ମହାନଦୀରେ ଆସୁଛି ବନ୍ୟା !

ଅବପାତ ଜନିତ ବର୍ଷା ଏବଂ  ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଫଳରେ ମହାନଦୀରେ ପୁଣି ଏକ ଛୋଟ ବନ୍ୟା ଆସୁଥିବା ନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସୂଚନା ଦେଇଛନ୍ତି । ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବର୍ତ୍ତମାନ ୬୨୮.୧୯ ଫୁଟ୍ ରହିଥିବା ବେଳେ ବନ୍ୟା ଜଳ ନିଷ୍କାସନ ପାଇଁ ୨୪ଟି ଗେଟ୍ ଖୋଲା ରଖାଯାଇଛି । ଆବଶ୍ୟକ ପଡ଼ିଲେ ଆସନ୍ତାକାଲି ଆଉ କିଛି ଗେଟ୍ ଖୋଲାଯାଇପାରେ । ଆଜି ମଧ୍ୟରାତ୍ରିରୁ ଆସନ୍ତାକାଲି ସକାଳ ୯ଟା ମଧ୍ୟରେ ମୁଣ୍ଡଳୀଠାରେ ପ୍ରାୟ ୭ରୁ ୮ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେବାର ଆକଳନ କରାଯାଉଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।
ଏହି ବନ୍ୟା ଯୋଗୁଁ କଟକ, ଖୋର୍ଦ୍ଧା, ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହେବ। ବିଶେଷ କରି ବାଙ୍କୀ, ବଡ଼ମ୍ବା, ଆଠଗଡ଼, କଣାସ, ନିମାପଡ଼ା, ଗୋପ, ଏରସମା, ବାଲିକୁଦା ଓ ପାଟକୁରା ଭଳି ନିଶ୍ଚିତ ଅଞ୍ଚଳଗୁଡ଼ିକରେ ଆସନ୍ତା ୨୪ରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ଜଳବନ୍ଦୀ ସ୍ଥିତି ଉପୁଜିପାରେ। ସେପଟେ ସୁବର୍ଣ୍ଣରେଖା, ବୈତରଣୀ ଓ ବୁଢ଼ାବଳଙ୍ଗରେ ବନ୍ୟାଜଳ କମୁଥିବା ବେଳେ ଜଳକା ଓ ସାଳନ୍ଦୀ ଯୋଗୁ କିଛି ସ୍ଥାନରେ ଜଳବନ୍ଦୀ ସ୍ଥିତି ରହିଛି। ଦକ୍ଷିଣ ଓଡ଼ିଶାର ନଦୀଗୁଡ଼ିକରେ ବନ୍ୟା ଭୟ ନାହିଁ। ସ୍ଥିତି ଉପରେ ନଜର ରଖିବାକୁ ବିଭାଗୀୟ ଇଞ୍ଜିନିୟରମାନଙ୍କୁ ସଜାଗ ରଖାଯାଇଛି ଏବଂ ନଦୀବନ୍ଧଗୁଡ଼ିକରେ ନାଇଟ୍ ପାଟ୍ରୋଲିଂ କରାଯାଉଥିବା ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ସୂଚନା ଦେଇଛନ୍ତି ।

Post Views25 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!