ହ୍ବାଟ୍‌ସଆପ୍‌ ମାଧ୍ୟମରେ ରାଜ୍ୟବାସୀ ପାଇପାରିବେ ୧୧ଟି ସେବା

ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ସାମ୍ବାଦିକମାନଙ୍କୁ କହିଛନ୍ତି, ରାଜସ୍ବ ବିଭାଗ ହେଉଛି ସରକାରଙ୍କର ମାତୃ ବିଭାଗ। ଏହି ବିଭାଗ ସହିତ ପ୍ରତ୍ୟେକ ମଣିଷର ନିବିଡ଼ ସଂପର୍କ ଅଛି। ଜମି ଓ ମଣିଷର ସଂପର୍କ କେଉଁ ପୁରୁଣା କାଳରୁ ରହି ଆସିଛି। ସମସ୍ୟା ମଧ୍ୟ ଯେବେ ଯେବେ ହୋଇଛି, ଲଢ଼େଇ ଜମି ପାଇଁ ହୋଇଛି। ପାଞ୍ଚ ଖଣ୍ଡ ଗାଁ ଯଦି ଦୁର୍ଯ୍ୟୋଧନ ଦେଇଥାନ୍ତେ, ମହାଭାରତ ଯୁଦ୍ଧ ହୋଇ ନଥାନ୍ତା। ଜମି ପାଇଁ ଭାଇ ରାଜ୍ୟ ଏବଂ ଦେଶ-ଦେଶ ମଧ୍ୟରେ ବିବାଦ ହେଉଛି। ବିକାଶ ପାଇଁ ଜମି ଦରକାର। ରେଳବାଇ ସଂପ୍ରସାରଣ, ରାଜପଥ ସଂପ୍ରସାରଣ, ଜଳସେଚନ, ବିମାନବନ୍ଦର, ସ୍କୁଲ, ଡାକ୍ତରଖାନାର ବିକାଶ ପାଇଁ ଜମି ଦରକାର।

 

ଶ୍ରୀ ପୂଜାରୀ କହିଛନ୍ତି, ଜମିକୁ ନେଇ ରାଜ୍ୟର ସାଢ଼େ ୪କୋଟି ଲୋକ ସେବା ଚାହୁଁଛନ୍ତି। ଜମି, ଦଲିଲ ‌ପଂଜୀକରଣ କରିବା ପାଇଁ ସବରେଜିଷ୍ଟ୍ରାରଙ୍କ ପାଖକୁ ଯାଉଥିଲେ। ଲୋକେ ଦୂରଦୂରାନ୍ତରକୁ ଯାଉଥିଲେ। କାମ ନହେଲେ ଲୋକେ ହଇରାଣ ହେଉଥିଲେ। ରାଜ୍ୟ ସରକାର ଏବେ ପ୍ରତ୍ୟେକ ତହସିଲ କାର୍ଯ୍ୟକୁ କ୍ଷମତା ଦେଇଛନ୍ତି। ଏହା ଦ୍ବାରା ଲୋକେ ସୁବିଧା ପାଇପାରିବେ ଏବଂ ଦଲାଲମୁକ୍ତ ହୋଇପାରିବ। ବ୍ୟବସ୍ଥାରେ ସଂସ୍କାର ଆସିବ। ରାଜସ୍ବ ସେବା ଲୋକଙ୍କ ପାଖରେ ଅତି ସହଜରେ ପହଞ୍ଚିବା ପାଇଁ ସଂସ୍କାର ଅଣାଯାଉଛି। ମୋବାଇଲ ମାଧ୍ୟମରେ ଜମି-କିଣା ବିକା ହୋଇପାରିବ।

 

ହ୍ବାଟ୍‌ସଆପ୍‌ ମାଧ୍ୟମରେ ରାଜ୍ୟବାସୀ ୧୧ଟି ସେବା ପାଇପାରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଶୁଭାରମ୍ଭ କରିଦେଇଛନ୍ତି। ଏହି ସେବା ପାଇବାରେ କେହି ବଞ୍ଚିତ ‌ହେଲେ ଅଭିଯୋଗ କରିପାରିବେ। ବିଭାଗୀୟ ଅଧିକାରୀ ସେବା ଦେବାରେ ତ୍ରୁଟି କଲେ କାର୍ଯ୍ୟାନୁଷ୍ଠାନର ଶିକାର ହେବେ। ରାଜସ୍ବ ସେବା ସମସ୍ତଙ୍କୁ ଦେବା ଏହାର ମୂଳ ଲକ୍ଷ୍ୟ। ଲୋକଙ୍କର ଦ୍ବାରଦେଶରେ ପହଞ୍ଚାଇବା। ରାରଜସ୍ବ ଦଲାଲ ମୁକ୍ତ,ଦୁର୍ନୀତି ମୁକ୍ତ କରିବା। ବିଗତ ଦେଢ଼ ବର୍ଷ ମଧ୍ୟରେ ରାଜସ୍ବ ସଂସ୍କାରରେ ପରିବର୍ତ୍ତନ ଆସିଛି। ଆମକୁ ଆହୁରି ଏଥି ପ୍ରତି ଯତ୍ନବାନ ହେବାର ଆବଶ୍ୟକତା ଅଛି। ସରକାର ଏଥି ପାଇଁ କାମ କରୁଛନ୍ତି। ଓଡ଼ିଶାର ରାଜସ୍ବ ସେବା ଦେଶର ଆଦର୍ଶ ହେବ। ଏଥି ପାଇଁ କାମ ଜାରି ରହିଛି ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି।

 

Post Views18 Total Count

Apply Now


This will close in 0 seconds

error: Content is protected !!