ଏମିତି ଦିଶନ୍ତି ଏଲିଅନ୍

ସତରେ ଅଛନ୍ତି କି ଏଲିୟନ? ଉଡ଼ନ୍ତା ଥାଳିଆ ଓ ଏଲିୟନ ପ୍ରସଙ୍ଗରେ ଥମୁନି ଚର୍ଚ୍ଚା । ଏବେ ପୁଣି ଚର୍ଚ୍ଚାକୁ ଖୋରାକ ଯୋଗାଇଛନ୍ତି ମେକ୍ସିକୋର ଜଣେ ବରିଷ୍ଠ ଗବେଷକ । ଏଲିୟନ ପ୍ରସଙ୍ଗରେ ଗବେଷକ ଦୃଢ଼ ଯୁକ୍ତି ଦର୍ଶାଇବା ପରେ ଏନେଇ ଅଧିକ ଗବେଷଣା ଲାଗି ସହମତି ପ୍ରକାଶ କରିଛନ୍ତି ମେକ୍ସିକୋ ସାଂସଦ । ମେକ୍ସିକୋର ସାମ୍ବାଦିକ ତଥା ଅଜଣା ଉଡନ୍ତା ବସ୍ତୁ ବା ୟୁଏଫଓ ସମ୍ପର୍କରେ ଦୀର୍ଘ ଗବେଷଣା କରୁଥିବା ଜେମ୍ ମୌସାନ ଦୁଇଟି ଭିନ୍ନ ଜୀବର ଶବ ଦେଖାଇବା ପରେ ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।

ସେ କହିଛନ୍ତି ଏହି ଜୀବ ପୃଥିବୀରେ ବାସ କରନ୍ତି ନାହିଁ । ସେହି ଶବର ଦୁଇଟି ହାତରେ ୩ଟି ଲେଖାଏ ଆଙ୍ଗୁଠି ରହିଛି । ତାର ମୁଣ୍ଡଟି ଲମ୍ବାଳିଆ । ବିଶ୍ବ ବ୍ରହ୍ମାଣ୍ଡରେ କେବଳ ମଣିଷ ନାହାନ୍ତି ଅଣ-ମଣିଷ ବି ବାସ କରୁଥିବାର ଏହା ଏକ ପ୍ରମାଣ । ମୌସାନଙ୍କ ମତରେ ପୃଥିବୀରେ ଘଟିଥିବା ବିବର୍ତ୍ତନରେ ଏହି ପ୍ରାଣୀ ଅନ୍ତର୍ଭୁକ୍ତ ହୋଇନାହିଁ । ଦୁଇଟି ଶବର ଡିଏନଏ ନମୁନା ପରୀକ୍ଷା କରାଯାଇଥିଲା ଏବଂ ଅନ୍ୟାନ୍ୟ ଡିଏନଏ ନମୁନା ସହ ତୁଳନା କରାଯାଇଥିଲା । ଏଥିରୁ ଜଣାପଡିଥିଲା ଡିଏନଏ ନମୁନା ମଧ୍ୟରୁ ୩୦ ପ୍ରତିଶତ ରହିଛି ଅଜ୍ଞାତ । ଏହା ସହ ଗୋଟିଏ ଶବର ଶରୀରରେ ଅଣ୍ଡା ଥିବା ବେଳେ ବିରଳ ଧାତବ ଦ୍ରବ୍ୟ ରହିଥିବା ନେଇ ଏକ୍ସରେରୁ ଜଣାଯାଇଥିଲା ।

ଅଟୋନମସ ନ୍ୟାସନାଲ ୟୁନିଭରସିଟି ଅଫ ମେକ୍ସିକୋ ବା ଉନାମରେ ବି ଏହି ଶବର ପରୀକ୍ଷା କରାଯାଇଥିଲା ଏବଂ ସେଥିରୁ ଡିଏନଏ ବାହାର କରାଯାଇଥିଲା । ତାହାର ରେଡିଓ କାର୍ବନ ଡେଟିଂ କରାଯାଇ ବୟସ ନିରୁପଣ କରାଯାଇଥିଲା ବୋଲି କହିଛନ୍ତି ମୌସାନ । ଗତ ୨୦୧୭ରେ ପେରୁର କୁସ୍କୋରେ ପ୍ରାଚୀନ ନାଜକା ଲାଇନସରୁ ତାହାକୁ ଉଦ୍ଧାର କରାଯାଇଥିଲା । କାର୍ବନ ଡେଟିଂ ଅନୁସାରେ ତାହାର ବୟସ ପ୍ରାୟ ୭୦୦ରୁ ୧୮୦୦ ବର୍ଷ । ପ୍ରଥମ ଥର ଲାଗି ଏଭଳି ପ୍ରମାଣ ମିଳିଛି ବୋଲି କହିଛନ୍ତି ମୌସାନ । ଦୁଇ ଶବର ଏକ୍ସରେ, ଥ୍ରୀ-ଡି ପୁନର୍ଗଠନ ଓ ଅଧିକ ଡିଏନଏ ଆନାଲିସିସ କରାଯିବ ବୋଲି କହିଛନ୍ତି ମେକ୍ସିକୋ ନୌସେନାର ସ୍ବାସ୍ଥ୍ୟ ପ୍ରତିଷ୍ଠାନ ନିର୍ଦ୍ଦେଶକ ଜୋସ ଜେସସ ବେନିତେଜ ।

ସାଂସଦମାନଙ୍କ ସମ୍ମୁଖରେ ମୌସାନ ଏଲିୟନଙ୍କ ପ୍ରସଙ୍ଗରେ ବର୍ଣ୍ଣନା କରିବା ପରେ ସେଠାରେ ଉପସ୍ଥିତ ରହି ନିଜ ଅନୁଭୂତି ଉପସ୍ଥାପନ କରିଥିଲେ ଆମେରିକାର ପୂର୍ବତନ ନୌସେନା ପାଇଲଟ ରିୟାନ ଗ୍ରେଭସ । ଏସମ୍ପର୍କରେ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ଏବଂ ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନ ପକ୍ଷରୁ ବି ସାମରିକ ଉଡାଣକାରୀଙ୍କଠାରୁ ପ୍ରାପ୍ତ ତଥ୍ୟ ଅନୁସାରେ ତଦନ୍ତ ଜାରିରହିଛି ।

Post Views11 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!