ଅବ୍ୟକ୍ତ ଅକ୍ଷରଟିଏ କେତେ ପରିବ୍ୟାପ୍ତ ହୋଇପାରେ। କେତେ କାହାଣୀ କହେ, କେତେ ବାସ୍ତବତାକୁ ବଖାଣେ । ପ୍ରତି ଅକ୍ଷରଙ୍କ ଅସହାୟତା ପଣରେ ବି ଭରିରହିଥାଏ ବିପ୍ଳବର ବହଳିଆ ପରସ୍ତଟିଏ । ଯିଏ ସୁଖ-ଦୁଃଖର ଧୂସର କୋଠରୀ ଭିତରେ ମାନବୀୟ ସମ୍ବେଦନଶୀଳତାକୁ ଉଠାଏ, ଏକେଲାପଣକୁ ଏକାନ୍ତରେ ପ୍ରାଚୁର୍ଯ୍ୟର ପଣତ ତଳେ ପରିବର୍ତ୍ତନର ଧ୍ୱନିକୁ ପ୍ରତିଧ୍ଵନିତ କରିପାରେ । ବାସ ! ଏଣେତେଣେ ଘୂରିବୁଲୁଥିବା ସେହି ଅତୃପ୍ତ ଅକ୍ଷରରୁ ଥରେ ଆପଣାପଣକୁ ବାଛିବାର ହିଁ ଅଛି। ଆଉ ସେହି ଶୂନ୍ୟ ପ୍ରତିଧ୍ଵନିକୁ ମାନବ ସମାଜର ଶୂନ୍ୟସ୍ଥାନରେ ବ୍ୟକ୍ତ କରିଥିବା ବ୍ୟକ୍ତି ହେଲେ ଅମ୍ରିତ୍ ଋତୁରାଜ ।
ଓଡିଶା କ୍ୟାଡର ଆଇଏଏସ, ବର୍ତ୍ତମାନ କେନ୍ଦ୍ରାପଡ଼ାର ଜିଲ୍ଲାପାଳ ତଥା ବିଶିଷ୍ଟ କବି ଓ ଲେଖକ ଅମ୍ରିତ୍ ଋତୁରାଜ । ପ୍ରଶାସନିକ ଅଧିକାରୀ ଭାବେ ସେ ଯେତିକି ପରିଚିତ, ନିଜ ଲେଖନୀ ମୁନର କାଳିରେ ସେତିକି ପରିବ୍ୟାପ୍ତ । ଘୂରିବୁଲୁଥିବା ଅକ୍ଷରକୁ ନିଜ ଆୟତ୍ତରେ ରଖି ଶବ୍ଦର ସ୍ୱରୂପ ଦେବାର କଳା ବୋଧହୁଏ ଅମ୍ରିତଙ୍କ କରାୟତ ହୋଇଛି । ମୃତ୍ୟୁକୁ ପତ୍ର ଲେଖୁଥିବା ଭାବଧାରୀ ସେ, ମେଘନାଦର କାନ୍ଦ ଶୁଣିଥିବା ନିରୋଳା କବି ସେ । ହୃଦୟର ସଂଗୁପ୍ତ କୋଠରୀରୁ ଅନ୍ତରର ବଂଶୀ ବଜାଇ ଓଡ଼ିଆ ସାହିତ୍ୟ ଜଗତକୁ ରୁଦ୍ଧିମନ୍ତ କରିଥିବା ନୀଳ ଆକାଶ ଓ ଅଜବ ମଣିଷର ପ୍ରତିଛବି ସେ । ତାଙ୍କ ସ୍ପର୍ଶରେ ମୋହଭଙ୍ଗ କରିଛି ନିଶ୍ଚିହ୍ନ ଭୂଇଁ, ଆନମନା କରିଛି ଶୂନ୍ୟପୁରର ଆତ୍ମୀୟତା ।
୧୯୯୨ ମସିହା ମେ ୧୦ ତାରିଖରେ ନବରଙ୍ଗପୁରରେ ଜନ୍ମ ନିଅନ୍ତି ଉଭୟ ପ୍ରଶାସନିକ ଓ ସାହିତ୍ୟ ଜଗତର ଉଜ୍ବଳ ତାରା ଅମ୍ରିତ ଋତୁରାଜ । ଅମ୍ରିତଙ୍କ ବାପା ଥିଲେ ଜଣେ ଓଏଏସ ଅଧିକାରୀ । ୨୦୦୭ ମସିହାରେ ସେ ଯାଜପୁର ଜିଲ୍ଲା ସ୍କୁଲରୁ ଦଶମ ଶ୍ରେଣୀ ପାସ୍ କରିଥିଲେ । ପରେ ପରେ ରେଭେନ୍ସା ଜୁନିୟର କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପଢି ସେଠାରୁ କୃର୍ତ୍ତକାର୍ଯ୍ୟ ହୋଇଥିଲେ । ରେଭେନ୍ସା ବିଶ୍ଵବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକ ପରେ ସେ ଜେଏନୟୁରେ ନାମ ଲେଖାଇ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ । ୨୦୧୫ ମସିହାରେ ସେ ଆଇଏଏସ ହେବା ପରେ ରାୟଗଡା ଜିଲ୍ଲା ଗୁଣପୁରରେ ସବ୍ କଲେକ୍ଟର ବା ଉପଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଥିଲେ । ଏହି ସମୟରେ ସାଧାରଣ ଲୋକଙ୍କର ଅତି ଆପଣାର ପାଲଟିଥିଲେ ଅମ୍ରିତ । ନୋ-ହେଲମେଟ୍ ନୋ-ପ୍ରେଟ୍ରୋଲକୁ ନେଇ ଉପାନ୍ତ ଇଲାକାରେ ସରକାରୀ ଯୋଜନା ପହଞ୍ଚାଇବା ତାଙ୍କପାଇଁ ସବୁଠୁ ବଡ ଚାଲେଞ୍ଜ ଥିଲା। ଗୁଣପୁର ଏନଏସିକୁ ମୁନିସିପାଲିଟିର ମାନ୍ୟତା ଓ ଗୁଣପୁରରେ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରତିଷ୍ଠା ହେବା ପଛରେ ତାଙ୍କର ଅତୁଳନୀୟ ଅବଦାନ ରହିଥିଲା। ଯେଉଁଥିପାଇଁ ଲୋକମାନଙ୍କ ମନରେ ଅମ୍ରିତଙ୍କ ପ୍ରତି ଅକୁଣ୍ଠ ଭଲପାଇବା ରହିଥିଲା। ୨୦୧୮ ମସିହାରେ ରାୟଗଡାର PDDRDA ଭାବେ ସେ ନିଯୁକ୍ତି ପାଇଥିଲେ। ମାଓ ପ୍ରବଣ ଅଞ୍ଚଳରେ ଦୁଇଦିନ ଦୁଇ ରାତି କାଟିବା ପରେ ସବୁଆଡୁ ତାଙ୍କୁ ପ୍ରଶଂସାର ସୁଅ ଛୁଟିଥିଲା। ଗୋଟିଏ ସ୍କୁଟିରେ ସେ ପ୍ରାୟ ୬୦ ରୁ ୭୦ କିଲୋମିଟର ବାଟ ବିଭିନ୍ନ ଗାଁ ଗଣ୍ଡା ବୁଲି ଗରିବ ଅସହାୟ ଖଟିଖିଆ ମଜଦୁର ଲୋକମାନଙ୍କର ଶୁଖ, ଦୁଃଖ ବୁଝିଥିଲେ । ଯାହା ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା । ଦେଶରେ କରୋନା ମହାମାରୀ ସମୟରେ ଦିନରାତି ଏକକରି ଲୋକଙ୍କ ସେବାରେ ଲାଗିପଡିଥିଲେ ଅମ୍ରିତ ଋତୁରାଜ । ଏବେ ସେ କେନ୍ଦ୍ରାପଡ଼ାର ଜିଲ୍ଲାପାଳ ଭାବେ କାର୍ଯ୍ୟରତ।
ଲୋକଙ୍କ ସେବାରେ ସମର୍ପିତ ଅମ୍ରିତ ଋତୁରାଜ ଓଡିଆ ସାହିତ୍ୟ, ସଂସ୍କୃତିରେ ରୁଚି ରଖିଛନ୍ତି। ଟିକେ ଅବସର ସମୟ ପାଇଲେ ଲେଖାଲେଖି କରିବାକୁ ସେ ବହୁତ୍ ଭଲପାଆନ୍ତି । ତାଙ୍କର ଚର୍ଚ୍ଚିତ କବିତା ସଙ୍କଳନ ହେଉଛି ‘ଅବ୍ୟକ୍ତ ଅକ୍ଷର’ । ପୁସ୍ତକଟିରେ ସାତଭାୟାର ଝାଉଁବଣ ସ୍ମୃତି ରୋମନ୍ଥନ, ବିଦ୍ୟାଳୟ ବାରଣ୍ଡା ଦୁଃଖରେ ମ୍ରିୟମାଣ, ‘ଗୁଳି’ ବ୍ୟଥିତ ହୃଦୟ ଧରି କାନ୍ଦିବା ଏ କବିତାର ଅକ୍ଷରମାନେ ଧୃଷ୍ଟତା ସହ ବ୍ୟକ୍ତ କରିଛନ୍ତି । ସମାଜର ବିଭିନ୍ନ ସ୍ଥାନରେ, ବିଭିନ୍ନ ପରିସ୍ଥିତିରେ ଯନ୍ତ୍ରଣାକୁ ନେଇ ଜିଉଁଥିବା ମଣିଷମାନଙ୍କୁ ଦେଖି ଅମ୍ରିତଙ୍କ ହୃଦୟ କାନ୍ଦି ଉଠିଛି । ସମାଜରେ ଅବହେଳିତ ବର୍ଗଙ୍କ ପ୍ରତି ତାଙ୍କ ମନରେ ଥିବା ସମବେଦନା ତାଙ୍କ ଲେଖନୀରେ ପ୍ରତିଫଳିତ ହେଉଛି । କେବଳ ଅବ୍ୟକ୍ତ ଅକ୍ଷର ନୁହେଁ ଅନେକ କବିତା, ପ୍ରବନ୍ଧ ଆଦି ଲେଖି ସାହିତ୍ୟ କ୍ଷେତ୍ରକୁ ସମୃଦ୍ଧ କରିବାରେ ତାଙ୍କ ଅବଦାନ ଅତୁଳନୀୟ।ଏଭଳି ଜଣେ ବହୁମୂଖୀ ପ୍ରତିଭାଙ୍କୁ ପାଇ ଓଡ଼ିଶା ଆଜି ଗର୍ବିତ।




