ଆସନ୍ତାକାଲି ପ୍ରକାଶ ପାଇଁ ୪ ରାଜ୍ୟର ବିଧାନସଭା ନିର୍ବଚନ ଫଳାଫଳ । ମିଜୋରାମକୁ ଛାଡି ଆସନ୍ତାକାଲି ଅନ୍ୟ 4 ରାଜ୍ୟର ଭୋଟ ଗଣତି ହେବ । ରବିବାର ଇସାଇ ସମ୍ପ୍ରଦାୟଙ୍କ ପାଇଁ ପବିତ୍ର ହୋଇଥିବାରୁ ସୋମବାର ମିଜୋରାମର ଗଣତି କରିବାକୁ ନିଷ୍ପତ୍ତି ହୋଇଛି । ତେବେ ଭୋଟ ଗଣତି ପୂର୍ବରୁ ଏକଜିଟ୍ ପୋଲ ନେତାଙ୍କ ନିଦ ହଜାଇଛି । ଆସନ୍ତୁ ନଜର କରିବା ଏକଜିଟ୍ ପୋଲ କଣ କହୁଛି ।
ରାଜସ୍ଥାନରେ ମୋଟ ୨୦୦ଟି ଆସନ ଥିବାବେଳେ ୧୯୯ଟିରେ ଭୋଟ ଗ୍ରହଣ ହୋଇଥିଲା । ବିଭିନ୍ନ ସଂସ୍ଥାମାନଙ୍କ ଦ୍ବାରା କରାଯାଇଥିବା ଏକଜିଟ୍ ପୋଲ ଅନୁସାରେ ଏହି ରାଜ୍ୟରେ ବିଜେପି କ୍ଷମତାକୁ ଆସିବାର ସମ୍ଭାବନା ରହିଛି । ଦୈନିକ ଭାସ୍କରର ରିପୋର୍ଟ ଅନୁସାରେ ବିଜେପି ୯୮ରୁ ୧୦୫ଟି ଆସନ, କଂଗ୍ରେସ ୮୫ରୁ ୯୫ଟି ଆସନ ଜିତିବ । ସେହିପରି ଜନକି ବାତର ପୂର୍ବାନୁମାନ ଅନୁସାରେ ବିଜେପି ୧୦୦ରୁ ୧୨୨ଟି ଆସନ ଜିତିବ, କଂଗ୍ରେସ ୬୨ରୁ ୮୫ଟି ଆସନ ଜିତିବ । ଇଣ୍ଡିଆ ଟୁଡେ-ଆକ୍ସିସ ମାଇ ଇଣ୍ଡିଆର ପୂର୍ବାନୁମାନ ଅନୁସାରେ ବିଜେପି ୮୦ରୁ ୧୦୦ଟି ଆସନ, କଂଗ୍ରେସ ୧୦୦ରୁ ୧୦୬ଟି ଆସନ ଜିତିବାର ସମ୍ଭାବନା ରହିଛି । ପି-ମାର୍କ୍ୟୁର ରିପୋର୍ଟ ଅନୁସାରେ ବିଜେପି ୧୦୫ରୁ ୧୨୫ଟି ଆସନ ଜିତିବ, କଂଗ୍ରେସ ୬୯ରୁ ୯୧ଟି ଆସନ ଜିତିବ ।
୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ରାଜ୍ୟ ବିଧାନସଭା ପାଇଁ ହୋଇଥିବା ମତଦାନର ଏକ୍ଜିଟ୍ ପୋଲ ଫଳାଫଳ ଆଜି ସନ୍ଧ୍ୟାରେ ପ୍ରକାଶ ପାଇଛି। ଫଳାଫଳରୁ ମଧ୍ୟପ୍ରଦେଶରେ ଶାସନ ଗାଦି ଅକ୍ତିଆର ପାଇଁ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ସଂକେତ ମିଳିଛି। ମଧ୍ୟପ୍ରଦେଶରେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ୧୧୬ ଥିବା ବେଳେ ରିପବ୍ଲିକ ଟିଭି ବିଜେପିକୁ ବହୁମତ ମିଳିବ ବୋଲି ଆକଳନ କରିଥିବା ବେଳେ ନ୍ୟୁଜ୍ ୨୪ ମଧ୍ୟ ବିଜେପି ସପକ୍ଷରେ ବିଜୟ ଯିବ ବୋଲି ଅନୁମାନ ଲଗାଇଛି। ତେବେ ଟିଭି ୯, ଜନ୍କି ବାତ୍ ଓ ଦୈନିକ ଭାସ୍କର ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲରେ ଉଭୟ ବିଜେପି ଓ କଂଗ୍ରେସ ବହୁମତର ଦାବିଦାର ବୋଲି ଦର୍ଶାଯାଇଛି।
ଛତିଶଗଡ଼ର ଏକଜିଟ୍ ପୋଲ୍ ଫଳାଫଳ ସାମ୍ନାକୁ ଆସିଛି। ୯୦ ଆସନ ବିଶିଷ୍ଟ ଛତିଶଗଡ଼ ବିଧାନସଭାରେ ମ୍ୟାଜିକ ନମ୍ବର ରହିଛି ୪୬। ଅର୍ଥାତ ୪୬ଟି ଆସନ ଜିତିଥିବା ଦଳ ସରକାର ଗଢ଼ିବା ଲାଗି ଯୋଗ୍ୟ ହେବ। ଛତିଶଗଡ଼ରେ ପୁଣିଥରେ କଂଗ୍ରେସ କ୍ଷମତାକୁ ଆସିବ ନା ନାହିଁ, ତାହା ଉପରେ ସମସ୍ତର ନଜର ଅଟକି ରହିଛି।
ଜାତୀୟ ଗଣମାଧ୍ୟମ ‘ଇଣ୍ଡିଆ ଟୁଡେ-ଆକ୍ସିସ୍ ମାଇଁ ଇଣ୍ଡିଆ’ ଦ୍ବାରା କରାଯାଇଥିବା ଏକଜିଟ୍ ପୋଲରୁ ଜଣାପଡିଛି ଯେ, ଛତିଶଗଡ଼ରେ ହୋଇଥିବା ନିର୍ବାଚନରେ କଂଗ୍ରେସ ୪୦-୫୦ଟି ଆସନ ଜିତିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ବିଜେପି ୩୬-୪୬ଟି ଆସନ ଜିତିବା ସହ ବହୁଜନ ସମାଜ ପାର୍ଟି (ବିଏସପି) ଏବଂ ଗୋଣ୍ଡୱାନା ଗଣତନ୍ତ୍ର ପାର୍ଟି (ଜିଜିପି) ସମେତ ଅନ୍ୟ ଦଳ ପ୍ରାୟ ଗୋଟାଏରୁ ପାଞ୍ଚଟି ଆସନ ଜିତିପାରନ୍ତି ବୋଲି ଏକଜିଟ୍ ପୋଲରୁ ଜଣାପଡ଼ିଛି।
ସେହିଭଳି ‘ଏବିପି ନିଉଜ୍-ସି ଭୋଟର’ ଦ୍ବାରା କରାଯାଇଥିବା ଏକଜିଟ୍ ପୋଲ ଅନୁଯାୟୀ, ଛତିଶଗଡ଼ରେ ବିଜେପି ୩୬-୪୮ଟି ଆସନ ସହ କଂଗ୍ରେସ ୪୧-୫୩ଟି ଆସନ ଜିତିବାର ସମ୍ଭାବନା ରହିଛି। ଏହା ସହ ‘ଇଣ୍ଡିଆ ଟିଭି-ସିଏନଏକ୍ସ’ ଏକଜିଟ୍ ପୋଲ୍ ଅନୁସାରେ ବିଜେପି ୩୦-୪୦ ଆସନ ପାଇବାକୁ ଥିବା ବେଳେ କଂଗ୍ରେସ ୪୬-୫୬ ଆସନରେ ଜିତିବା ସମ୍ଭାବନା ରହିଛି। ‘ଜନ୍ କି ବାତ୍’ ଦ୍ବାରା କରାଯାଇଥିବା ଏକଜିଟ୍ ପୋଲରେ ମଧ୍ୟ କଂଗ୍ରେସ ଆଗରେ ରହିଛି। ବିଜେପି ୩୪-୪୫ ମଧ୍ୟରେ ଆସନରେ ଜିତିବା ସମ୍ଭାବନା ଥିବା ବେଳେ କଂଗ୍ରେସ ୪୨-୫୩ ଆସନରେ ଜିତିପାରେ। ଏଭଳି ସ୍ଥିତିରେ ପୁଣି ଥରେ କଂଗ୍ରେସ ଛତିଶଗଡ଼ରେ ସରକାର ଗଢ଼ିବ ବୋଲି ଏକଜିଟ୍ ପୋଲରୁ ଜଣାପଡ଼ିଛି।



