ଗୋଟିଏ ଭାଗ୍ୟର କାହାଣୀ ଭୋକରୁ ଲେଖାହୋଇପାରେ । ଗୋଟିଏ ସଫଳତାର ଯାତ୍ରା ସଂଘର୍ଷରୁ ଆରମ୍ଭ ହୋଇପାରେ । ନାହିଁ ନାହିଁର ଜୀବନରେ ଅସହାୟ ପିଲାଟିଏ ସ୍ବପ୍ନ ଦେଖିପାରେ, ଶୂନ୍ୟରୁ ଶୀର୍ଷକୁ ଯାତ୍ରା ବି କରିପାରେ । ସେମିତି ଗୋଟିଏ କାହାଣୀର ନାୟକ ହେଉଛନ୍ତି ଡ. ଅଚ୍ୟୁତ ସାମନ୍ତ । ନା ମୁଣ୍ଡ ଉପରେ ବାପାଙ୍କ ହାତ ଥିଲା ନା ଅଭୟ ଆଶ୍ବସ୍ତି ଦେବାକୁ ମାଆର ପଣତ କାନି । ପେଟର ଭୋକ, ମନର କୋହ ପ୍ରତି ମୁହୂର୍ତ୍ତରେ ଜୀବନର ବାସ୍ତବତାକୁ ଅନୁଭବ କରୁଥିଲା । ନା କେହି ଗଡ୍ ଫାଦର ଥିଲେ ନା ଆହା ପଦେ କହିବାକୁ କାହାର ସାନ୍ତ୍ବନାମୂଳକ କଥାପଦେ । ଏଭଳି ଜୀବନରେ ବି ଜଣେ ସ୍ବପ୍ନ ଦେଖିପାରେ, ଆକାଶରେ ଉଡିବାକୁ ଇଚ୍ଛା କରିପାରେ । ସଂଘର୍ଷକୁ ସାଥି କରି ସଫଳତାର ସ୍ବାଦ ଚାଖିପାରେ । ଆଉ ଏହାକୁ ପ୍ରମାଣିତ କରିଥିଲେ ଅଚ୍ୟୁତ ।
କଟକ ଜିଲ୍ଲା କଲରାବାଙ୍କ ଗ୍ରାମରେ ୧୯୬୫ ମସିହାରେ ଅନାଦି ଚରଣ ସାମନ୍ତ ଏବଂ ନୀଳିମା ରାଣୀ ସାମନ୍ତଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ ଅଚ୍ୟୁତ ସାମନ୍ତ । ସତେଯେମିତି ଗରିବଙ୍କୁ ସାଥି କରି ସେ ଜନ୍ମ ହୋଇଥିଲେ । ପିଲାଟି ଦିନରୁ ଅଭାବ ଅସୁବିଧା ଏବଂ ସଂଘର୍ଷର ସକାଳକୁ ଦେଖିଦେଖି ନିଜକୁ ଶକ୍ତ ଓ ଦୃଢ ଭାବେ ଗଢିତୋଳିଥିଲେ । ବୋଧହୁଏ ବିଧାତା ଚାହୁଁଥିଲା ଅଚ୍ଯୁତ ଆହୁରି ସଂଘର୍ଷ କରନ୍ତୁ । ଗରିବୀ ସହିତ ଲଢି ଆଗକୁ ବଢନ୍ତୁ । ଆଉ ବିଶ୍ବରେ ବିରଳ ଉଦାହରଣ ସାଜନ୍ତୁ । ସେଇଥିପାଇଁ ଯେତେବେଳେ ତାଙ୍କୁ ମାତ୍ର 4 ବର୍ଷ ବୟସ ହୋଇଥିଲା ସେତେବେଳେ ତାଙ୍କ ବାପାଙ୍କୁ ଭଗବାନ ଛଡାଇନେଇଥିଲେ । ଜୀବନକୁ ଚିହ୍ନିନଥିବା ବୟସରେ ବାପଛେଉଉଣ୍ଡ ହୋଇଯାଇଥିଲେ ଅଚ୍ୟୁତ ସାମନ୍ତ । ଏମିତିକି ବାପାଙ୍କ ଅନ୍ତିମ ସଂସ୍କାର ପାଇଁ ବି ମୃତଦେହକୁ ଘରକୁ ଆଣିପାରିନଥିଲେ ହତଭାଗା ପରିବାର । ଧାରଉଦ୍ଧାରି, ଦାରିଦ୍ର୍ୟତା ଏବଂ ବାପାଙ୍କ ବିୟୋଗ ସାରା ପରିବାରକୁ ଭାଙ୍ଗି ପକାଇଥିଲା । ଅଚ୍ୟୁତଙ୍କ ପାଇଁ ଭାତ ମୁଠେ ଖାଇବା ବି ଦିନେ ସ୍ବପ୍ନ ଥିଲା । ମାଆ ପରଘରେ ଧାନକୁଟି ଆଣିଲେ ଚୁଲି ଜଳୁଥିଲା । ଯାହାକିଛି ରୋଜଗାର ହେଉଥିଲା କରଜ ସୁଝାକୁ ବି ନିଅଣ୍ଟ ପଡୁଥିଲା । ହେଲେ ସେଦିନ ସେ ଦୁର୍ଦ୍ଦିନରେ ଭାଙ୍ଗିପଡିନଥିଲେ ଅଚ୍ଯୁତ । ନିଜେ ଦମ୍ଭ ଧରିବା ସହ ଆଗକୁ ବଢିବାକୁ ନିଷ୍ପତ୍ତି ନେଇଥିଲେ ।
ବିଧବା ମାଆ ଏବଂ ସାତ ଭାଇ ଭଉଣୀଙ୍କ ସହିତ ବଢ଼ି ବଡ଼ ସ୍ବପ୍ନ ଦେଖିଥିଲେ ଅଚ୍ୟୁତ ସାମନ୍ତ । ପାଠ ପଢାରେ ଏକାଗ୍ରତା ରଖି ଏକ ନିପଟ ମଫସଲରୁ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ ଅଚ୍ୟୁତ । ପରବର୍ତ୍ତୀ ଉତ୍କଳ ବିଶ୍ବବିଦ୍ୟାଳୟରୁରୁ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ଉପାଧି ଲାଭ କରିଥିଲେ । ସେଠାରୁ ଆରମ୍ଭ କରିଥିଲେ ନୂଆ ଜୀବନ । ଏକ ରସାୟନ ବିଜ୍ଞାନ ଲ୍ୟାବ ସହକାରୀ ଭାବରେ ମହର୍ଷି ମହାବିଦ୍ୟାଳୟରେ ୧୦ ବର୍ଷ ଧରି ସେ ଶିକ୍ଷାଦାନ କରିଥିଲେ । ମହର୍ଷି କଲେଜରେ ରସାୟନ ବିଜ୍ଞାନ ଅଧ୍ୟାପକ ଭାବେ କାମ କଲାବେଳେ କିଛି ନୂଆ କରିବା ପାଇଁ ତାଙ୍କ ମନକୁ ଆସିଲା । ହେଲେ ପାଖରେ ଟଙ୍କା ନଥିଲା । ଧାର କରଜ କରି ଭୁବନେଶ୍ଵରରେ ଦୁଇଟି ଭଡ଼ା ଘରୁ ଆରମ୍ଭ କରିଥିଲି ଦୁଇଟି ସଂସ୍ଥା । ୧୨ ଜଣ ଛାତ୍ରଛାତ୍ରୀ ଓ ଦୁଇ ଜଣ କର୍ମଚାରୀଙ୍କୁ ନେଇ ଆରମ୍ଭ କରିଥିବା ସେହି ସଂସ୍ଥା ଆଜି କିଟ୍ ଓ କିସ୍ ନାଁରେ ବିଶ୍ଵ ପରିଚିତ । ଏ ଲମ୍ବା ଯାତ୍ରା ଭିତରେ ଅନେକ ପ୍ରତିକୂଳ ପରିସ୍ଥିତି ଆସିଛି । କିନ୍ତୁ ଧୈର୍ଯ୍ୟ ହିଁ ଅଚ୍ୟୁତଙ୍କର ବଳ ସାଜିଛି ।
ଭୁବନେଶ୍ଵରକୁ ଆସିବାବେଳେ ଅଚ୍ୟୁତଙ୍କର କେହି ଗଡଫାଦର ନଥିଲେ । ୪ ବର୍ଷରେ ବାପାଙ୍କୁ ହରାଇଥିଲି, ଦି ବେଳା ଖାଇବାକୁ ରୁଟି ମିଳୁନଥିଲା । ବହୁ କଷ୍ଟରେ ଏଠି ସେଠି କାମ କରି ପାଠ ପଢ଼ିଥିଲେ । ଆଉ ନିଜର ଅଧ୍ୟବସାୟ ଫଳରେ ଏତେ ବଡ ସଫଳତା ହାସଲ କରିପାରିଛନ୍ତି । କିଟ୍ ଓ କିସ୍ ସହ ୧୫ ହଜାର ସ୍ଥାୟୀ କର୍ମଚାରୀ ଯୋଡ଼ି ହୋଇରହିଛନ୍ତି । ଅହରହ ସେମାନେ କାମ କରୁଛନ୍ତି। ଶହ ଶହ ବିଦେଶୀ ପର୍ଯ୍ୟଟକ ପ୍ରତିଦିନ କିଟ୍ ଏବଂ କିସ୍ ବୁଲିବା ପାଇଁ ଆସନ୍ତି ଏବଂ ସେମାନେ ଏଠିକାର ଭିତ୍ତିଭୂମି ଏବଂ ପରିଚାଳନା ବ୍ୟବସ୍ଥା ଦେଖି ଆଚମ୍ବିତ ହୁଅନ୍ତି । ଓଡ଼ିଶାରେ କିଟ୍ ଏବଂ କିସ୍ ଏକ ବିଲିଅନ ଡଲାର ବ୍ରାଣ୍ଡିଂ ତିଆରି କରିଛି । ଭାରତରେ ଖେଳକୁ ପ୍ରୋତ୍ସାହନ ଯୋଗାଇବାରେ କିଟ୍ ଏବଂ କିସ୍ ଆଗରେ। ଏହି ଅନୁଷ୍ଠାନରୁ ୯ ଜଣ ଖେଳାଳି ଅଲିମ୍ପିକ୍ସ ଖେଳିଛନ୍ତି, ସେଥିମଧ୍ୟରୁ କିଛି ଜଣ ଭାରତ ପାଇଁ ମେଡାଲ ମଧ୍ୟ ଆଣିଛନ୍ତି । ନିକଟରେ ଭାରତ ସରକାରଙ୍କ ପକ୍ଷରୁ କିଟ୍ ଏବଂ କିସ୍କୁ ରାଷ୍ଟ୍ରିୟ ଖେଳ ପ୍ରୋତ୍ସାହନ ସମ୍ମାନ ୨୦୨୨ ପ୍ରଦାନ କରାଯାଇଛି । କଳା, ସାହିତ୍ୟ, ସଂସ୍କୃତି, ସ୍ଵାସ୍ଥ୍ୟ, ଶିକ୍ଷା, ଚଳଚ୍ଚିତ୍ର, ଗଣମାଧ୍ୟମ, ରାଜନୀତି ଏ ସମସ୍ତ କ୍ଷେତ୍ରରେ ଅଚ୍ୟୁତ ସାମନ୍ତ ନିଜ ପାରଦର୍ଶିତା ଦେଖାଇଛନ୍ତି । ନିଜ ଧୈର୍ଯ୍ୟ ଏବଂ ନିଷ୍ଠା ବଳରେ ସେ ଆଜି ଏ ସ୍ଥାନରେ ପହଞ୍ଚିଛନ୍ତି ।
ଦୀର୍ଘ ୫୫ ବର୍ଷର ବ୍ୟବଧାନ ୨୦୧୬ରେ ଦ୍ୱିତୀୟ ଓଡ଼ିଆ ଭାବେ ଶିକ୍ଷାବିତ, ସମାଜସେବୀ ତଥା କିଟ୍-କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଭାରତୀୟ ବିଜ୍ଞାନ କଂଗ୍ରେସ ସଂଘ (ISCA)ର ସଭାପତି ନିର୍ବାଚିତ ହୋଇଥିଲେ । ମହୀଶୂର ଠାରେ ୨୦୧୬ ଜାନୁଆରି ୩ରୁ ୭ ତାରିଖ ଯାଏଁ ଚାଲିଥିବା ଭାରତୀୟ ବିଜ୍ଞାନ କଂଗ୍ରେସର ୧୦୩ତମ ଅଧିବେଶନର ତୃତୀୟ ଦିନରେ ଅନୁଷ୍ଠିତ ସଭାପତି ନିର୍ବାଚନରେ ଅଚ୍ୟୁତ ସାମନ୍ତଙ୍କୁ ସର୍ବାଧିକ ସମର୍ଥନ ମିଳିଥିଲା । କାର୍ଯ୍ୟକାରିଣୀ ପରିଷଦର ମୋଟ ୬୮ ଜଣ ସଦସ୍ୟ ମତଦାନ କରିଥିଲେ । ସର୍ବାଧିକ ୪୮ ଭୋଟ ପାଇ ୨୦୧୬-୧୭ ବର୍ଷ ଲାଗି ସଂଘର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ଶ୍ରୀ ସାମନ୍ତ । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଠାରୁ ଆରମ୍ଭ କରି ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଅବଦୁଲ କାଲାମ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ଭଳି ବହୁ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ପୂର୍ବରୁ ଆଇଏସ୍ସିଏର ସଭାପତି ପଦ ଅଳଂକୃତ କରି ସାରିଛନ୍ତି । ଡକ୍ଟର ସାମନ୍ତଙ୍କ ପୂର୍ବରୁ ଅର୍ଥାତ ୧୯୬୦ ମସିହାରେ ପ୍ରଥମ ଓଡ଼ିଆ ଭାବେ ପ୍ରସିଦ୍ଧ ବୈଜ୍ଞାନିକ ଡକ୍ଟର ପ୍ରାଣକୃଷ୍ଣ ପରିଜା ଏହି ସମ୍ମାନଜନକ ପଦ ପାଇଁ ନିର୍ବାଚିତ ହୋଇଥିଲେ।
୭ ମାର୍ଚ୍ଚ ୨୦୧୮ ମସିହାରେ ଅଚ୍ୟୁତ ସାମନ୍ତ ରାଜନୀତିରେ ପ୍ରବେଶ କରିଥିଲେ । ସେ ବିଜେଡିରେ ଯୋଗଦାନ କରି ୪ ଅପ୍ରେଲ, ୨୦୧୮ ମସିହାରେ ସେ ରାଜ୍ୟସଭାର ସଦସ୍ୟ ଭାବରେ ଯୋଗଦାନ କରିଥିଲେ । ପରେ ସେ କନ୍ଧମାଳରୁ ବିଜେଡିର ଲୋକସଭା ପ୍ରାର୍ଥୀ ଭାବରେ ପ୍ରତିଦ୍ବନ୍ଦିତା କରି କରି ବିଜୟୀ ହୋଇଛନ୍ତି । ନିଜର ପରିଶ୍ରମ ଓ ନିଷ୍ଠା କାରଣରୁ ଜଣେ ପ୍ରେରଣାଦାୟୀ ମଣିଷ ଭାବେ ସାରା ବିଶ୍ବରେ ଅଚ୍ୟୁତ ସାମନ୍ତ ବେଶ୍ ପରିଚିତ ।







