ବାଜିଲା ନିର୍ବାଚନ ବିଗୁଲ୍ । ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଆସିଲା ତାରିଖ । ଦେଶରେ ୭ଟି ପର୍ଯ୍ୟାୟରେ ହେବ ଲୋକସଭା ନିର୍ବାଚନ । ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ହେବ । ମେ’ ୧୩ରେ ପଡ଼ିବ ପ୍ରଥମ ପର୍ଯ୍ୟାୟ ଭୋଟ୍ । ୪ ଲୋକସଭା କ୍ଷେତ୍ରର ୨୮ଟି ବିଧାନସଭା କ୍ଷେତ୍ରରେ ଭୋଟ୍ ଗ୍ରହଣ ହେବ । ମେ’୨୦ ରେ ଦ୍ବିତୀୟ ପର୍ଯ୍ୟାୟରେ ୫ଟି ଲୋକସଭା କ୍ଷେତ୍ରର ୩୫ଟି ବିଧାନସଭା କ୍ଷେତ୍ରରେ ଭୋଟ ଗ୍ରହଣ ହେବ । ସେହିପରି ମେ’ ୨୫ରେ ୬ଟି ଲୋକସଭା କ୍ଷେତ୍ରର ୪୨ଟି ବିଧାନସଭା ଓ ଜୁନ୍ ଏକରେ ୬ଟି ଲୋକସଭା କ୍ଷେତ୍ରର ୪୨ଟି ବିଧାନସଭା କ୍ଷେତ୍ରରେ ଚତୁର୍ଥ ପର୍ଯ୍ୟାୟରେ ଭୋଟିଂ ହେବ । ଜୁନ୍ ୪ରେ ଗଣତି ହୋଇ ପ୍ରକାଶ ପାଇବ ଫଳାଫଳ । ଏଥିପାଇଁ ୧୬ ମାର୍ଚ୍ଚ ୨୦୨୪ରେ ପ୍ରେସ ଘୋଷଣା ସହ ୧୮ ଏପ୍ରିଲ ୨୦୨୪ରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ୨୫ ଏପ୍ରିଲ ୨୦୨୪ରୁ ନାମାଙ୍କନ ଦାଖଲ ଆରମ୍ଭ ହେବାକୁ ଥିବାବେଳେ ଦ୍ବିତୀୟ ପର୍ଯ୍ୟାୟ ପାଇଁ ୨୬ ଏପ୍ରିଲ, ତୃତୀୟ ପର୍ଯ୍ଯାୟ ପାଇଁ ୬ ମେ ଓ ଚତୁର୍ଥ ପର୍ଯ୍ଯାୟ ନିର୍ବାଚନ ପାଇଁ ୧୪ ମେରୁ ନାମାଙ୍କନ ଦାଖଲ ହେବ । ନିର୍ବାଚନ ତାରିଖ ଘୋଷଣା ସହିତ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଦେଶର ଚତୁର୍ଥ ପର୍ଯ୍ୟାୟ ଓଡ଼ିଶାର ପ୍ରଥମ ପର୍ଯ୍ୟାୟ । ଦେଶରେ ସାତୋଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେଉଥିବାବେଳେ ଚତୁର୍ଥ ପର୍ଯ୍ୟାୟରୁ ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ଓଡ଼ିଶାରେ ଭୋଟ୍ ଗ୍ରହଣ ହେବ । ଏଣୁ ଏଥର ପ୍ରଚାର ପାଇଁ ଓଡ଼ିଶାରେ ପ୍ରଚୁର ସମୟ ମିଳିବ । ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ପ୍ରାୟ ୨ମାସ ଧରି ପ୍ରଚାର କରିବାକୁ ସମୟ ପାଇବେ ପ୍ରାର୍ଥୀ ।
ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ହେବ ଲୋକସଭା ନିର୍ବାଚନ । ଆସନ୍ତୁ ଜାଣିବା କେବେ କେଉଁଠି ହେବ ଲୋକସଭା ନିର୍ବାଚନ । ମେ’ ୧୩ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା କ୍ଷେତ୍ରରେ ନିର୍ବାଚନ ହେବ । କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟରେ ଭୋଟ୍ ଗ୍ରହଣ ହେବ । ମେ’୨୦ ରେ ୫ଟି ଲୋକସଭା କ୍ଷେତ୍ରରେ ନିର୍ବାଚନ ଅନୁଷ୍ଠିତ ହେବ । ଦ୍ବିତୀୟ ପର୍ଯ୍ୟାୟରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ, ଆସ୍କାରେ ମତଦାନ ହେବ । ସେହିପରି ମେ’ ୨୫ରେ ତୃତୀୟ ପର୍ଯ୍ୟାୟ ୬ଟି ଲୋକସଭା କ୍ଷେତ୍ର ସମ୍ବଲପୁର, କେନ୍ଦୁଝର, ଢ଼େଙ୍କାନାଳ, କଟକ, ପୁରୀ, ଭୁବନେଶ୍ବରରେ ଭୋଟ୍ ଗ୍ରହଣ ହେବ । ଜୁନ୍ ୧ରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ନିର୍ବାଚନ ଅନୁଷ୍ଠିତ ହେବ ।

