ୍ରୀଷ୍ଣା ଓ କନିଷ୍ଠ ଯନ୍ତ୍ରୀ ପବିତ୍ର ମୋହନ ମାଝୀଙ୍କୁ ମାଓବାଦୀ ମାନେ ଅପହରଣ କରିନେଇଯାଇଥିଲେ । ୧୪ଦଫା ଦାବି ରଖି ସେମାନଙ୍କୁ ପଣ ବନ୍ଦିକରି ରଖିଥିଲା ଲାଲବାହିନୀ । ଦୁଇ ଦିନ ପରେ ଯନ୍ତ୍ରୀଙ୍କୁ ଛାଡିଦେଇ ଥିବା ବେଳେ ଭିନିଲଙ୍କୁ ଛାଡ଼ିନଥିଲେ । ସମଗ୍ର ଦେଶରେ ଆନ୍ଦୋଳନ ହେବା ପରେ ୮ ଦିନ ପରେ ୧୪ ଦଫା ଦାବି ରଖି ଭିନିଲ କ୍ରୀଷ୍ଣାଙ୍କୁ ଡୋଲିଆମ୍ବ ଗାଁ ନିକଟରେ ପ୍ରଜା କୋର୍ଟ କରି ଗ୍ରାମବାସୀ ଓ ଗଣମାଧ୍ୟମଙ୍କ ସମ୍ମୁଖରେ ମୁକ୍ତ କରିଥିଲେ । ଭିନିଲଙ୍କ ଏହି ସାହାସିକତା ପାଇଁ ସାରା ଦେଶ ତାଙ୍କୁ ସାଲ୍ୟୁଟ କରିଥିଲା ।
ଜନତାଙ୍କ ପାଇଁ ଭିନିଲଙ୍କ ଏ ପ୍ରତିବଦ୍ଧତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଭାବିତ କରିଥିଲା । ଭିନିଲ ପରେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ ମଧ୍ୟ ପରେ ଓଡ଼ିଶା ଫେରି ରାଜ୍ୟ ସରକାରଙ୍କ ଗୁଡବୁକରେ ରହିଛନ୍ତି । ଯେଉଁକିଛି ଜଣ ବରିଷ୍ଠ ଅଧିକାରୀଙ୍କ ଉପରେ ମୁଖ୍ୟମନ୍ତ୍ରୀ ଭରସା କରିଛନ୍ତି ସେମାନଙ୍କ ମଧ୍ୟରେ ଭିନିଲ ଅନ୍ୟତମ । ସେଥିପାଇଁ ତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ବତନ୍ତ୍ର ସଚିବ ଭାବେ ନବୀନ ତାଙ୍କୁ ନିଯୁକ୍ତି ଦେଇଛନ୍ତି । ଏହା ସହିତ କ୍ରୀଡ଼ା ସଚିବ ଭାବେ ରାଜ୍ୟ ପ୍ରତି ତାଙ୍କ ଅବଦାନ ଅତୁଳନୀୟ ।
ଭିନିଲଙ୍କ ସମୟରେ ଓଡ଼ିଶାରେ ହକି ବିଶ୍ବକପ ଆୟୋଜନ କରାଯାଇଛି । ରାଉରକେଲାରେ ବିଶ୍ବର ସର୍ବବୃହତ ହତି ଷ୍ଟାଡିୟମ ନିର୍ମାଣରେ ତାଙ୍କ ଅବଦାନ ଅତୁଳନୀୟ । କଳିଙ୍ଗ ଷ୍ଟାଡିୟମର ନବକଳେବର ହେଉ କି ଗାଁ ଗାଁରେ କ୍ରୀଡାର ବିକାଶ ପାଇଁ ପଦକ୍ଷେପ କଥା କୁହନ୍ତୁ । ସବୁଥିରେ ଭିନିଲଙ୍କ କାର୍ଯ୍ୟଦକ୍ଷତା ପ୍ରତିଫଳିତ ହୋଇଛି । କରୋନା ସମୟରେ ଭିନିଲଙ୍କ ଦକ୍ଷତା ଉପରେ ଭରସା କରି ମୁଖ୍ୟମନ୍ତ୍ରୀ ତାଙ୍କୁ କୋଭିଡ ପରିଚାଳନା ଦାୟିତ୍ବ ଦେଇଥିଲେ । ଫାଇଭ-ଟି ସଚିବଙ୍କ ସହିତ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ବି ଭିନିଲଙ୍କୁ ସବୁ ଜିଲ୍ଲାରେ ଦେଖିବାକୁ ମିଳିଥିଲା । ରାଜ୍ୟ ସରକାରଙ୍କ ପ୍ରମୁଖ ଯୋଜନା ଓ ପ୍ରକଳ୍ପର କାର୍ଯ୍ୟକାରୀତା ସମ୍ପର୍କରେ ସମୀକ୍ଷା ବୈଠକରେ ବି ଭିନିଲ ଗୁରୁଦାୟିତ୍ବ ସଂପାଦନ କରୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପ୍ରତିଟି କାର୍ଯ୍ୟକୁ ପ୍ରତିବଦ୍ଧତାର ସହିତ ସମାପନ କରୁଛନ୍ତି ଭିନିଲ । ଯେଉଁଥିପାଇଁ ଉଭୟ ରାଜ୍ୟ ସରକାର ଓ ଲୋକଙ୍କର ପ୍ରିୟଭାଜନ ହୋଇପାରିଛନ୍ତି ଏହି ବରିଷ୍ଠ ଅଧିକାରୀ ।






