ଉନ୍ମୋଚନ ହେଲା ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଲୋଗୋ । ଏହାକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋଗୋର ଟ୍ୟାଗ ଲାଇନ୍ ରହିଛି ‘ଭାଷା ହିଁ ଭବିଷ୍ୟତ । ସମ୍ମିଳନୀ ଆସନ୍ତା ଫେବୃଆରୀ ୩ରୁ ୫ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି। ଏହି ଅବସରରେ ବୁଦ୍ଧିଜୀବୀ, ଗବେଷକ, ବିଦ୍ୱାନ୍ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମତ ବିନିମୟ ପାଇଁ ଏହି ସମ୍ମିଳନୀ ଏକ ସୁନ୍ଦର ମଞ୍ଚ ଭାବେ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି।
ଆଧୁନିକ ଭାରତବର୍ଷରେ ଓଡ଼ିଶା ହେଉଛି ପ୍ରଥମ ଭାଷାଭିତ୍ତିକ ରାଜ୍ୟ। ଓଡ଼ିଆ ଭାଷା ଅନ୍ୟତମ ଶାସ୍ତ୍ରୀୟ ଭଷାର ମାନ୍ୟତା ଲାଭକରି ଆମ ମାଟି ଏବଂ ଭାଷାର ଗୌରବ ବୃଦ୍ଧି କରିଛି । ଓଡ଼ିଆ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଉପରେ ବିସ୍ତୃତ ଆଲୋଚନା ସହିତ ଏହାର ପ୍ରଚାର ପ୍ରସାରର ଲକ୍ଷ୍ୟ ନିର୍ଦ୍ଧାରଣ ପାଇଁ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ କରାଯାଉଛି।
ଏକ ସ୍ୱତନ୍ତ୍ର ଐତିହ୍ୟର ଶକ୍ତିଶାଳୀ ବାହକ ଭାବେ ଭବିଷ୍ୟତ ପିଢ଼ିଙ୍କ ପାଖରେ କିପରି ଓଡ଼ିଆ ଭାଷାର ଆଦର ବଢ଼ିବ। ଆଧୁନିକ ଜ୍ଞାନକୌଶଳ ଜରିଆରେ ଓଡ଼ିଆ ଭାଷା କିପରି ଆଗକୁ ବଢ଼ିପାରିବ, ସେ ସମ୍ପର୍କରେ ସମ୍ମିଳନୀରେ ବିଚାର ବିମର୍ଶ କରି ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ।

